ଫସର ଫାଟିଲା ଫନ୍ଦିଫିକ, ବନ୍ଧା ହେବା ଥୟ!

ଭୁବନେଶ୍ବର () ଦଳିତଙ୍କ ଜମି ହଡପ କରି ଆଇନର ଜାଲରୁ ବଞ୍ଚିବାକୁ ପଣ୍ଡା ଦମ୍ପତ୍ତି କରିଥିଲେ ନାନା ଫନ୍ଦିଫିକର । ହେଲେ ହାଇକୋର୍ଟ ଦେଲେନି ସୁଯୋଗ । ସାରୁଅ ଜମି କେଳେଙ୍କାରୀରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା କରିଥିବା ଏଫଆଇଆରକୁ ରଦ୍ଦ କରିବାକୁ ହାଇକୋର୍ଟରେ କରିଥିଲେ ଆବେଦନ । ହେଲେ ହାଇକୋର୍ଟ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ଆବେଦନକୁ ଅଗ୍ରାହ୍ୟ କରିଦେବା ସହ ସବୁ ଅନ୍ତରିଣ ସୁରକ୍ଷାକୁ ମଧ୍ୟ ହଟେଇ ଦେଇଛନ୍ତି । ଏବେବନ୍ଧା ହେବା ଏକ ପ୍ରକାର ପକ୍କା ବୋଲି ଅନୁମାନ କରୁଛନ୍ତି ଆଇନଜୀବୀ ।

ଏହି ଘଟଣାରେ ଜାଗି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । କିନ୍ତୁ ହାଇକୋର୍ଟରେ ସେ ସମ୍ପର୍କରେ କୌଣସି ତଥ୍ୟ ପ୍ରମାଣ ଉପସ୍ଥାପିତ କରିପାରିନଥିଲେ । ଏପରିକି କୋଭିଡ ଚିକିତ୍ସା ସମ୍ପର୍କିତ ଏକ ଭାଇରାଲ ଅଡିଓ କ୍ଲିପକୁ ନେଇ ସରକାର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ କରି ମାମଲା ଖାରଜର ଆବଦେନ କରିଥିଲେ । କିନ୍ତୁ ସେ ନେଇ ପ୍ରମାଣ ନଥିଲା । ଏପରିକି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏହି ମାମଲାର ତଦନ୍ତ କରିବାର କ୍ଷମତା ନାହିଁ ବୋଲି ଯୁକ୍ତି ବାଢିଥିଲେ । କିନ୍ତୁ ଏସଟିଫ ଗଠନର ସମୟର ସରକାରୀ ବିଜ୍ଞପ୍ତି ଅନୁଯାୟୀ ଏହି ସଂସ୍ଥା ଏଭଳି କେଳେଙ୍କାରୀର ତଦନ୍ତ କରିବା ଅଧିକାରଭୁକ୍ତ ବୋଲି କୋର୍ଟ ଦର୍ଶାଇଥିଲେ ।

ସାରୁଅ କେଳେଙ୍କାରୀରେ ମୂଳ ମାମଲା ରଦ୍ଦ କରିବାକୁ ହାଇକୋର୍ଟରେ କରିଥିଲେ ଅପିଲ । ହେଲେ ଏହାକୁ ଶୁକ୍ରବାର ଖାରଜ କରିଦେଇଛନ୍ତି ହାଇକୋର୍ଟ  । ଫଳରେ ଏବେ ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ମାଲିକ ବୈଜୟନ୍ତ ପଣ୍ଡା ଓ ପତ୍ନୀ ଜାଗି ପଣ୍ଡାଙ୍କୁ ଆବଶ୍ୟକ ପଡିଲେ ଗିରଫ କରିବାକୁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଆଉ ଅସୁବିଧା ହେବନି। ଚଞ୍ଚକତା କରି ଦଳିତଙ୍କ ଜମି ହଡପ ଭଳି ସଙ୍ଗିନ ମାମଲା ଲାଗିଛି ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ ବିରୁଦ୍ଧରେ । ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ଏହି ମାମଲାରେ ପୂର୍ବରୁ ଏକାଧିକ ବ୍ୟକ୍ତି ଗିରଫ ହୋଇ ଜେଲ ଯାଇଛନ୍ତି । ଅନେକଙ୍କୁ ଜେରା କରାଯାଉଛି । ଏଭଳି ପରିସ୍ଥିତିରେ ତଦନ୍ତକାରୀ ସଂସ୍ଥା ବା କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଛି ଅନେକ ତଥ୍ୟ । ଏଣୁ ଏଥିରେ ହସ୍ତକ୍ଷେପ କରି ମାମଲାକୁ ରଦ୍ଦ କରିବା କିମ୍ବା ଆଗୁଆ ଜାମିନ ପ୍ରଦାନ ଉଚିତ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଫଳରେ ଜାଗି ଓ ଜୟ ପଣ୍ଡାଙ୍କୁ କୋର୍ଟରୁ ମିଳିଥିବା ଆନ୍ତରୀଣ ସୁରକ୍ଷା ମଧ୍ୟ ରଦ୍ଦ ହୋଇଯାଇଛି । ଏବେ ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ପଣ୍ଡା ଦମ୍ପତ୍ତି । ଏହାକୁ ଏଡାଇବାକୁ ଯାଇ ଉଭୟେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇପାରନ୍ତି ।

ତେବେ ସୁପ୍ରିମକୋର୍ଟ ଏଭଳି ମାମଲାରେ ଆଗୁଆ ଜାମିନ ଆବେଦନକୁ ଗ୍ରହଣ କରିବେ ନାହିଁ ବୋଲି ମତ ରଖିଛନ୍ତି ବରିଷ୍ଠ ଆଇନଜୀବୀ । ଚଞ୍ଚକତା କରି ଦଳିତଙ୍କ ଜମି ହଡପ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୧୦ବର୍ଷ ଜେଲ ଦଣ୍ଡ ବିଧାନ ରହିଛି । ୭ ବର୍ଷରୁ ଅଧିକ ଦଣ୍ଡବିଧାନ ଥିବା କୌଣସି ମାମଲାରେ ସୁପ୍ରିମକୋର୍ଟଙ୍କର ମଧ୍ୟ ଜାମିନ ପ୍ରଦାନ କରିବାର କ୍ଷମତା ନାହିଁ ବୋଲି ଯୁକ୍ତି ବାଢିଛନ୍ତି ଆଇନଜୀବୀ ।

Share

Leave a Reply

Your email address will not be published. Required fields are marked *

four × three =