ସରକାରୀ ଅଫିସରେ ପ୍ଲାଷ୍ଟିକ ନିଷିଦ୍ଧ

ହୁବନେଶ୍ୱର () ଏଣିକି ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେବନି ଏକକ ବ୍ୟବହୃତ ପ୍ଲାଷ୍ଟିକ । ଏନେଇ ସାଧାରଣ ପ୍ରଶାସନ ବିଭାଗ ଜାରି କରିଛି ନିର୍ଦ୍ଦେଶନାମା । ସାଧାରଣ ପ୍ରଶାସନ ଓ ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା ସବୁ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ।

ସେ କହିଛନ୍ତି ଯେ ସରକାରୀ ଦପ୍ତର ପରିସରରେ ପ୍ଲାଷ୍ଟିକ ପାଣିବୋତଲ, ପ୍ଲାଷ୍ଟିକ କପ୍‍ ବ୍ୟବହାର ହେବନାହିଁ । ଏପରିକି କୌଣସି ସରକାରୀ ବୈଠକରେ ଏଭଳି ସାମଗ୍ରୀ ବ୍ୟବହାର ନକରିବା ଲାଗି କୁହାଯାଇଛି ।ବିଭିନ୍ନ ଦପ୍ତରରେ ପାନୀୟଜଳ ପାଇଁ ୱାଟର ପିଉରିଫାଏର ଲଗାଯାଇଥିବାରୁ କର୍ମଚାରୀମାନେ ଏଠାରୁ ସେମାନେ ବ୍ୟବହାର କରୁଥିବା ଷ୍ଟେନଲେସ ଷ୍ଟିଲ୍‍ କିମ୍ବା କାଚ ବୋତଲରେ ପିଇବାପାଣି ସଂଗ୍ରହ କରିପାରିବେ । ସରକାରୀ ବୈଠକରେ ଏହି ନୀତିକୁ ଗ୍ରହଣ କରାଯିବା ସହିତ ସେଠାରେ କାଚ ବୋତଲରେ ପାଣି ଓ କାଗଜ ପ୍ଲେଟରେ ଖାଦ୍ୟ ସାମଗ୍ରୀ ପରଷିବାକୁ କୁହାଯାଇଛି ।

ଏଥିରେ ସେ ନିର୍ଦ୍ଦିଷ୍ଟଭାବେ ଦର୍ଶାଇଛନ୍ତି ଯେ ଦପ୍ତରର ଦୈନନ୍ଦିନ କାର୍ଯ୍ୟରେ ଆଉ ପ୍ଲାଷ୍ଟିକ ଫୋଲ୍ଡର କିମ୍ବା ଫ୍ଲେକ୍ସ ବ୍ୟାନର ବ୍ୟବହାର କରାଯାଇ ପାରିବନାହିଁ । ଏପରିକି ସରକାରୀ ବୈଠକ ଓ ବିଭିନ୍ନ କାର୍ଯ୍ୟକ୍ରମରେ ବି ଏହା ଲାଗିବନାହିଁ । ଏଥିପାଇଁ ବିଭାଗ ଗୁଡିକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଗୃହ ସଚିବ କହିଛନ୍ତି ।

ପ୍ରତି ବିଭାଗରେ କର୍ମଚାରୀମାନଙ୍କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ସଂକ୍ରାନ୍ତରେ ସଚେତନ କରିବା ସହିତ ସେମାନେ ଯେଭଳି ଏହା ବ୍ୟବହାର ନକରିବେ ସେ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ଚୋପ୍ରା କହିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସମଗ୍ର ଦେଶରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୁଦ୍ଧରେ ଅଭିଯାନ ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାର ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଉଛନ୍ତି ।

ଏଥିପାଇଁ ବିଦ୍ୟାଳୟ ଠାରୁ ଆରମ୍ଭକରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଥିବାବେଳେ ଗାନ୍ଧୀଜୟନ୍ତୀରେ ମଧ୍ୟ ଗଣଦୌଡର ଆୟୋଜନ କରାଯାଇଛି । ସହରାଞ୍ଚଳ ଗୁଡିକରେ ବ୍ୟାପକ ଭାବେ ଏକକ ପ୍ଲାଷ୍ଟିକ ବର୍ଜ୍ୟକୁ ସଂଗ୍ରହ କରାଯାଉଥିବାବେଳେ ଲୋକେ କିଭଳି ଏହାକୁ ବ୍ୟବହାର ନକରିବେ ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ଚଳାଯାଉଛି ।

Share

Leave a Reply

Your email address will not be published. Required fields are marked *

three × 3 =