ଶାହା ବୁଝିଲେ, ବିଜେଡି ବିରୁଦ୍ଧରେ ଲଢିବାକୁ ଶକ୍ତି ଦରକାର

ଭୁବନେଶ୍ବର () ୨୦୧୯ରେ ଓଡିଶା ପାଇଁ ବିଜେପି ବଦଳାଇଲା ରଣନୀତି । ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ କରି ନୁହେଁ, ବରଂ ନିଜ ଶକ୍ତି ବୃଦ୍ଧି କଲେ ହିଁ ସରକାର ଗଠନର ଲକ୍ଷ ପୂରଣ ହୋଇପାରିବ । ସରକାର ଗଠନର ସ୍ବପ୍ନ ଆକାଶରୁ ଖସିବନି, ଏଥିପାଇଁ କର୍ମୀଙ୍କୁ ଝାଳ ବୁହାଇବାକୁ ପଡିବ । ସମୁଦ୍ରକୂଳରେ ସାଇକେଲ ଚଲାଇବାକୁ ହେଲେ ଯେମତି ଟ୍ୟୁବରେ ପମ୍ପ ଭରିବାକୁ ହୁଏ, ସେମିତି ବିଜେଡି ବିରୋଧରେ ଲଢିବାକୁ ହେଲେ ନିଜର ଶକ୍ତି ବୃଦ୍ଧି କରିବାକୁ ଗୁରୁମନ୍ତ୍ର ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।

ଗତ ସାଧାରଣ ନିର୍ବାଚନରେ ବିଜେପିର ୧୫ ବିଧାୟକଙ୍କ ମଧ୍ୟରୁ ଉପକୂଳ ଓଡିଶାକୁ ମାତ୍ର ଦୁଇ ଜଣ ପ୍ରତିନିଧିତ୍ୱ କରୁଛନ୍ତି । ତେଣୁ ଉପକୂଳ ଓଡିଶାର ୭୦ଟି ବିଧାନସଭା କ୍ଷେତ୍ର ଉପରେ ଏବେ ବିଜେପିର ଆଖି । ଉପକୂଳରେ ବିଜେପି ଗୋଟିଏ ହେଲେ ସାଂସଦ ଆସନ ଦଖଲ କରିପାରିନଥିବା ବେଳେ ରେମୁଣା ଓ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳିକୁ ବାଦଦେଲେ ଅନ୍ୟ ପ୍ରାୟ ସବୁ ଆସନରେ ବିଜେପି ପ୍ରାର୍ଥୀ ତିନି ନମ୍ବର ସ୍ଥାନରେ ରହିଛନ୍ତି । ତେଣୁ ଓଡିଶାରେ ସରକାର ଗଠନ ସ୍ୱପ୍ନକୁ ସାକାର କରିବାକୁ ହେଲେ କର୍ମୀଙ୍କୁ ଝାଳ ବୁହାଇବାକୁ ପଡିବ ଏବଂ ଟ୍ୟୁବରେ ପମ୍ପ ଦେଇ ସାଇକେଲ ଚକାକୁ ଶକ୍ତିଶାଳୀ କରିବା ଭଳି ବିଜେଡି ସରକାର ବିରୋଧରେ ଲଢିବାକୁ ହେଲେ ସଂଗଠନକୁ ଶକ୍ତିଶାଳୀ କରିବାକୁ ପଡିବ ବୋଲି ୫ଟି ପର୍ଯ୍ୟାୟରେ ହୋଇଥିବା ବୈଠକରେ ଶାହା ସବୁ କର୍ମୀ, ବିସ୍ତାରକ, ପ୍ରଭାରୀ, ପଂଚାୟତ ପ୍ରତିନିଧି ଓ ରାଜ୍ୟ ବିଜେପି ମଙ୍ଗୁଆଳଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

ଶାହାଙ୍କ ପୂର୍ବ ଓଡିଶା ଗସ୍ତ ଏବଂ ଏଥରର ଗସ୍ତ ଭିତରେ ଅନେକ ପରିବର୍ତ୍ତନ ଘଟିଛି । ଏଥର ଶାହା ଆକ୍ରମଣାତ୍ମକ ଢଙ୍ଗରେ ନୁହେଁ, କୌଶଳ କ୍ରମେ ସରକାର ଗଠନର ମନ୍ତ୍ର ଦେଇଛନ୍ତି । ଯେଉଁ ସରକାର ଶ୍ରୀମନ୍ଦିରକୁ ସୁରକ୍ଷା ଦେଇପାରୁନାହାଁନ୍ତି, ସେ ରାଜ୍ୟବାସୀଙ୍କୁ କି ସୁରକ୍ଷା ଦେବେ । ତେଣୁ ବିଜେପି ପାଖରେ ସବୁ ସମ୍ଭାବନା ରହିଛି । କିନ୍ତୁ ଏଥିପାଇଁ ସବୁ ବୁଥକୁ ଶକ୍ତିଶାଳୀ କରିବା ସହ, ଭୋଟ ଯୋଗାଡ କରିବାକୁ ଶାହା ସମସ୍ତଙ୍କୁ ମନ୍ତ୍ର ଦେଇଛନ୍ତି । ସମ୍ପର୍କରୁ ସମର୍ଥନ ଅଭିଯାନକୁ ପ୍ରତ୍ୟେକ ଲୋକଙ୍କୁ ଯୋଡିବାକୁ ଆହ୍ବାନ ଦେଇଛନ୍ତି । ଶକ୍ତି କେନ୍ଦ୍ରର ଅଧ୍ୟକ୍ଷ ଓ ବୁଥ ଅଧ୍ୟକ୍ଷମାନେ ଲୋକଙ୍କ ପାଖରେ ପହଁଚିବାକୁ ଶାହା ଆହ୍ବାନ ଦେଇଛନ୍ତି ।

