ଅଗଷ୍ଟରୁ ଓଡିଶାରେ ସମର ସଜ୍ଜା

ଭୁବନେଶ୍ବର, (ନିପ୍ର): ଆଗାମୀ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୮ମାସ ସମୟ ବାକି ରହିଛି । ଏହି ସମୟ ମଧ୍ୟରେ ଓଡିଶାର ରାଜନୀତି ମୈଦାନରେ ଲଢେଇ କରିବାକୁ ଥିବା ବିଜେପି-କଂଗ୍ରେସ-ବିଜେଡି ନିଜର ସମର ସଜ୍ଜା କରିବା ପାଇଁ ଲାଗିପଡିଛନ୍ତି । ଆଗାମୀ ମାସରେ ଏହି ସମର ସଜ୍ଜାର ଆଖଡାଶାଳା ଓଡିଶାରେ କରିବା ପାଇଁ  ଏହି ଦଳର ନେତାମାନେ ସ୍ଥିର କରିଛନ୍ତି ।

ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିବା ପାଇଁ ଜାତୀୟ ଦଳର ନେତାମାନଙ୍କ ଫୋକସରେ ଓଡିଶା ରହିଛି । ବିଗତ ଦୁଇ ବର୍ଷ ହେଲା ବିଜେପି ଅଧ୍ୟକ୍ଷ ଅମିତ୍‍ ଶାହା ଓଡିଶାକୁ ବାରମ୍ବାର ଆସି ଆଗାମୀ ନିର୍ବାଚନ ପାଇଁ କର୍ମୀମାନଙ୍କ ମନୋବଳକୁ ବଢାଇବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡିଶା ଆସି କର୍ମୀମାନଙ୍କୁ ନିର୍ବାଚନମୁଖୀ କରିବାରେ ଲାଗିଛନ୍ତି । କେନ୍ଦ୍ର ସରକାର ଓଡିଶାକୁ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଜଣାଇବା ସହିତ ରାଜ୍ୟର ମତଦାତାମାନଙ୍କୁ ପ୍ରଲୋଭିତ କରିବା ପାଇଁ ଅଗଷ୍ଟ ମାସରେ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତକାଳରେ ମୋଦି ଭୁବନେଶ୍ବର ଉପକଣ୍ଠରେ ଥିବା ଅରୁଗୁଳସ୍ଥିତ ଆଇଆଇଟିର ନୂତନ କ୍ୟାମ୍ପସକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ମୋଦି ତାଙ୍କ ଭାଷଣ ଛଳରେ ତାଙ୍କ ସରକାରର ସଫଳ କାହାଣୀକୁ ରାଜ୍ୟର ମତଦାତାମାନଙ୍କ ଆଗରେ ରଖିବା ସହିତ ଆଗାମୀ ଦିନ ପାଇଁ ପ୍ରତିଶ୍ରୁତିର ପାହାଡ ଠିଆ କରାଇଦେବେ ।

