‘ମୋ ସ୍କୁଲ୍ ଅଭିଯାନ’ରେ ଯୁକ୍ତ ୨ କଲେଜ

– ୧୭୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ
– ‘ମୋ ସ୍କୁଲ୍’ ପକ୍ଷରୁ ଗଣିତ, ବିଜ୍ଞାନ ଶିକ୍ଷକଙ୍କ ପାଇଁ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ
– ୩୧ ହଜାର ସ୍କୁଲ୍ରେ ‘ମୋ ସ୍କୁଲ୍’ ପ୍ରକଳ୍ପ
– ଅନୁଗୁଳର ସବୁ ହାଇସ୍କୁଲରେ ପହଞ୍ଚିଲା ‘ମୋ ସ୍କୁଲ୍ ଅଭିଯାନ’
– ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜନ ହେବ ‘ସମର କ୍ୟାମ୍ପ୍’
ଭୁବନେଶ୍ୱର () ‘ମୋ ସ୍କୁଲ୍ ଅଭିଯାନ’ର ୨୩ତମ କାର‌୍ୟ୍ୟକାରୀ ପରିଷଦ ବୈଠକ ଇ୍ଳଲ୍ୱ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶାର ୨୮ଟି ଜିଲ୍ଲାର ମୋଟ ୧୭୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୪୬ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୯ କୋଟି ୬୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ୱରରେ ୨.୭୬ କୋଟି, କଳାହାଣ୍ଡିରେ ୮୨ ଲକ୍ଷ, କଟକରେ ୬୪ ଲକ୍ଷ, ଅନୁଗୁଳରେ ୬୧ ଲକ୍ଷ ଏବଂ ବରଗଡ଼ରେ ୫୮ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ଏହାସହ ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ମୋଟ ୪୮.୮ କୋଟି ଟଙ୍କାର ଅନୁଦାନ ଆସିଛି । ସମସ୍ତ ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୭୫ କୋଟି ଟଙ୍କାର ପ୍ରକଳ୍ପକୁ କାର‌୍ୟ୍ୟକାରୀ ପରିଷଦ ଅନୁମୋଦନ ପ୍ରଦାନ କରିଛି ।

ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୬୦ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାର ୩୧ ହଜାର ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛି । କରୋନା ସତ୍ତ୍ୱେ ଚଳିତ ଆର୍ଥିକବର୍ଷ ମାର୍ଚ୍ଚ ସୁଦ୍ଧା ପୁରାତନ ଛାତ୍ରଛାତ୍ରୀମାନେ ୫୦.୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ‘ମୋ ସ୍କୁଲ୍ ଅଭିଯାନ’ ପ୍ରଥମଥର ପାଇଁ କୌଣସି ଜିଲ୍ଲାର ସମସ୍ତ ହାଇସ୍କୁଲ୍ରେ ପହଞ୍ଚିପାରିଛି । ଅନୁଗୁଳ ଜିଲ୍ଲାର ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟ ସହ ପୁରାତନ ଛାତ୍ରମାନେ ଯୋଡ଼ି ହୋଇଥିବା ବେଳେ ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ।

ରାଜ୍ୟରେ ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ୨ କଲେଜଗୁଡ଼ିକ ଯୁକ୍ତ ୩ ଡିଗ୍ରୀ କଲେଜ ବା ମହାବିଦ୍ୟାଳୟ ସହ ଗୋଟିଏ କ୍ୟାମ୍ପସରେ ନ ଥାଇ ଭିନ୍ନଭାବେ ରହିଥିବ ସେଗୁଡ଼ିକୁ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ କରିବାକୁ କାର‌୍ୟ୍ୟକାରୀ ପରିଷଦ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