ଏଥର ଶାହା ତାଙ୍କର ମିଶନ ୧୨୦କୁ ସଫଳ କରିବାକୁ ଚୁପଚାପ ତିଆରି କଲେ ବ୍ଲୁ ପ୍ରିଣ୍ଟ । ଦଳୀୟ କାର୍ଯ୍ୟାଳୟକୁ ଛଡାଗଲାନି ଲୋକାଲ ପୋଲିକ କି ଗଣମାଧ୍ୟମ ପ୍ରତିନିଧୀଙ୍କୁ । ଏପରିକି ପ୍ରଦର୍ଶନୀ ପଡିଆରେ ଆୟୋଜିତ କର୍ମକର୍ତ୍ତା ସମ୍ମିଳନୀକୁ ମଧ୍ୟ ଗଣମାଧ୍ୟମ ଉପରେ ରୋକ ଥିଲା । ପ୍ରଭାରୀ, ବିସ୍ତାରକ, ପଂଚାୟତ ପ୍ରତିନିଧି, ରାଜ୍ୟ ମଙ୍ଗୁଆଳଙ୍କୁ ଦେଲେ ଗୁରୁମନ୍ତ୍ର । ଓଡିଶାରେ ପରିବର୍ତ୍ତନ ପାଇଁ ମଂଜି ବୁଣିବାର ମନ୍ତ୍ର ଫୁଙ୍କିଲେ ନେତାଙ୍କ କାନରେ । ତିନୋଟି ଟାସ୍କ ଦେଇ ମିଶନ ୧୨୦କୁ ସଫଳ କରିବାକୁ କଲେ ଉତ୍ସାହିତ । ହେଲେ ଶାହାଙ୍କ ମନ୍ତ୍ରକୁ ନେଇ କେହି ମୁହଁ ଖୋଲିବାକୁ ନାରାଜ ।

ଦିନିକିଆ ଓଡିଶା ଗସ୍ତରେ ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ବିମାନ ବନ୍ଦରରୁ ଶାହାଙ୍କୁ ଭବ୍ୟ ସ୍ୱାଗତ କରାଯାଇ ବାଇକ ରାଲିରେ ଅଣାଗଲା ରାଜ୍ୟ ବିଜେପି କାର୍ଯ୍ୟାଳୟକୁ । ପ୍ରଥମେ ୨୧ଟି ଯାକ ଲୋକସଭା ଆସନର ପ୍ରଭାରୀଙ୍କ କାନରେ ମନ୍ତ୍ର ଦେଲେ । ଏହାପରେ ନିଯୁକ୍ତି ଦେଇଥିବା ବିସ୍ତାରକଙ୍କୁ ଗତ ୬ ମାସରେ ଦେଇଥିବା ଟାସ୍କର ହିସାବ ମାଗିଲେ । ଦିନ ୨ଟା ପର୍ଯ୍ୟନ୍ତ ଚାଲିଲା ହିସାବ କିତାବ । ଓଡିଶାରେ ମିଶନ ୧୨୦କୁ ସଫଳ କରିବା ପାଇଁ ନେତାଙ୍କୁ ଟ୍ୟୁସନ କରିବା ସହ ବୁଥ ସ୍ତରରେ ସବୁ କର୍ମୀ ଖେଳିଯିବାକୁ ଆହ୍ୱାନ ଦେଲେ । ହେଲେ ଶାହାଙ୍କ ଗୁପ୍ତ ମନ୍ତ୍ରଣା ନେଇ ନେତାଏ କିଛି କହିବାକୁ ନାରାଜ ।

ଅପରାହ୍ନରେ ପ୍ରଦର୍ଶନୀ ପଡିଆରେ କର୍ମକର୍ତ୍ତା ସମ୍ମିଳନୀରେ ଶାହା ଉଦବୋଧନ ଦେଲେ । ୩ଟି ଲୋକସଭା ଓ ୨୧ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ଆସିଥିବା ୨ଜଣ ଲେଖାଏଁ ପଂଚାୟତ ପ୍ରତିନଧି, ୩ଜଣ ଜୋନ ପ୍ରତିନିଧି ଓ ୪ଜଣ ଲେଖାଏଁ ଜିଲ୍ଲା ପ୍ରତିନିଧିଙ୍କୁ ମିଶାଇ ପାଖାପାଖି ୩ହଜାର କର୍ମୀଙ୍କୁ ଶାହା ଉଦବୋଧନ ଦେଲେ । ଶାହା ତାଙ୍କ ଉଦବୋଧନରେ କହିଲେ ଯେ, ପଶ୍ଚିମବଙ୍ଗ ଓ ଓଡିଶାରେ ଆଗାମୀ ଦିନରେ ବିଜେପି ସରକାର ଗଠନ କରିବ । ୨୧ ହଜାର କମିଟି ଗଠନ ହୋଇସାରିଛି । ତେଣୁ ଦଳ ନିଶ୍ଚିତ ଭାବେ ସରକାର ଗଢିବ ବୋଲି ସେ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 − five =