ଜୁନରେ ବିମାନ ଉଡ଼ାରେ ଉଡେଇଛନ୍ତି ୨.୭୮ କୋଟି

ଭୁବନେଶ୍ବର() ଲକ୍‌ଡାଉନ୍‌ ବେଳେ ପାଠକ ଫ୍ୟାମିଲିଙ୍କ ଚାର୍ଟର ଫ୍ଲାଇଟ୍‌ରେ ଆକାଶରେ ଉଡି଼ବା ଘଟଣା ଏବେ ବେଶ୍‌ ଚର୍ଚ୍ଚାରେ । ଏହି ବିମାନ ଉଡ଼ାରେ ପାଠକ ଫ୍ୟାମିଲି ମୋଟ ୨.୭୮ କୋଟି ଟଙ୍କା ଉଡ଼ାଇଛନ୍ତି । ଖାଲି ସେତିକି ନୁହେଁ, ଟ୍ରାଭେଲ୍‌ ଏଜେନ୍ସି ‘ସ୍କାଏ କିଙ୍ଗ୍‌’କୁ ପ୍ରାୟ ୬୫ ଲକ୍ଷ ଟଙ୍କାର ଚୂନ ବି ଲଗାଇଛନ୍ତି । ବକେୟା ଟଙ୍କା ମାଗିବାରୁ ଓଲଟି ପଦବିର ପାୱାର ଦେଖାଇ ଟ୍ରାଭେଲ୍‌ ଏଜେଣ୍ଟ କର୍ତ୍ତୃପକ୍ଷଙ୍କୁ ଧମକାଇଛନ୍ତି । ଏନେଇ ଖାରବେଳନଗର ଥାନାରେ ଏକ ଅଭିଯୋଗ ହୋଇଛି ।

ପୋଖରୀପୁଟର ଅନନ୍ତ ବିହାର ଅଞ୍ଚଳରେ ରହୁଥିବା ପ୍ରଭାସ କୁମାର ଚୌଧୁରୀ ହେଉଛନ୍ତି ସ୍କାଏ କିଙ୍ଗର ମ୍ୟାନେଜିଂ ପାର୍ଟନର । ସେ ମଙ୍ଗଳବାର ସନ୍ଧ୍ୟାରେ ଥାନାକୁ ଯାଇ ଉଭୟ ବାପା-ପୁଅଙ୍କ ନାଁରେ ଅଭିଯୋଗ କରିଛନ୍ତି । ସେ ଏତଲା କପିରେ ଦର୍ଶାଇଛନ୍ତି ଯେ, ଗତ ଜୁନ୍‌ ମାସରେ ଆକାଶ ତାଙ୍କ ସଂସ୍ଥା ସହ ଯୋଗାଯୋଗ କରିଥିଲେ । ନିଜକୁ ଟାଟା ମୋର୍ଟସର ଏମ୍‌ଡି ବୋଲି କହି ‘ବିଜ୍‌ନେସ୍‌ ଟୁର୍‌’ରେ ଦିଲ୍ଲୀ, ମୁମ୍ବାଇ ଓ ପୁନେ ଯିବାକୁ ଯୋଜନା କରିଥିଲେ । ଏଥିପାଇଁ ପ୍ରାଇଭେଟ୍‌ ଚାର୍ଟର ପ୍ଲେନ୍‌ ଭଡାସୂତ୍ରରେ ଅର୍ଡର କରିଥିଲେ । ପାଠକ ପ୍ୟାମିଲି ଜୁନ୍‌ ମାସଠୁ ଲଗାତାର ୧୦ ଥରରୁ ଅଧିକ ‘ସ୍କାଏ କିଙ୍ଗ’ ଜରିଆରେ ଦିଲ୍ଲୀ ମୁମ୍ବାଇ ବୁଲିଥିଲେ । ବିମାନଯାତ୍ରାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାରର ସଦସ୍ୟ ବି ସାମିଲ୍‌ ଥିଲେ ।

ବିମାନ ଯାତ୍ରା ଭଡ଼ା ବାବଦରେ ମୋଟ ୨ କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କା ବିଲ୍‌ ଆସିଥିଲା । କିନ୍ତୁ ପାଠକ ଫ୍ୟାମିଲି ଏଥିରୁ ମାତ୍ର ୨ କୋଟି ୧୩ ଲକ୍ଷ ୨୨ ହଜାର ୮୫୪ ଟଙ୍କା ଟ୍ରାଭେଲ୍‌ ଏଜେନ୍ସିକୁ ଦେଇଥିଲେ । ବଳକା ୬୫ ଲକ୍ଷ ୧୬ ହଜାର ୨୩୩ ଟଙ୍କା ଦେବାକୁ ରୋକ୍‌ଠୋକ୍‌ ମନା କରିଥିଲେ । ଏହାପରେ ପାଠକ ପରିବାରକୁ ବିମାନ ଉଡ଼ା ଦେବା ବନ୍ଦ କରିବାକୁ ଟ୍ରାଭେଲ୍‌ ଏଜେନ୍ସି ନିଷ୍ପତ୍ତି ନେଇଥିଲେ । ଏହା ବିମାନରେ ବୁଲିବା ସଉକ ପାଲଟିଥିବା ପାଠକ ପ୍ୟାମିଲିକୁ ବାଧିଥିଲା । ପଲିଟିକାଲ୍‌ ପାୱାର ଦେଖାଇ ଏଜେନ୍ସି କର୍ମଚାରୀଙ୍କୁ ବାପା-ପୁଅ ଧମକ ଚମକ ଦେଇଥିଲେ ।

ଅଭିଯୋଗ ପରେ ପୁଲିସ କେସ୍‌ ନମ୍ବର ୨୯୩/୨୦ରେ ଏକ ମାମଲା ରୁଜୁ କରିଛି । ଅଭୟକାନ୍ତ ଓ ଆକାଶଙ୍କ ବିରୋଧରେ ଆଇପିସି ଧାରାରେ ୪୧୯, ୪୨୦, ୪୬୮, ୪୭୧, ୫୦୬, ୩୪ ଦଫା ଲଗାଇଛି ।

Share

Leave a Reply

Your email address will not be published. Required fields are marked *

3 × five =