ମୋଦିଙ୍କ ଏକକ ନିର୍ବାଚନ ପ୍ରସ୍ତାବକୁ ନବୀନଙ୍କ ସମର୍ଥନ

ଭୁବନେଶ୍ବର (): ଏକା ସମୟରେ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡିକର ନିର୍ବାଚନ ପାଇଁ କେନ୍ଦ୍ର ସରକାର ରଖିଥିବା ପ୍ରସ୍ତାବକୁ ରାଜ୍ୟ ସରକାର ସମର୍ଥନ ଜଣାଇଛନ୍ତି । ବର୍ଷତମାମ ନିର୍ବାଚନ ପରିଚାଳନା ଯୋଗୁଁ ଲୋକଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଲୋକଙ୍କ ସୁବିଧା ଏବଂ ପ୍ରଶାସନିକ କାର୍ଯ୍ୟ ଦୃଷ୍ଟିରୁ ଗୋଟିଏ ସମୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବା ଉଚିତ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏକାକ ନିର୍ବାଚନ ନେଇ ବିଜେଡିର ମତାମତ ଲୋଡିଥିଲେ ଜାତୀୟ ଆଇନ କମିଶନର ଅଧ୍ୟକ ତଥା ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି.ଏସ. ଚୌହାନ । ଏ ସଂପର୍କରେ ସେ ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ରାଜ୍ୟର ମତାମତ ସହ ଆସନ୍ତା ୭ କିମ୍ବା ୮ ତାରିଖରେ ବିଜେଡି ଦଳ ସହ ଆଲୋଚନା କରିବାକୁ ଚାହୁଁଛନ୍ତି । ଏହି ଦୁଇଟି ତାରିଖ ମଧ୍ୟରୁ ଗୋଟିଏ ତାରିଖରେ ବିଜେଡି ସଭାପତି କିମ୍ବା ତାଙ୍କ ପ୍ରତିନିଧିଙ୍କ ସହ କମିଶନ ନୂଆଦିଲ୍ଲୀ ସ୍ଥିତ ତାଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଲୋଚନା କରିବେ । ସୂଚନା ମୂତାବକ ମୁଖ୍ୟମନ୍ତ୍ରୀ ପକ୍ଷରୁ ବିଜେଡି ସାଂସଦ ପିନାକୀ ମିଶ୍ର ଏହି ଆଲୋଚନାରେ ଭାଗ ନେବେ ।

ଗତ ୨୦୧୭ ଜାତୀୟ ଆଇନ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଏକକ ନିର୍ବାଚନର ଆହ୍ବାନ ଦେଇଥିଲେ । ତଦନୁସାରେ କମିଶନ ଏ ବାବଦରେ ବିଭିନ୍ନ ଶ୍ରେଣୀର ମତାମତ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଥିଲେ । କେନ୍ଦ୍ର ସରକାର ମଧ୍ୟ କମିଶନଙ୍କ ଠାରେ ଏଦିଗରେ ଏକ ରିପୋର୍ଟ ମାଗିଛନ୍ତି । କମିଶନ ଗତ ଏପ୍ରିଲ ୧୭ ତାରିଖରେ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଥିଲେ । ସାଧାରଣ ଲୋକଙ୍କ ମତାମତ ସଂଗ୍ରହ ପରେ ରାଜନୈତିକ ଦଳଗୁଡିକ ଠାରୁ କମିଶନ ମତାମତ ସଂଗ୍ରହ କରିବାକୁ ଉଚିତ ଭାବିଥିଲେ । ଏ ସଂପର୍କରେ ଆସନ୍ତା ୭ ଓ ୮ ଦୁଇ ଦିନ ଧରି କମିଶନ ସବୁ ରାଜନୈତିକ ଦଳର ମତାମତ ଶୁଣିବେ ।

ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଏକକ ନିର୍ବାଚନ ନେଇ ସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ । ସମ୍ବିଧାନ ଅନୁଯାୟୀ ପ୍ରତି ପାଂଚ ବର୍ଷରେ ଥରେ ନିର୍ବାଚନ ହେବ । ଏକା ସାଙ୍ଗେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସମ୍ବିଧାନରେ ସଂଶୋଧନର ଆବଶ୍ୟକତା ରହିଛି । ତେବେ ଏ ସଂପର୍କରେ ଜାତୀୟ ଆଇନ କମିଶନ ଏବଂ ମୁଖ୍ୟ ନିର୍ବାଚନ କମିଶନରେ ସମ୍ବିଧାନରେ ସଂଶୋଧନ ପାଇଁ କି ପ୍ରସ୍ତାବ ଆଣୁଛନ୍ତି ଏବଂ ଏଦିଗରେ କେନ୍ଦ୍ର ଆଇନରେ କିପ୍ରକାର ସଂଶୋଧନ କରୁଛି ତାହା ଦେଖିବାର କଥା ।

Share

Leave a Reply

Your email address will not be published. Required fields are marked *

seventeen + 11 =