କେନ୍ଦ୍ରକୁ ୫୨୨୭ କୋଟିର ସହାୟତା ମାଗିଲା ଓଡ଼ିଶା

ଭୁବନେଶ୍ୱର()   ଗତ ମେ’ ୩ ତାରିଖରେ ଓଡ଼ିଶା ଉପକୂଳରେ ତାଣ୍ଡବ ରଚାଇଥିବା ପ୍ରଳୟଙ୍କାରୀ ବାତ୍ୟା ଫନୀ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଭରଣା, ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟପାଇଁ କେନ୍ଦ୍ରକୁ ୫ହଜାର ୨୨୭କୋଟି ୬୮ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ମାଗିଛନ୍ତି ରାଜ୍ୟ ସରକାର । ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ପୁର୍ନଗଠନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ରାଶି ପ୍ରଦାନ କରିବାକୁ ଦାବି କରାଯାଇଛି ।

ଫନୀରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଗତମାସେ ହେଲା ଚାଲିଥିବା ପ୍ରକ୍ରିୟା ଆଜି ଶେଷ ହୋଇଛି । ବାତ୍ୟାରେ ୧୪ଟି ଜିଲ୍ଲାର ୨୦ହଜାର ୩୬୭ଟି ଗାଁ କ୍ଷତିଗ୍ରସ୍ତ ହୋଇଥିଲା । ୧କୋଟି ୬୦ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ୧ଲକ୍ଷ ୮୮ହଜାର ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଥିଲା । ୫ଲକ୍ଷ ୫୬ହଜାର ୭୬୧ଟି ବାସଗୃହ ଅତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ୬୪ଜଣ ଲୋକ ମୃତୁ୍ୟବରଣ କରିଛନ୍ତି । ୧୨ଜଣ ଲୋକ ଗୁରୁତର ଭାବେ ଆହତ ହୋଇ ଏବେବି ଚିକିତ୍ସାଧୀନ ।

ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା କ୍ଷୟକ୍ଷତି ଆକଳନ ଅନୁଯାୟୀ ୬ହଜାର ୬୪୩କୋଟି ୬୪ଲକ୍ଷ ଟଙ୍କାର ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହୋଇଛି । ଏଥିସହ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ପ୍ରଦାନ ପାଇଁ ୨୬୯୨କୋଟି ୬୩ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ଏହି ହିସାବରେ ସରକାରୀ ସମ୍ପତ୍ତିର ହୋଇଥିବା କ୍ଷୟକ୍ଷତିର ଭରଣା ଏବଂ ରିଲିଫ ଓ ଥଇଥାନ ପାଇଁ ୯୩୩୬କୋଟି ଟଙ୍କାର ଆବଶ୍ୟକତା ରହିଛି । ତେବେ ଜାତୀୟ ବିପର୍ଯ୍ୟୟ ପାଣ୍ଠି ଓ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିର ମାନଦଣ୍ଡକୁ ଆଧାର କରି ରାଜ୍ୟ ସରକାର ୫୨୨୭କୋଟି ୬୮ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ଦାବି କରିଛନ୍ତି । ଏ ଭିତରେ ରାଜ୍ୟ ସରକାର ରିଲିଫ ଓ ପୁର୍ନଗଠନ କାର୍ଯ୍ୟପାଇଁ ବିଭିନ୍ନ ଜିଲ୍ଲା ଓ ବିଭାଗକୁ ୧୩୫୭କୋଟି ୧୪ଲକ୍ଷ ଟଙ୍କା ପ୍ରଦାନ କରିସାରିଛନ୍ତି ।

ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଗତ ୧୨ତାରିଖରେ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍କୁ ଏକ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ ଦ୍ୱାରା ଗଠିତ ଏକାଧିକ ଟିମ୍ ସବୁ ପ୍ରଭାବିତ ଗାଁକୁ ଗସ୍ତ କରି କ୍ଷୟକ୍ଷତି ଆକଳନର ରିପୋର୍ଟ ପ୍ରଦାନ କରିଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

20 + 8 =