ଆସନ୍ତାକାଲି ସନ୍ଧ୍ୟା ବେଳକୁ ବାତ୍ୟାର ରୂପ ନେବ: ପ୍ରଦୀପ ଜେନା

ଭୁବନେଶ୍ୱର()  ଆସୁଛି ବାତ୍ୟା । ଧୀରେ ଧୀରେ ଘନୀଭୂତ ହୋଇ ବଳ ଜୁଟାଉଛି । ପ୍ରାଥମିକ ଆକଳନ କହୁଛି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିପାରେ । ଉତ୍ତର ଓଡ଼ିଶା ଉପକୂଳ କିମ୍ବା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗରେ ବାତ୍ୟା ମାଡ଼ ହେବା ଆଶଙ୍କା ଅଧିକ । ତେବେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ଆଜି ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଆଇଏମଡି ସୂଚନା ଅନୁସାରେ ଲଘୁଚାପ ଆଜି ସନ୍ଧ୍ୟାରେ ଅବପାତ ହେବ । କାଲି ସନ୍ଧ୍ୟା ବେଳକୁ ତାହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟାର ରୂପ ନେବା ପରେ ତାହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୧୭ ତାରିଖ ସନ୍ଧ୍ୟା ପରେ ଦିଗ ବଦଳାଇ ଉତ୍ତର ପୂର୍ବ ଦିଗକୁ ଗତି କରିବ । ତେବେ କେଉଁଠି ଲ୍ୟାଣ୍ଡ ଫଲ କରିବ ସେ ସମ୍ପର୍କରେ ଜଣାପଡ଼ିନାହିଁ । ଯାହା ଜଣାପଡ଼ୁଛି ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ । ଆମେ ନିୟମିତ ଭାବେ ମନିଟରିଂ କରୁଛୁ ବୋଲି ଶ୍ରୀ ଜେନା କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ, ସେଲଟର ହୋମଗୁଡ଼ିକ ଠାବ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଯଥେଷ୍ଟ ଅଧିକ ଯେମିତି ସେଲଟର ହୋମ ହୋଇପାରିବ କହିଛୁ । ଆବଶ୍ୟକ ପଡ଼ିଲେ ଲୋକଙ୍କ ସ୍ଥାନାନ୍ତରଣ କରାଯିବ । ସରପଞ୍ଚ ଓ ସ୍କୁଲ ଶିକ୍ଷକ ସେଲଟର ହୋମ ଦାୟିତ୍ୱରେ ରହିବେ । ପୁଲିସ, ଅଗ୍ନିଶମ, ଏନଡିଆରଏଫ ସହ ପ୍ରାଥମିକ ଆଲୋଚନା ହୋଇଛି । ୪ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ରାସ୍ତାଘାଟ ସଫା ଓ ପାନୀୟ ଜଳ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି । ଆଜି ଠାରୁ ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ମନା କରାଯାଇଥିବା ଶ୍ରୀ ଜେନା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + 11 =