କଳିଆ ପାଣ୍ଠିକୁ ନେଇ ଅପପ୍ରଚାର କରୁଛନ୍ତି ବିରୋଧୀ

ଜରୁରୀ ପାଣ୍ଠି ଖର୍ଚ୍ଚର ହିସାବ ଦେଲା ବିଜେଡି 

ଭୁବନେଶ୍ୱର () ରାଜ୍ୟ ସରକାର ଆଣିଥିବା ଜନହିତକାରୀ ଯୋଜନାଗୁଡିକ ଭଳି କାଳିଆ ମଧ୍ୟ ବେଶ୍ ଫଳପ୍ରଦ ହେବ ଏବଂ ଏହାଦ୍ୱାରା ରାଜ୍ୟ ଅର୍ଥନୀତି ପଛେଇବ ନାହିଁ କିମ୍ବା ରାଜ୍ୟବାସୀଙ୍କ ମୁଣ୍ଡ ପିଛା ଋଣ ବଢ଼ିବ ନାହିଁ । ଆଜି ‘କାଳିଆ’ ଯୋଜନାର ଲୋକପ୍ରିୟତା କେବଳ ଓଡ଼ିଶା ମଧ୍ୟରେ ସୀମିତ ନାହିଁ, ବରଂ ଦେଶବ୍ୟାପୀ ଏହାକୁ ନେଇ ଚର୍ଚ୍ଚା ହେଉଛି । ଏମିତି କି କେନ୍ଦ୍ର ସରକାର ମଧ୍ୟ ଏହି ଯୋଜନା ପ୍ରତି ଆକର୍ଷିତ ହୋଇ ଏଭଳି ଅନୁରୂପ ଏକ ଯୋଜନା ଆଣି ଦେଶର ଚାଷୀମାନଙ୍କୁ ବିପଦରୁ ଉଦ୍ଧାର କରିବା ପାଇଁ ବିଚାର କରୁଥିବା ଜଣାଯାଏ । ସଂପ୍ରତି ଅଧିକାଂଶ ରାଜ୍ୟର ସରକାର ଚାଷୀମାନଙ୍କ ଉପରେ ବାକି ଥିବା ଋଣକୁ ଛାଡ଼ କରିବା ପାଇଁ ପଛାଉ ନାହାନ୍ତି । ଉଦାହରଣ ଭାବେ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ରାଜ୍ୟକୁ ନିଆଯାଇପାରେ । କିନ୍ତୁ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ବିଭିନ୍ନ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିବା ପରେ ‘କାଳିଆ’ ଭଳି ଏକ ଅନନ୍ୟ ଯୋଜନା ହାତକୁ ନେଇଛନ୍ତି । ଏହାଦ୍ୱାରା ରାଜ୍ୟ ଚାଷୀମାନଙ୍କର ବିକାଶ ହେବା ସହ ରାଜ୍ୟ ଅର୍ଥନୀତିକୁ ମଧ୍ୟ ସେମାନଙ୍କ ଅବଦାନ ବଢ଼ିବ ବୋଲି ଆଶା କରାଯାଉଛି ।ଚାଷୀମାନଙ୍କ ସମସ୍ୟାର ପ୍ରତିକାର ପାଇଁ ଏହା ଅତ୍ୟନ୍ତ ଜରୁରୀ ହୋଇପଡିଥିଲା ଏବଂ ସରକାର ଏହି ପଦକ୍ଷେପକୁ ଉଚିତ୍ ମଣୁଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଅରୂପ ପଟନାୟକ ଓ ମାନସ ମଙ୍ଗରାଜ କହିଛନ୍ତି ।

ସରକାର ଜରୁରୀକାଳୀନ ପାଣ୍ଠିର ଦୁରୁପଯୋଗ କରିଛନ୍ତି ବୋଲି ବିରୋଧୀ ଦଳଗୁଡିକ ଯେଉଁଭଳି ଭାବେ ଅଭିଯୋଗ କରୁଛନ୍ତି, ତାହା ଆଦୌ ଯୁକ୍ତିଯୁକ୍ତ ନୁହେଁ । ଜରୁରୀକାଳୀନ ସମୟରେ ଏହି ପାଣ୍ଠି ବ୍ୟବହାର କରାଯିବା ଉଚିତ୍ ଥିଲା ଏବଂ ସରକାର ତାହା ହିଁ କରିଛନ୍ତି । ଅନ୍ୟପକ୍ଷରେ ସରକାର ମନମୁଖି ଭାବେ ଏଭଳି ଆଦୌ କରିନାହାନ୍ତି, ବରଂ ଆଇନ୍ର କ୍ଷେତ୍ରାଧିକାରରେ ରହି ଏହି ବଳିଷ୍ଠ ପଦକ୍ଷେପ ନେଇଛନ୍ତି ।

