ସଂପ୍ରସାରିତ ହେଲା ବିଜୁ କୃଷକ କଲ୍ୟାଣ ଯୋଜନା

ଭୁବନେଶ୍ବର () ଆଜି ରାଜ୍ୟ କ୍ୟାବିନେଟ ବୈଠକରେ 11ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ମୋଟର ଯାନ ଟିକସ ହ୍ରାସ ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ମଧ୍ୟରେ ସରକାରୀ ଆଇଟି ଟାୱାରରେ ଇନକ୍ୟୁବେସନ ଏବଂ କୋର ସ୍ପେସ ଗୁଡିକରେ ଆଦାୟ କରାଯାଉଥିବା ଭାଡାରେ ରିହାତି ପ୍ରଦାନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଂଜୁରୀ ଦେଇଛି । ପ୍ରଥମ ପର୍ଯ୍ୟାୟରେ 6ଟି ସରକାରୀ ଆଇଟି ଟାୱାରକୁ ସରକାର ଏଥିପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ 6ଟି ଆଇଟି ଟାୱାର ଯଥା – ଓକାକ୍ ଟାୱାର, ଫରଚ୍ୟୁନ ଟାୱାର, ଇଡକୋ ଟାୱାର, ଟାୱାର 2000 ମଞ୍ଚେଶ୍ବର ଏବଂ ଗୋଠପାଟଣାରେ ଥିବା ଏସଟିପିଆଇ ଟାୱାରକୁ ସ୍ବୀକୃତି ଦିଆଯାଇଛି । ସରକାର ଏହି ଆଇଟି ଟାୱାର ଗୁଡିକରେ ଥିବା ଇନକ୍ୟୁବେସନ ଏବଂ କୋର ସ୍ପେସର ଭଡା ବର୍ଗଫୁଟ ପ୍ରତି 55 ଟଙ୍କାରୁ 20 ଟଙ୍କାକୁ କମାଇଛନ୍ତି । ଏହିସବୁ ଟାୱାରରେ କାର୍ଯ୍ୟ କରୁଥିବା ଆଇଟି କମ୍ପାନୀମାନେ ଭଡା ରିହାତି ପାଇବାକୁ ଯୋଗ୍ୟ ବିବେଚିତ ହେବେ । କିନ୍ତୁ ଏହି ରିହାତି ପାଇବା ପରେ ଏହି କମ୍ପାନୀ ବା ଉଦ୍ୟୋଗୀମାନେ 2014 ଆଇଟି ପଲିସିରେ ପାଇବାକୁ ଥିବା ପ୍ରୋତ୍ସାହନ ପାଇବେ ନାହିଁ  । ତେବେ ଏହି ଟାୱାରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ ଆଇଟି କମ୍ପାନୀମାନେ ଆଇଟି ପିଲିସି ଅନୁୟାୟୀ ଅତିରିକ୍ତ ପ୍ରୋତ୍ସାହନ ପାଇପାରିବେ ।

ସେହିଭଳି ରାଜ୍ୟ ସରକାର ବିଜୁ କୃଷକ କଲ୍ୟାଣ ଯୋଜନାର ପରିସୀମା ବୃଦ୍ଧି କରିଛନ୍ତି  । ଏହି ଯୋଜନାରେ ବିଜୁ କୃଷକ କଲ୍ୟାଣ ଯୋଜନା ଓ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାରେ ପଂଜିକୃତ ହେଉଥିବା ଚାଷୀଙ୍କୁ ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯାଉଥିଲା  । ବୁଜ କୃଷକ କଲ୍ୟାଣ ଯୋଜନାରେ ବାର୍ଷିକ 30ହଜାର ଟଙ୍କାର ସ୍ବାସ୍ଥ୍ୟ ବୀମା ସହ ନିର୍ଦ୍ଧିଷ୍ଟ ଅସ୍ତ୍ରୋପଚର ପାଇଁ ଅଧିକ 70 ହଜାର ଟଙ୍କାର ସ୍ବାସ୍ଥ୍ୟ ବୀମା ଦିଆଯାଉଛି । ସେହିଭଳି ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାରେ 70 ହଜାର ଟଙ୍କାର ସ୍ବାସ୍ଥ୍ୟ ବୀମା ଦିଆଯାଉଛି । ଏହି ଦୁଇଟି ଯୋଜନାରେ ମୋଟ 57 ଲକ୍ଷ 64 ହଜାର 359 ଜଣ ଚାଷୀ ପରିବାରକୁ ପଂଜିକୃତ କରାଯାଇଛି ।

ଆଜିର କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଓ ବିଜୁ କୃଷକ କଲ୍ୟାଣ ଯୋଜନାରେ ସମସ୍ତ ପଂଜିକୃତ ଚାଷୀ ପରିବାରକୁ ଏଣିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ 1 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ସହ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ ଅତିରିକ୍ତ 4 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଯୋଗାଇ ଦିଆଯିବ  । ଏଥିସହିତ ବିଜୁ କୃଷକ କଲ୍ୟାଣ ଯୋଜନାରେ ପଂଜିକୃତ ହୋଇପାରିନଥିବା 12ଲକ୍ଷ 9 ହଜାର 167 ଜଣ ଚାଷୀ ପରିବାରକୁ ବିଜୁ କୃଷକ କଲ୍ୟାଣ ଯୋଜନାରେ ପଂଜିକୃତ କରାଯିବ ।

Share

Leave a Reply

Your email address will not be published. Required fields are marked *

thirteen − 2 =