‘ମୋ ସ୍କୁଲ୍ ଅଭଯାନ’ ପ୍ରଥମଥର ପାଇଁ ‘ଅଗସ୍ତ୍ୟ ଫାଉଣ୍ଡେଶନ’ ଏବଂ ‘ଇନ୍ଫୋସିସ୍ ଫାଉଣ୍ଡେସନ’ ସହ ମିଳିତଭାବେ ୭୫୦ ହାଇସ୍କୁଲ୍ର ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କ ପାଇଁ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ଗଣିତ ଓ ବିଜ୍ଞାନ ଶିକ୍ଷକଙ୍କ ଦକ୍ଷତା ବିକାଶ ସହ ଛାତ୍ରଛାତ୍ରୀଙ୍କ ପାଇଁ କିଭଳି ଗଣିତ ଓ ବିଜ୍ଞାନ ଶିକ୍ଷା ସହଜ କରିହେବ ତାହା ଏହି ପ୍ରଶିକ୍ଷଣ କାର‌୍ୟ୍ୟକ୍ରମର ମୂଳ ଲକ୍ଷ୍ୟ ରହିବ । କୋଭିଡ୍ ପରିସ୍ଥିତିରେ ପିଲାମାନଙ୍କ ପାଠପଢା ଅଭ୍ୟାସ ବିଶେଷଭାବେ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ‘ମୋ ସ୍କୁଲ୍’ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ପାଇଁ ସେମାନଙ୍କ ଘରେ ଏବଂ ଗ୍ରାମରେ ‘ସମର୍ କ୍ୟାମ୍ପ୍’ ବା ଗ୍ରୀଷ୍ମକାଳୀନ ଶିବିର ଆୟୋଜନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରାତନ ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଏହି କାର‌୍ୟ୍ୟକ୍ରମ କରାଯିବାର ଲକ୍ଷ୍ୟ ରହିଛି ।

‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ପୁରାତନ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ପ୍ରଦାନ କରାଯାଉଛି । ମାର୍ଚ୍ଚ ୨୪ ତାରିଖ ସୁଦ୍ଧା ବିଭିନ୍ନ ଜିଲ୍ଲାର ୩୧୮୦ଜଣ ପୁରାତନ ଛାତ୍ରଙ୍କୁ ଏହି ଧନ୍ୟବାଦ ପତ୍ର ପ୍ରଦାନ କରାଯାଇଥିବା ବେଳେ ଆସନ୍ତା ଏପ୍ରିଲ ୨୫ ସୁଦ୍ଧା ଜିଲ୍ଲା, ବ୍ଲକ୍ ଓ ସ୍କୁଲ୍ ସ୍ତରରେ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମର ଆୟୋଜନ କରାଯାଇ ମୋ ସ୍କୁଲ୍ ଅଭିଯାନରେ ସାମିଲ ୪ଲକ୍ଷ ୬୦ ହଜାର ପୁରାତନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ପ୍ରଦାନ କରାଯିବ ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ସ୍କୁଲ୍ ଆଡପ୍ଶନ୍ ବା ପୋଷ୍ୟ ବିଦ୍ୟାଳୟ କାର‌୍ୟ୍ୟକ୍ରମ ପ୍ରତି ପୁରାତନ ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅପ୍ରତ୍ୟାଶିତ ଆଗ୍ରହ ପ୍ରକାଶ ପାଇଛି । ବିଭିନ୍ନ ବର୍ଗର ଲୋକ ଏହି କାର‌୍ୟ୍ୟକ୍ରମ ସହ ଯୋଡ଼ି ହୋଇଥିବା ବେଳେ ‘ମୋ ସ୍କୁଲ୍’ ପକ୍ଷରୁ ପର‌୍ୟ୍ୟାୟକ୍ରମେ ପୋଷ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୧୩୮ଜଣ ବ୍ୟକ୍ତିବିଶେଷ ୧୩୨୪ ବିଦ୍ୟାଳୟକୁ ପୋଷ୍ୟଭାବେ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ୩୦୦ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନେଇ ମୋ ସ୍କୁଲ୍ ଟିମ୍ ଭର୍ଚୁଆଲ୍ ବୈଠକ ଆୟୋଜନ କରିଛି ।

Share

Leave a Reply

Your email address will not be published. Required fields are marked *

18 − twelve =