ଅତୀତର ଘଟଣାବଳିକୁ ନଜର ପକାଇବା, ତା’ହେଲେ ବର୍ତ୍ତମାନ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପର ଯଥାର୍ଥତାକୁ ବିଚାର କରିପାରିବା । ପୂର୍ବ ତଥ୍ୟକୁ ଅବଲୋକନ କଲେ ଜଣାଯାଏ, ୧୯୯୫-୯୬ରେ ଓସିଏଫ୍‍ ଅର୍ଥ ଅନେକ କ୍ଷେତ୍ରରେ ବିନିଯୋଗ ହୋଇଛି । ତନ୍ମଧ୍ୟରୁ ନ୍ୟାସନାଲ୍‍ ୱାଟରସେଡ୍‍ ଡେଭଲପ୍‍ମେଣ୍ଟ ପ୍ରୋଗ୍ରାମ ଫର୍‍ ରେନ୍‍ ଫେଡ୍‍ ଏରିଆ (ଏନ୍‍ଡବ୍ଲୁ୍ୟଡିପିଆର୍‍ଏ) ପାଇଁ ୧୦.୪୩ କୋଟି ଟଙ୍କା, ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ପାଇଁ ୧୧.୩୪ କୋଟି ଟଙ୍କା, ସମବାୟ ଋଣ ରିପେମେଣ୍ଟ ପାଇଁ ୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହାବାଦ୍‍ ଏହି ଅବଧିରେ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ଛୋଟବଡ଼ ସହାୟତା ଯୋଗାଇ ଦିଆଯାଇଛି ।
ସେହିଭଳି ୧୯୯୬-୯୭ରେ ୪୦୦ କେଭି ଲାଇନ୍‍ ରେଙ୍ଗାଳି କୋଲାଘାଟ ଟ୍ରାନ୍ସମିଶନ ଲାଇନ୍‍ ନିର୍ମାଣ ଲାଗି ଓସିଏଫ୍‍ରୁ ୨ କୋଟି, ଆସ୍କା ସୁଗାର ଇଣ୍ଡଷ୍ଟ୍ରି ଲିଃର ସଂପ୍ରସାରଣ ଓ ଆଧୁନିକୀକରଣ ଲାଗି ୬.୦୫ କୋଟି ଟଙ୍କା, ୧୯୯୭-୯୮ରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କକୁ ଋଣ ବାବଦରେ ୭.୨୮ କୋଟି, କଳିଙ୍ଗ ନଗର ପ୍ଲଟ ବିକାଶ ସ୍କିମ୍‍ ନିମନ୍ତେ ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ୨ କୋଟି, ଓଏସ୍‍ସିଟିସି କର୍ମଚାରୀଙ୍କୁ କ୍ଷତିପୂରଣ ଭାବେ ୫.୧୫ କୋଟି, ରାଜ୍ୟରେ ବୈଷୟିକ ଶିକ୍ଷା ନିମନ୍ତେ ଆବଶ୍ୟକ ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପରକରଣ ହାସଲ ପାଇଁ ୩ କୋଟି, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ପ୍ରାକ୍‍ ମାଟ୍ରିକ ମେଧାବୃତ୍ତି ପାଇଁ ୧୨.୨୭ କୋଟି ଟଙ୍କା ପ୍ରଦାନ କରାଯାଇଛି ।
୧୯୯୮-୯୯ରେ ଏମ୍‍ଏଲ୍‍ଏ ଲାଡ୍‍ ସ୍କିମ୍‍ ପାଇଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଆବଶ୍ୟକ ଅତିରିକ୍ତ ପାଣ୍ଠି ବାବଦ ୭.୩୫ କୋଟି, ଓଡ଼ିଶା ଫିସ୍‍ ସିଡ୍‍ ଡେଭଲପ୍‍ମେଣ୍ଟ କର୍ପୋରେସନ୍‍ ଲିଃ ଦ୍ୱାରା ହାସଲ କରାଯାଇଥିବା ଋଣର ଏକକାଳୀନ ଥଇଥାନ ପାଇଁ ବ୍ୟାଙ୍କଗୁଡିକୁ ବକେୟା ପ୍ରଦାନରେ ୭.୩୫ କୋଟି ଟଙ୍କା ଏବଂ ଆହୁରି ଅନେକ କ୍ଷେତ୍ରରେ ଛୋଟମୋଟ ପାଣ୍ଠି ଓସିଏଫ୍‍ରୁ ଯୋଗାଇ ଦିଆଯାଇଛି । ଖାଲି ସେତିକି ନୁହେଁ, ୧୯୯୯-୨୦୦୦ରେ ମଧ୍ୟ ଓସିଏଫ୍‍ରୁ ଅନେକ ଦିଗ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି । ଓସ୍‍କାର୍ଡ ବ୍ୟାଙ୍କକୁ ପେମେଣ୍ଟ ବାବଦରେ ୧୯ କୋଟି, ହୁଡ୍‍କୋ ଭୁବନେଶ୍ୱରକୁ ସୁଧ ପ୍ରଦାନ ପାଇଁ ୬.୩୦ କୋଟି, ଏମ୍‍ପି ଲାଡ୍‍ ସ୍କିମ୍‍ ଅନୁସାରେ ପ୍ରତି ନିର୍ବାଚନ ମଣ୍ଡଳୀକୁ ଅତିରିକ୍ତ ୫ଲକ୍ଷ ଟଙ୍କା ଲେଖାଏଁ ଦେବା ପାଇଁ ୭.୩୫ କୋଟି ଟଙ୍କା ଓସିଏଫ୍‍ରୁ ଖର୍ଚ୍ଚ ହୋଇଛି ।
Share

Leave a Reply

Your email address will not be published. Required fields are marked *

three × 3 =