ଚିଲିକାରେ ସି-ପ୍ଲେନ ଉଡାଣ ପ୍ରସ୍ତାବକୁ ବିରୋଧ

ଭୁବନେଶ୍ବର : ଚିଲିକାରେ ସି-ପ୍ଲେନ ଉଡାଣକୁ ବିରୋଧ କରଛନ୍ତି ପୁରୀ ଜିଲ୍ଲାର ଦୁଇ ବରିଷ୍ଠ ନେତା  । ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି ଓ ବ୍ରହ୍ମଗିରି ବିଧାୟକ ସଂଜୟ କୁମାର ଦାସବର୍ମା ଏଭଳି ପ୍ରସ୍ତାବକୁ ବିରୋଧ କରିଛନ୍ତି । ଏହା ଦ୍ବାରା ଚିଲିକାର ଜୈବ ବିବିଧତା ପ୍ରଭାବିତ ହେବ ବୋଲି ଉଭୟ ଅଭିଯୋଗ କରିଛନ୍ତି । ସଂଜୟ କହିଛନ୍ତି ଯେ, ଚିଲିକାରେ ୱାଟର ଏରୋଡ୍ରମ ହେଲେ ମାଛ, ପକ୍ଷୀ ଓ ମତ୍ସ୍ୟଜୀବୀ ପ୍ରଭାବିତ ହେବେ । ପୂର୍ବରୁ ବାଲିହରଚଣ୍ଡୀ ଠାରେ ବନ୍ଦର ପ୍ରକଳ୍ପ ବନ୍ଦ ରହିଥିଲା  । କେନ୍ଦ୍ର ସରକାର ନିଷ୍ପତିର ପୁନଃବିଚାର କରନ୍ତୁ ବୋଲି ସଂଜୟ କହିଛନ୍ତି ।

ସେ କହିଛନ୍ତି ଯେ, ଚିଲିକାରେ 375 ପ୍ରଜାତୀର ମାଛ, 200ରୁ ଅଧିକ ପ୍ରଜାତୀର ପକ୍ଷୀ ଓ 170 ଡଲଫିନ ଅଛନ୍ତି  । ୱାଟର ଏରୋଡ୍ରମ ହେଲେ ଚିଲିକାର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଏହିସବୁ ପକ୍ଷୀ ଓ ମାଛଙ୍କ ବଂଶବୃଦ୍ଧି ପ୍ରଭାବିତ ହେବ । ଚିଲିକା  ସଂପର୍କିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ କେନ୍ଦ୍ର ସରକାର ଏହାର ଜୈବ ବିବିଧତା ଉପରେ ଅନୁଧ୍ୟାନ କରିବା ଉଚିତ ଥିଲା ବୋଲି ସଂଜୟ କହିଛନ୍ତି । ଏ ସଂପର୍କରେ ପୁରୀ ଜିଲ୍ଲାର ଦୁଇ ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟର 3ଟି ରୁଟରେ ସି-ପ୍ଲେନ ଚଳାଇବାକୁ ଯୋଜନା ରହିଛି  । ଏନେଇ ଗତ ଜୁନ 25 ତାରିଖରେ ମୁଖ୍ୟ ଶାସନ ସଚିବଙ୍କୁ ସ୍ପାଇସ ଜେଟ କର୍ତ୍ତୃପକ୍ଷ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଲିକା, ଭିତରକନିକା ଓ ହୀରାକୁଦରୁ ସି-ପ୍ଲେନ ଉଡାଇବାର ଯୋଜନା ରହିଛି । ପର୍ବରୁ ରାଜ୍ୟ ସରକାର ଏନେଇ ଭିତ୍ତିଭୂମୀ ଯୋଗାଇ ଦେବେ ବୋଲି ସହମତି ପ୍ରକାଶ କରିଥିଲେ ।

ତେବେ ୱାଟର ଏରୋଡ୍ରମ ପ୍ରସ୍ତାବକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ପରିବେଶବିତମାନେ ଏନେଇ  ଆପତ୍ତି ଉଠାଇଛନ୍ତି  । ଚିଲିକା ଏକ ରାମସାର ଅଂଚଳ ହୋଇଥିବାବେଳେ ୟୁନେସ୍କୋ ପକ୍ଷରୁ ବିଶ୍ବ ଐତିହ୍ୟସ୍ଥଳୀର ମାନ୍ୟତା ପାଇଁ ପ୍ରୟାସ କରାଯାଉଛି । ସେହିପରି ଏହା ସିଆରଜେଡ଼ ପରିସରଭୁକ୍ତ ଥିବାବେଳେ ପ୍ରକଳ୍ପ ପାଇଁ ସିଆରଜେଡ଼ର ଅନୁମୋଦନ ଆବଶ୍ୟକ । ସେହିପରି ବନ୍ୟପ୍ରାଣୀ ସୁରକ୍ଷା ଆଇନ, ଜଙ୍ଗଲ ସୁରକ୍ଷା ଆଇନ, ଆର୍ଦ୍ରଭୂମି ସୁରକ୍ଷା ଆଇନ ଭଳି ବ୍ୟବସ୍ଥା ରହିଛି  । ଅପରପକ୍ଷରେ ଜଙ୍ଗଲ ଓ ପରିବେଶ ବିଭାଗକୁ ଏନେଇ କେନ୍ଦ୍ର ପକ୍ଷରୁ କୌଣସି ପ୍ରସ୍ତାବ ଆସିନଥିବାବେଳେ ଚିଲିକା ଉନ୍ନୟନ କର୍ତୃପକ୍ଷଙ୍କୁ ମଧ୍ୟ ପ୍ରସ୍ତାବ ଦିଆଯାଇନି  ।

Share

Leave a Reply

Your email address will not be published. Required fields are marked *

1 × one =