ଓଡିଶା ଭର୍ଚୁଆଲ ଏକାଡେମୀ ଲୋକାର୍ପିତ

ଭୁବନେଶ୍ବର () : ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ଏହି ଅନୁଷ୍ଠାନର ଏକ ନୂଆ ୱେବ ଡୋମେନ ova.gov.inକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ଏହି ୱେବସାଇଟ ଜରିଆରେ ଇଣ୍ଟରନେଟରେ ସାହିତ୍ୟଗୁଡିକୁ ପ୍ରକାଶ କରି ସରକାର ସମସ୍ତଙ୍କ ପାଇଁ ସାହିତ୍ୟର ବାର୍ତ୍ତା ରଖିଛନ୍ତି । ଶାସ୍ତ୍ରୀୟ ଓଡିଆ ଭାଷାକୁ ଆହୁରି ଲୋକପ୍ରିୟ କରିବ ରାଜ୍ୟ ସରକାରଙ୍କ ନୂଆ ଅନୁଷ୍ଠାନ ଓଡିଶା ଭର୍ଚୁଆଲ ଏକାଡେମୀ । ପ୍ରାରମ୍ଭିକ ଭାବେ ଏଥିରେ ମାତ୍ର 170ଟି ପ୍ରାଚୀନ ଓ ଲୋକପ୍ରିୟ ସାହିତ୍ୟ ସ୍ଥାନ ପାଇଥିବା ବେଳେ ଖୁବଶୀଘ୍ର ସାହିତ୍ୟ ଓ ସଂସ୍କୃତି ସମ୍ବଳିତ ଅଧିକ ସଂଖ୍ୟାରେ ଦୃଶ୍ୟ-ଶ୍ରାବ୍ୟ ସାହିତ୍ୟ ମଧ୍ୟରେ ଏଥିରେ ସ୍ଥାନ ପାଇବ ।

ସଂପୃକ୍ତ ଡିଜିଟାଇଜ ପୁସ୍ତକର ବିଶ୍ବଷତ୍ବ ହେଉଛି ଯେ, ଏଗୁଡିକ ପିଡିଏଫ ଫର୍ମାଟରେ ନୁହେଁ ବରଂ ସଂପୂର୍ଣ୍ଣ ୟୁନିକୋଡ ଅକ୍ଷରରେ ଇ-ପବ ଫର୍ମାଟରେ ରଖାଯାଇଛି । ନିକଟ ଭବିଷ୍ୟତରେ ଅଧିକରୁ ଅଧିକ ଦୁର୍ଲଭ ଓ ପାରମ୍ପାରିକ ସାହିତ୍ୟ ଉପଲବ୍ଧ କରାଇବା ପାଇଁ ସି-ଡାକ୍ ଭଳି କେନ୍ଦ୍ର ସରକାରଙ୍କ ସଂସ୍ଥା ତଥା ଚିକାଗୋ ୟୁନିଭର୍ସିଟି ଲାଇବ୍ରେରୀର ସହଯୋଗ ନିଆଯିବାକୁ ବୁଝାମଣା ସ୍ବାକ୍ଷରିତ ହୋଇଛି ।

ଚିକାଗୋ ୟୁନିର୍ଭସିଟି ଲାଇବ୍ରେରୀରେ ଥିବା ଅନେକ ଦୁର୍ମୂଲ୍ୟ ପୁସ୍ତକକୁ ଅଣାଯାଇ ଡିଜିଟାଇଜ କରାଯିବ । ଚିକାଗୋ ୟୁନିର୍ଭସିଟିର ଜେମସ୍ ନାଇ ଓ ସି-ଡାକର ବରିଷ୍ଠ ନିର୍ଦ୍ଦେଶକ ଭି.କେ. ଶର୍ମା ଏବଂ ସେଣ୍ଟର ଫର ଇଣ୍ଟରନେଟ ସୋସାଇଟିର ନିର୍ଦ୍ଦେଶକ ସୁମଦ୍ରୋ ଚଟ୍ଟୋପାଧ୍ୟାୟଙ୍କ ସହ ଓଡିଆ ଭର୍ଚୁଆଲ ଏକାଡେମୀ ଏକ ତ୍ରିପାକ୍ଷୀକ ଚୁକ୍ତି କରିଛନ୍ତି । ଏହାସହ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ଓଡିଶା ସାହିତ୍ୟ ଏକେଡାମୀ ଗ୍ରନ୍ଥାଗାର, ରାଜ୍ୟ ଅଭିଲେଖାଗାର, ବିଭିନ୍ନ ପୂରୁଣା ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟରେ ଗଚ୍ଛିତ ଦୁର୍ଲଭ ଗ୍ରନ୍ଥଗୁଡିକୁ ଡିଜିଟାଇଜ କରାଯିବ ।

ଭର୍ଚୁଆଲ ଦୁନିଆରେ ଓଡିଆ ଭାଷାର ବ୍ୟାପକ ପ୍ରସାର ତଥା ସମସ୍ତ ଓଡିଆ ସାହିତ୍ୟକୁ ସଂରକ୍ଷଣ ଯୋଗ୍ୟ କରିବାକୁ ମାଗଣା ୟୁନିକୋଡ ଫଣ୍ଟ ଓ ଟାଇପିଂ ଟୁଲ ମଧ୍ୟ ଏହି ଏକାଡେମୀ ପ୍ରଚଳନ କରିବ । ଭୁବନେଶ୍ବରରେ ଥିବା ଓକାକ ପରିସରରେ ଏହା କାର୍ଯ୍ୟ କରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡିଆ ଭାଷା ବେଶ ସମ୍ବୃଦ୍ଧ ଏବଂ ମଧ୍ୟ ଯୁଗରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଓଡିଆ ଭାଷାରେ ଉଚ୍ଚକୋଟିର ସାହିତ୍ୟ ସୃଷ୍ଟି ହୋଇଛି । ବିଶ୍ବ ଦରବାରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହା ସୁଯୋଗ ସୃଷ୍ଟି କରିବ । ବିଶ୍ବର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆ ଲୋକ ବିଶେଷ କରି ଯୁବପୀଢୀଙ୍କ ପାଇଁ ଭର୍ଚୁଆଲ ଏକାଡେମୀ ବେଶ ଉପଯୋଗୀ ହେବ ।

Share

Leave a Reply

Your email address will not be published. Required fields are marked *

13 − 4 =