ରାଜଭବନ ପେଟ୍ରୋଲ ପମ୍ପ ଦୁର୍ଘଟଣାକୁ ବର୍ଷେ ପୂରିଲା

ଭୁବନେଶ୍ୱର : ରାଜଭବନ ପେଟ୍ରୋଲ ପମ୍ପ ଅଗ୍ନକାଣ୍ଡକୁ ବର୍ଷଟିଏ ପୂରିଗଲା । ହେଲେ ଦୁର୍ଘଟଣାର କାରଣ କିମ୍ବା କାର୍ଯ୍ୟାନୁଷ୍ଠାନ ବିଷୟରେ ରାଜ୍ୟବାସୀ କିମ୍ବା ରାଜଧାନୀବାସୀ କେହି କିଛି ଜାଣିପାରିଲେ ନାହିଁ । ପେଟ୍ରୋଲ ପମ୍ପ ବି ଖୋଲିଲା ନାହିଁ । ସବୁ କିଛି ଲୁଚିଗଲା । ରାଜଧାନୀବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ତେଲ ଟାଙ୍କିକୁ ଖୋଲିବାପାଇଁ ମତପ୍ରକାଶ ପାଉଛି ।

ବର୍ଷକ ତଲେ ଏହି ପେଟ୍ରୋଲ ପମ୍ପରେ ଥିବା ସିଏନ୍‍ଜି ଟାଙ୍କିରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାସ୍ଥଳରୁ ବହୁ ଦୂର ପର୍ଯ୍ୟନ୍ତ ମୃତକଙ୍କ ଶରୀରର ଖଣ୍ଡ ବିଖଣ୍ଡିତ ଅଂଶ ଛିଟିକି ପଡିଥିଲା । ନିକଟରେ ଥିବା ରାଜ୍ୟ ପୁଲିସ୍‍ର ଜଣେ ବରିଷ୍ଠ ଅଧିକାରୀଙ୍କ ବାସଭବନ ସମେତ ଅନ୍ୟାନ୍ୟ ବହୁ ଲୋକଙ୍କ ଘର ଦ୍ୱାରା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ତେଲ ଟାଙ୍କିର ପାଚେରୀ ଭୁଷୁଡିବା ସହିତ ଏହା ଭିତରେ ବି କ୍ଷୟକ୍ଷତି ଘଟିଥିଲା । ତେବେ ଦୁର୍ଘଟଣା ପରେ ପରେ କମିଶନରେଟ ପୁଲିସ୍‍ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ସହିତ ଆହତମାନଙ୍କୁ ଡାକ୍ତରଖାନା ନେଇଥିଲେ । ଜଣେ ଗୁରୁତର ଆହତଙ୍କୁ କଟକ ପଠାଯାଇଥିଲା ।

ସେତେବେଳେ ଏଭଳି ଦୁର୍ଘଟଣା ଦେଶରେ ପ୍ରଥମ ବୋଲି କୁହାଯିବା ସହିତ କମିଶନରେଟ ପୁଲିସ୍‍ ଓ ତୈଳ କମ୍ପାନୀ ପକ୍ଷରୁ ଏହାର ଜୋରଦାର ତଦନ୍ତ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ତଦନ୍ତ ରିପୋର୍ଟ ସଂକ୍ରାନ୍ତରେ କେହି କିଛି ଜାଣିପାରିଲେ ନାହିଁ । ଏହି ପେଟ୍ରୋଲ ପମ୍ପର ମାଲିକାନା ଜଣେ ପୂର୍ବତନ ଆଇଏଏସ୍‍ ଅଫିସରଙ୍କ ନିକଟରେ ଥିଲା । ତେବେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା କି ନାହିଁ ତାହାର ବି ସୂଚନା ମିଳିଲା ନାହିଁ । ତେବେ ସବୁଠାରୁ ବଡ କଥା ହେଉଛି ରାଜଭବନ ପାଚେରୀ କଡରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ପାଇଁ କିଏ ଦାୟୀ ତାହା ବି ସାର୍ବଜନୀନ ହେଲାନାହିଁ ।

