ସେପ୍ଟେମ୍ବରରୁ କେନ୍ଦ୍ରାପଡାକୁ ପ୍ୟାସେଂଜର ଟ୍ରେନ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ହରିଦାସପୁର-ପାରାଦୀପ ରେଳ ଲାଇନ ନିର୍ମାଣର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ହରିଦାସପୁରରୁ କେନ୍ଦ୍ରାପଡା ପର୍ଯ୍ୟନ୍ତ ରେଲ ଯୋଗାଯୋଗ କାର୍ଯ୍ୟ ସମ୍ପୁର୍ଣ୍ଣ କରିବାକୁ ନିର୍ଦ୍ଦେସ ଦେଇଛନ୍ତି ।

ହରିଦାସପୁରରୁ କେନ୍ଦ୍ରାପଡା ପର୍ଯ୍ୟନ୍ତ 47 କିଲୋମିଟର ରେଳ ଲାଇନ ନିର୍ମାଣର ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ରେଳ ଲାଇନରେ ପରୀକ୍ଷାମୂଳକ ଭାବେ ଏକ ଟାୱାର କାର ମଧ୍ୟ ସଫଳ ଭାବେ ଚାଲିଛି । ରେଳ ଲାଇନର ସମସ୍ତ ସ୍ଥାନରେ ନିର୍ବଚ୍ଛିନ୍ନ ଭାବେ କାମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡା ବିଦ୍ୟୁତ ସବଷ୍ଟେସନର କାର୍ଯ୍ୟ ମଧ୍ୟ ସେପ୍ଟେମ୍ବର ସୁଦ୍ଧା ସମ୍ପୁର୍ଣ୍ଣ କରିବା ପାଇଁ ଶକ୍ତି ବିଭାଗ ଓ ଓପିଟିସିଏଲକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ରେଳ ଲାଇନ ସମ୍ପୁର୍ଣ୍ଣ ହେବାର ପ୍ରଥମ ଦିନରୁ ହିଁ ବିଦ୍ୟୁତ ଚାଳିତ ଟ୍ରେନଗୁଡିକ ଯାତାୟତ କରିପାରିବ ବୋଲି ସେ କହିଥିଲେ ।

ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ମଧ୍ୟ ଏହି କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ରେଳ ଲାଇନରେ ପାସେଂଜର ଟ୍ରେନ ଯାତାୟତ ପାଇଁ ସମସ୍ତ ଆବଶ୍ୟକୀୟ ପ୍ରାଥମିକ କାର୍ଯ୍ୟ ସମ୍ପୁର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ରେଳ ଲାଇନ ନିର୍ମାଣ ଦ୍ବାରା କେନ୍ଦ୍ରାପଡାବାସୀଙ୍କର ବହୁ ଦିନର ସ୍ବପ୍ନ ପୂରଣ ହୋଇପାରିବ ଏବଂ କେନ୍ଦ୍ରାପଡା ଜିଲ୍ଲାକୁ ପ୍ରଥମ ଥର ପାଇଁ ରେଳ ଯୋଗାଯୋଗ ବ୍ୟବସ୍ଥା ଆରମ୍ଭ ହୋଇପାରିବ ।

ଏହି ବୈଠକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବଂ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

2 × one =