ଗତ ମଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଗସ୍ତରେ ଆସି ଯେପରି ଜନସାଧାରଣଙ୍କ ମିଶିବା ସହ କଟକ ସହରର ଚା ବିକାଳୀ ଡି ପ୍ରକାଶ ରାଓଙ୍କୁ ସମ୍ମାନୀତ କରି ଅନୁକମ୍ପା ହାସଲ କରିଥିଲେ, ଆଗାମୀ ଦିନରେ ସେହିଭଳି କିଛି ପଦକ୍ଷେପ ନେବେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ଏହି ଗସ୍ତ କାଳରେ ଓଢଡିଶା କିପରି ଅବହେଲିତ ହୋଇ ରହିଛି ତାର ଚିତ୍ର ମତଦାତାଙ୍କ ଆଗରେ ରଖିବା ସହିତ ଆଗାମୀ ଦିନରେ ଓଡିଶା ପ୍ରତି ବିଜେପିର ଯୋଜନାକୁ ପ୍ରକାଶ କରିବେ ବୋଲି ଆଲୋଚନା ହେଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମତାରୁ ହଟାଇବା ପାଇଁ ପଣ କରିଥିବା କଂଗ୍ରେସ ଅଧ୍ୟକ୍ଷା ରାହୁଲ ଗାନ୍ଧୀ ମଧ୍ୟ ପଛରେ ନାହାନ୍ତି । ଓଡିଶାର ମତଦାତାମାନଙ୍କୁ କଂଗ୍ରେସ ପ୍ରତି ଆକୃଷ୍ଟ କରିବା ସହିତ ଗତ କିଛି ବର୍ଷ ହେଲା ମୃତ ପ୍ରାୟ ଦଳୀୟ ସଂଗଠନରେ ପ୍ରାଣ ସଞ୍ଚାର କରିବା ପାଇଁ ଅଗଷ୍ଟରେ ଓଡିଶା ଗସ୍ତରେ ଆସିବେ ବୋଲି ରାଜ୍ୟ କଂଗ୍ରେସର କାର୍ଯକାରୀ ସଭାପତି ନବ ଦାସ ସୂଚନା ଦେଇଛନ୍ତି । ଏହି ଗସ୍ତ କାଳରେ ରହୁଲ କଂଗ୍ରେସ ସୁପ୍ତ ହୋଇପଡି ରହିଥିବା କଂଗ୍ରେସ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବା ସହିତ ଆଗାମୀ ନିର୍ବାଚନରେ ଦଳର ସ୍ଥିତି କଣ ରହିବ ତାହା ପରଖିବେ । ଏପରିକି ଆଗାମୀ ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଯାହା ଆବଶ୍ୟକ ପଡିବ ତାହା କରିବାକୁ ରାଜ୍ୟର ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେବେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି ।

ଦୁଇମାସ ତଳେ ରାହୁଲ ରାଜ୍ୟ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ କରିବା ସହିତ ବିଭିନ୍ନ କମିଟି ଗଠନ କରି ସଂଗଠନ ଦାୟିତ୍ବ ନ୍ୟସ୍ତ କରିଛନ୍ତି । ଏହି ସମୟ ମଧ୍ୟରେ ରାଜ୍ୟ କଂଗ୍ରେସର ନେତା ତଥା ବିଭିନ୍ନ କମିଟିରେ ଥିବା ପଦାଧିକାରୀମାନେ କି କି କାମ କରିଛନ୍ତି ତାର ହିସାବ ନେବେ ବୋଲି ମଧ୍ୟ ଜଣାପଡିଛି । ଏପରିକି ଆଗାମୀ ଦିନରେ କଂଗ୍ରେସ ଓଡିଶାରେ କାହା ସହିତ ନିର୍ବାଚନୀ ମେଣ୍ଟ କରିବ ତାହା ରାହୁଲ ଗାନ୍ଧୀ ତାଙ୍କ ଏହି ଗସ୍ତ କାଳରେ ଅନୁଧ୍ୟାନ କରି ସେହି ଅନୁସାରେ ପଦକ୍ଷେପ ନେବେ ବୋଲି କଂଗ୍ରେସ ମହଲରୁ ଶୁଣାଯାଉଛି ।

ଓଡିଶା ପ୍ରତି ଉଭୟ ଜାତୀୟ ଦଳ କଂଗ୍ରେସ ଓ ବିଜେପିର ରଣନୀତିକୁ ଦେଖି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୟକୁ ଅପେକ୍ଷା ନକରି ନିର୍ବାଚନ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଆଗାମୀ ନିର୍ବାଚନରେ ପୂର୍ବ ସଫଳତାକୁ ଦୋହରାଇବା ଲାଗି ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଥିବା ବିକାଶମୂଳକ କାମକୁ ଉଦଘାଟନ କରିବା ସହିତ ଲୋକମାନଙ୍କ ସହିତ ମିଶି ଅଘୋଷିତ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇସାରିଲେଣି । ଏପରିକି ରାଜ୍ୟର ପ୍ରତ୍ୟେକ ପଞ୍ଚାୟତର ମତଦାତାମାନଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିବା ପାଇଁ ମୋ ଗାଁ ଯୋଜନାରେ ଅନେକ ଉନ୍ନୟନମୂଳକ କାମ ପାଇଁ ଅର୍ଥ ଭଣ୍ଡାରକୁ ଖୋଲି ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

7 + nine =