ଦୁର୍ଘଟଣାକୁ ଇତି ମଧ୍ୟରେ ବର୍ଷଟିଏ ପୂରିଛି । ବର୍ଷେ ହେଲା ପେଟ୍ରୋଲ ପମ୍ପ ଅଚଳ ହୋଇ ପଡିଛି । ଏହି ସ୍ଥାନରେ ଏବେ କିଛି ଅସ୍ଥାୟୀ ଦୋକାନ ଓ ଠେଲାଗାଡି ବେପାର କଲେଣି । ପେଟ୍ରୋଲ ପର୍ମ୍ପରେ କାର୍ଯ୍ୟରତ କର୍ମଚାରୀମାନେ ଜୀବିକା ହରାଇ ଏବେ ଅନ୍ୟ ପନ୍ଥା ଆପଣେଇଛନ୍ତି । ସେତେବେଳେ ଏହି ଘଟଣାର ତଦନ୍ତ ଦାୟିତ୍ୱ କମିଶନରେଟ ପୁଲିସ୍‍ ଉପରେ ନ୍ୟସ୍ତ କରାଯାଇଥିଲେ ବି ପୁଲିସ୍‍ କିଛି ଖୁଲାସା କଲାନାହିଁ । ତେଣୁ ପେଟ୍ରୋଲ ପମ୍ପ କେବେ ଖୋଲିବ ତାହାର କୌଣସି ନିର୍ଦ୍ଦିଷ୍ଟ ସୂଚନା ବି ନାହିଁ ।

ରାଜଭବନ ପେଟ୍ରୋଲ ପମ୍ପ ଭାବେ ଜଣାଶୁଣା ଏହି ତେଲ ଟାଙ୍କି ଯୋଗୁଁ ନିକଟରେ ଅନ୍ୟ ପେଟ୍ରୋଲ ପମ୍ପ ଉପରେ ଚାପ କମ୍‍ ରହୁଥିଲା । ଏହାକୁ ମଧ୍ୟ ଇଣ୍ଡିଆନ ଅଏଲ ପକ୍ଷରୁ ‘କୋକୋ’ ମାନ୍ୟତା ଦିଆଯାଇଥିଲା । ଏଥି ସହିତ ଏହା ପରିସରରେ ଇଣ୍ଡିଆନ ଅଏଲ ସହଯୋଗରେ ‘ସଫଳ’ କାଉଣ୍ଟର ଥିଲା । ହେଲେ ବର୍ଷେ ହେଲା ସବୁଥିରେ ତାଲା । କ’ଣ ପାଇଁ ଦୁର୍ଘଟଣା ହେଲା, କିଏ ଏଥିପାଇଁ ଦାୟୀ, ମୃତ ଓ ଆହତଙ୍କୁ କେତେ ସହାୟତା ମିଳିଲା, ସେମାନଙ୍କ ସ୍ଥିତି ଏବେ କ’ଣ, କର୍ମଚାରୀମାନେ କୁଆଡେ ଗଲେ ଓ ସର୍ବୋପରି ପେଟ୍ରୋଲ ପମ୍ପ ମାଲିକ ଏ ଦିଗରେ କି ପଦକ୍ଷେପ ନେଲେ ତାହା ସମସ୍ତଙ୍କ ପାଇଁ ଉହ୍ୟ ହୋଇ ରହିଗଲା । ତେଣୁ ସମସ୍ତ ସୂଚନାର ସାର୍ବଜନୀନ ସହିତ ଏହି ପେଟ୍ରୋଲ ପମ୍ପ ଖୋଲିବାକୁ ସାଧାରଣରେ ମତପ୍ରକାଶ ପାଉଛି ।

Share

Leave a Reply

Your email address will not be published. Required fields are marked *

3 × three =