ଗୋଡାଇଲାଣି ଟେଲିଫୋନ ଟ୍ୟାପିଙ୍ଗ୍ ଭୂତ

ଭୁବନେଶ୍ୱର : ଟେଲିଫୋନ୍ ଟ୍ୟାପିଙ୍ଗକୁ ନେଇ ଦେଶ ଉଠୁଥିବା ପଡୁଥିବାବେଳେ ଏହି ଭୂତ ଏବେ ଓଡିଶାର କିଛି ରାଜନେତା, ଅଫିସର, ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗୋଡାଇଲାଣି । କାଳେ ଏମାନଙ୍କ ଫୋନକୁ କିଏ ଟ୍ୟାପିଙ୍ଗ୍ କରୁଥିବ ସେହି ଭୟରେ ଦୁଇ ଦିନ ହେଲା କିଛି ନେତା ଓ ଗଣମାଧ୍ୟମ ପ୍ରତିନିଧି ଅତି ସତର୍କତାର ସହ କଥା ହେଉଛନ୍ତି । ଆଉ କିଛି ଅଜଣା ନମ୍ବର ଦେଖିଲେ ଆଉ ପୂର୍ବଭଳି ଫୋନ୍ ଉଠାଉ ନାହାନ୍ତି ।

ଇସ୍ରାଏଲ ପ୍ରସ୍ତୁତ ପେଗାସସ ସଫ୍ଟୱେର ଦ୍ୱାରା ଦେଶ ଆଗଧାଡିର ରାଜନେତା, ଗଣମାଧ୍ୟମ ପ୍ରତିନିଧି, ବ୍ୟବସାୟୀ ଓ ବିଶେଷକରି ରାଜନେତାଙ୍କ ଆଖପାଖରେ ରହୁଥିବା ଲୋକଙ୍କ ଟେଲିଫୋନ୍ ଟ୍ୟାପିଙ୍ଗ ଖବର ଆର୍ନ୍ତଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଏହାକୁ ନେଇ ସଂସଦ ଠାରୁ ସଡକ ପର୍ଯ୍ୟନ୍ତ ସବୁଆଡେ ରାଜନୀତି ଗତିଶୀଳ ହୋଇଛି । ଏହି ରାଜନୀତି ଏବେ ରାଜ୍ୟସ୍ତରକୁ ଆସିଲାଣି । କଂଗ୍ରେସ ପ୍ରତି ରାଜ୍ୟରେ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ଅବଗତ କରିବ ବୋଲି ଘୋଷଣା କରିଛି ।

ତେବେ ଟେଲିଫୋନ୍ ଟ୍ୟାପିଙ୍ଗ କାଣ୍ଡ ପଦାକୁ ଆସିବାପରେ ଆମ ରାଜ୍ୟର ଅନେକ ରାଜନେତା, ଗଣମାଧ୍ୟମ ପ୍ରତିନିଧି ଓ ଅଫିସର,ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି । କେନ୍ଦ୍ର ଆଇଟି ମନ୍ତ୍ରୀ ତଥା ଓଡିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କ ଟେଲିଫୋନ୍ ମଧ୍ୟ ଟ୍ୟାପିଙ୍ଗ ତାଲିକାରେ ଥିବା ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଏହି ଛନକା ବହୁଗୁଣିତ ହେବାରେ ଲାଗିଛି । ଯଦିଓ ବର୍ତ୍ତମାନ ସୁଦ୍ଧା ଓଡିଶାରେ ପେଗାସସ ପ୍ରବେଶକୁ ନେଇ କେହି କିଛି କହୁନାହାନ୍ତି କିନ୍ତୁ ନେତା, ସାମ୍ବାଦିକ, ଅଫିସର ଓ ବ୍ୟବସାୟୀମାନେ ଅତି ସତର୍କ ହୋଇ ଉଠିଛନ୍ତି ।

କିଛି ଦିନ ହେଲା ଆମ ରାଜ୍ୟର କିଛି ରାଜନେତା ଓ ଅଫିସର ଏବେ ହ୍ୱାଟସଆପ, ଟେଲିଗ୍ରାମ, କୁ, ସିଗ୍ନାଲ ଆଦି ଆପ୍ ଜରିଆରେ କଥା ହେଉଥିଲେ । ତାହା ପୁଣି ବାରମ୍ବାର ବଦଳାଇ । କାରଣ ଏହିସବୁ ଆପ୍ ଜରିଆରେ କଥା ହେଲେ ତାହାକୁ ରେକର୍ଡିଂ କରିବା କଷ୍ଟକର । ହେଲେ ଏବେ ପେଗାସସ କାଣ୍ଡ ପଦାକୁ ଆସିବାପରେ ଏମାନେ ଅଧିକ ଛାନିଆ ହୋଇଛନ୍ତି । କାଲେ କାହାର ଟେଲିଫୋନକୁ କିଏ ଟ୍ୟାପିଙ୍ଗ କରୁଥିବ ସେହି ଭୟରେ ଦେଖାହେଲେ କଥା ହେବା କହି ଫୋନ୍ କାଟି ଦେଉଛନ୍ତି । ଏପରିକି ଅତି ଆତ୍ମିୟ ଲୋକ ଫୋନ୍ କଲେ ତାହାକୁ ବି ଧରିବାକୁ ଡରୁଛନ୍ତି ।

ଟେଲିଫୋନ୍ ଟ୍ୟାପିଙ୍ଗ ଭୂତ ଓଡିଶାର କିଛି ସାଧାରଣ ଲୋକଙ୍କୁ ବି ଗୋଡାଇଲାଣି । ଯଦିଓ ପେଗାସସ ନୁହେଁ କାଳେ ଅନ୍ୟ କିଛି ଆପ୍ ଦ୍ୱାରା କିଏ ରେକର୍ଡିଂ କରୁଥିବ ସେଥିପାଇଁ ଯୁବ ବର୍ଗ ଏବେ ଆଉ ଘଣ୍ଟା ଘଣ୍ଟା ଗପିବାକୁ ଡରିଲେଣି । ଲୋକେ ଆଉ ପୂର୍ବଭଳି କାହା ସହିତ କଥା ହେବା ବିଶେଷକରି କବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ କାହାକୁ ଫୋନ୍ କଲେ ସେମାନଙ୍କ ସହିତ କଥା ହେବାକୁ ଅନେକ ଡରିଲେଣି । ତେବେ ଓଡିଶାରେ ଏଭଳି ଟ୍ୟାପିଙ୍ଗର କୌଣସି ନାମଗନ୍ଧ ନଥିବାବେଳେ ଜାତୀୟ ସ୍ତରର ଭୟ ଓଡିଶାରେ ପ୍ରବେଶ କରିଛି ବୋଲି ଜଣେ ସୁରକ୍ଷା ଅଧିକାରୀ ମତ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − 8 =