ଓଡିଶାରେ ହେବ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ କାର୍ଯ୍ୟାଳୟ

ଭୁବନେଶ୍ବର (ନିପ୍ର): ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଗାନ୍ଧୀଜିଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏହି ଅବସରରେ ଗାନ୍ଧୀଜୀଙ୍କ ଫଟୋଚିତ୍ର ସମ୍ବଳିତ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ରାଜ୍ୟର ସବୁ ବ୍ଲକରେ ଆୟୋଜନ, ଗାନ୍ଧୀଜୀଙ୍କ ବିଭିନ୍ନ ରଚନାବଳୀର ଓଡ଼ିଆ ଅନୁବାଦ, ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଗାନ୍ଧୀଜୀଙ୍କ ଜୀବନକଥା ପୁସ୍ତକ ବଣ୍ଟନ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ଓଡ଼ିଶାରେ ସବୁ ବ୍ଲକରେ ଗାନ୍ଧୀ ପ୍ରତିଷ୍ଠାନର ଏକ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । ଏହିସବୁ ପ୍ରସ୍ତାବ କାର୍ଯ୍ୟକାରୀ କରିବାପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଓ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏତଦ୍ବ୍ୟତୀତ ଅନୁଗୁଳସ୍ଥିତ ବାଜିରାଉତ ଛାତ୍ରାବାସର ବିଭିନ୍ନ ସମସ୍ୟା ସମ୍ପର୍କରେ କୃଷ୍ଣା ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଶ୍ରୀ ପ୍ରଶାନ୍ତ ଓ ପ୍ରତିନିଧି ଦଳର ସଦସ୍ୟମାନେ ଉଚ୍ଚ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ଯେ, ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ଅନ୍ତର୍ଭୁକ୍ତ କରିବାପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଷ୍ଠାନ ଦ୍ବାରା ପ୍ରକାଶିତ ଗାନ୍ଧୀଜିଙ୍କ ଜୀବନୀ କଥାର ଓଡ଼ିଆ ଅନୁବାଦ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଗାନ୍ଧୀ ପ୍ରତିଷ୍ଠାନର ସଦସ୍ୟ ବିରୂପାକ୍ଷ ତ୍ରିପାଠୀ ଓ ମିହିର ପ୍ରତାପ ଦାସ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ଚଣା ସ୍ବାଧୀନତା ସଂଗ୍ରାମୀ ନାମକ ଏକ ପୁସ୍ତକ ପ୍ରଦାନ କରିଥିଲେ । ଏହି ଆଲୋଚନାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ କୃଷ୍ଣା ମହାନ୍ତି, ଜଷ୍ଟିସ ମନୋରଂଜନ ମହାନ୍ତି, ଡ. ବିଶ୍ବଜିତ ରାୟ ଓ ବିରୂପାକ୍ଷ ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

20 − sixteen =