ଓଡିଶା ଭୂତଳ ଜଳ ବିଲକୁ ଫେରାଇ ଦେଲେ ରାଷ୍ଟ୍ରପତି 

ଭୁବନେଶ୍ବର () ଓଡିଶା ଭୁତଳ ଜଳ ପରିଚାଳନା ଓ ଉନ୍ନତିକରଣ ବିଲ 2011କୁ ଫେରାଇ ଦେଇଛନ୍ତି ରାଷ୍ଟ୍ରପତି  । ଏହି ବିଲରେ ରହିଥିବା କେତେକ ତ୍ରୁଟିର ସଂଶୋଧନ ପାଇଁ ପରାମର୍ଶ ଦେଇ ରାଷ୍ଟ୍ରପତି ବିଲଟିକୁ ପୁଣି ଥରେ ବିଚାର ପାଇଁ ଓଡିଶା ବିଧାନସଭାକୁ ଫେରାଇଦେଇଛନ୍ତି  । 2012 ଡିସେମ୍ବର 5 ତାରିଖରେ ବିଲଟି ଓଡିଶା ବିଧାନସଭାର ମଂଜୁରୀ ଲାଭ କରିଥିଲା । ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ବିଲକୁ ରାଜ୍ୟପାଳଙ୍କ ଜରିଆରେ ପଠାଯାଇଥିଲା  ।

କିନ୍ତୁ ଏହି ବିଲର ଧାରା 12 ଅନ୍ତର୍ଗତ ଉପଧାରା 2 ଏବଂ ଧାରା 19ର ଉପଧାରା 4ରେ ତ୍ରୁଟି ରହିଥିବା ଦର୍ଶାଇ ରାଷ୍ଟ୍ରପତି ବିଲଟିକୁ ଅନୁମୋଦନ କରିନାହାଁନ୍ତି  । ଓଡିଶା ବିଧାନସଭାକୁ ଆସିଥିବା ଚିଠି ଅନୁଯାୟୀ ଏହି ଦୁଇଟି ଧାରା ଓଡିଶା ଇଲେକଟ୍ରିସିଟି ଆଇନ 2003ର ବିରୁଦ୍ଧାଚରଣ କରୁଛି  । ତେଣୁ ଏଥିରେ ଆବଶ୍ୟକ ସଂଶୋଧର ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି  । ଗତ 2015 ଜାନୁଆରୀ 20 ତାରିଖରେ ବିଲଟିକୁ ରାଷ୍ଟ୍ରପତି ରାଜ୍ୟପାଳଙ୍କ ନିକଟକୁ ଫେରାଇଦେଇଛନ୍ତି । ତଦନୁଯାୟୀ ବର୍ତ୍ତମାନର ରାଜ୍ୟପାଳ ଗଣେଶୀ ଲାଲଙ୍କ କାର୍ଯ୍ୟାଳୟରୁ ଓଡିଶା ବିଧାନସଭା ସଚିବଙ୍କୁ ବିଲରେ ଆବଶ୍ୟକ ସଂଶୋଧନ କରି ପୁଣି ଥରେ ବିଧାନସଭାରେ ଉପସ୍ଥାପିତ କରିବାକୁ ପରାମର୍ଶ ଦିଆଯାଇଛି  ।

ଓଡିଶା ଭୁତଳ ଜଳ ବିଲ 2011ର ଧାରା 12 ଉପଧାରା 2ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ଏହି ବିଲରେ ରହିଥିବା ବ୍ୟବସ୍ଥାର ଉଲଂଘନ କରି ଭୁତଳ ଜଳ ବ୍ୟବହାରକାରୀ ଜଳ ଉତ୍ତୋଳନକୁ ବନ୍ଦ କରିବା ସହ ତାଙ୍କର ବିଦ୍ୟୁତ ସଂଯୋଗ ଛିନ୍ନ ହେବ ଏବଂ ଭୂତଳ ଜଳ ଉତ୍ତୋଳନ ପାଇଁ ହୋଇଥିବା ହାଇଡ୍ରୋଲିକ ନିର୍ମାଣକୁ ଭାଙ୍ଗିଦିଆଯିବ ।

ସେହିପରି ଧାରା 19ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ 5 ଲକ୍ଷରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ସହରାଞ୍ଚଳରେ 200 ବର୍ଗ ମିଟର କିମ୍ବା 3 ମହଲା ବିଶିଷ୍ଟ କୌଣସି ନିର୍ମାଣକୁ ଅନୁମତି ଦିଆଯିବା ପୂର୍ବରୁ ଭୂତଳ ଜଳ ପରିଚାଳନା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି  । ଏପରିକି 200 ବର୍ଗ ମିଟରରୁ ଅଧିକ ଅଂଚଳରେ ନିର୍ମିତ ହେବାକୁ ଥିବା କୋଠା ପାଇଁ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି  । ଏହି ସବୁ ବ୍ୟବସ୍ଥା ଗ୍ରହଣ କରିଥିବା କୌଣସି ନୂଆ ନିର୍ମାଣ କିମ୍ବା ପୂରୁଣା ନିର୍ମାଣର ବିଦ୍ୟୁତ ଓ ଜଳ ସଂଯୋଗକୁ ସ୍ଥାୟୀ କରିବା ପୂର୍ବରୁ ସ୍ଥାନୀୟ ଅଧିକାରୀଙ୍କ ଠାରୁ ଭୂତଳ ଜଳ ସଂରକ୍ଷଣ ସଂପର୍କିତ ଏନଓସି ଗ୍ରହଣ କରିବା ବାଧ୍ୟତାମୂଳକ ରଖାଯାଇଥିଲା  । ଏଦି ଦୁଇଟି ବ୍ୟବସ୍ଥା ଓଡିଶା ଇଲେକଟ୍ରିସିଟି ଆଇନ 2003ର ଧାରା 43 ଓ 56ର ବିରୁଦ୍ଧାଚରଣ କରୁଥିବାରୁ ରାଜ୍ୟପାଳ ବିଲଟିର ପୂର୍ନବିଚାର ପାଇଁ ଫେରାଇ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 12 =