ପୁଂଜିନିବେଶରେ ଏକ ନମ୍ବର, କୃଷି ଅଭିବୃଦ୍ଧିରେ ବି ଆଗୁଆ

ଭୁବନେଶ୍ୱର () ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ପୁଂଜିନିବେଶରେ ଦେଶରେ ୧ ନମ୍ବର ହୋଇଛି । କରୋନା ଲକଡାଉନ୍ ସମୟରେ ଓଡ଼ିଶାକୁ ୧୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ଦେଶରେ ଏହି ସମୟରେ ହୋଇଥିବା ପୁଂଜିନିବେଶରୁ ୧୮% କେବଳ ଓଡ଼ିଶାକୁ ହିଁ ଆସିଛି । ୨୦୧୯-୨୦ ରେ ଦେଶରେ କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାର ୨.୮୦% ଥିବା ବେଳେ ଆମ ରାଜ୍ୟରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୭.୬୧% ।

୭୪ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଖରେ ଏହି ତଥ୍ୟ ରଖିଛନ୍ତି । ଏଥିସହ କରୋନା ସଙ୍କଟରେ ରହିଥିବା ରାଜ୍ୟବାସୀଙ୍କ ପାଇଁ ଜୀବନ ଓ ଜୀବିକା ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ଆଜି କେବଳ ଭାରତ ନୁହେଁ, ସାରା ବିଶ୍ୱ ତଥା ମାନବଜାତି ପାଇଁ ବହୁତ ବଡ଼ ସଙ୍କଟ ଭାବେ ଦେଖା ଦେଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବହନ ତଥା ସମାଜ ଉପରେ ଏଡା ଗଭୀର ପ୍ରଭାବ ପକାଇଛି । ସାରା ବିଶ୍ୱରେ କୋଟି କୋଟି ଲୋକ ଜୀବିକା ହରାଉଛନ୍ତି । ଭ୍ୟାକ୍ସିନ୍ ଆସିବା ପରେ କରୋନା କଣ୍ଟ୍ରୋଲ୍ ହେବ । କିନ୍ତୁ ଅର୍ଥନୀତି ଓ ସମାଜ ଉପରେ କରୋନା ଯେଉଁ କ୍ଷତି କରିଛି ତାକୁ ଭରଣା କରିବା ପାଇଁ ଆମକୁ ସାହାସର ସହ କାମ କରିବାକୁ ହେବ ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମ୍ୟକ ସୂଚନା ଦେବା ସହ ପଇସା ପାଇଁ ଓଡ଼ିଶାରେ କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ ବୋଲି ଦୋହରାଇଥିଲେ । ଓଡ଼ିଶା ସରକାର କୋଭିଡ୍ ରୋଗୀଙ୍କୁ ସବୁପ୍ରକାର ସୁବିଧା ମାଗଣାରେ ଯୋଗାଉଛନ୍ତି । ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ଏହି ମିଶନ୍ ନେଇ ଆମେ କାମ କରୁଛୁ । ସମସ୍ତଙ୍କୁ ବେଷ୍ଟ୍ ଟ୍ରିଟମେଣ୍ଟ୍ ଦେବାକୁ ଚେଷ୍ଟା କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କରୋନା ବିରୋଧରେ ଚାଲିଥିବା ଲଢ଼େଇରେ କୋଭିଡ୍ ଯୋଦ୍ଧାଙ୍କ କାର୍ଯ୍ୟର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେମାନଙ୍କ ସେବା ଓ ତ୍ୟାଗ ପାଇଁ ଆମ ରାଜ୍ୟରେ ରେକଭରି ରେଟ୍ ଭଲ ରହିଛି । ସାରା ଭାରତରେ ଓଡ଼ିଶାରେ ମୃତ୍ୟୁହାର ମଧ୍ୟ କମ୍ ରହିଛି । କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ପାଇଁ ଓଡ଼ିଆ ଜାତି ସେମାନଙ୍କ ନିକଟରେ ଋଣୀ । ସେମାନଙ୍କର ଏହି ନିଷ୍ଠା, ତ୍ୟାଗ ଏବଂ ଆମ ସମସ୍ତଙ୍କ ସହଯୋଗ ହିଁ ଆମ ସମସ୍ତଙ୍କ ପାଇଁ ବିଜୟ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଲକଡାଉନ୍ ସମୟରେ ଅର୍ଥନୈତିକ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ଆମେ ପଦକ୍ଷେପ ନେଇଛୁ । କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ ସହିତ ବିଭିନ୍ନ ନିଯୁକ୍ତି ସୃଷ୍ଟିକାରୀ କାମ ଜାରି ରହିଛି । ଗରିବ ଲୋକ ଓ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।

ଓଡ଼ିଆ ଜାତି ଅନେକ ବିପଦର ସାମ୍ନା କରିଛି । ସାହାସର ସହ ମୁକାବିଲା କରି ନୂଆ ଇତିହାସ ଲେଖିଛି । ମୋର ପୂରା ବିଶ୍ୱାସ, କରୋନା ଶୀଘ୍ର ଦୂର ହେବ । ସ୍କୁଲମାନଙ୍କରେ ପୁଣିଥରେ ଘଣ୍ଟା ବାଜି ଉଠିବ ଏବଂ ମାନବ ଜାତିର ଜୟଯାତ୍ରା ଆହୁରି ଆଗକୁ ବଢ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

eighteen − eight =