ପୁଂଜିନିବେଶକାରୀଙ୍କ ନୂଆ ଲକ୍ଷ୍ୟସ୍ଥଳ ଓଡିଶା

  • ଆସନ୍ତାକାଲିଠାରୁ ମେକ୍ ଇନ ଓଡିଶା କନକ୍ଲେଭ
  • ଯୋଗ ଦେବେ 800ରୁ ଅଧିକ ଶିଳ୍ପପତି

ଭୁବନେଶ୍ୱର () : ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଶିଳ୍ପ ମହାକୁମ୍ଭ । ଦେଶ ବିଦେଶର ନାମୀଦାମୀ ଶିଳ୍ପପତି ଓ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଶିଳ୍ପାନୁଷ୍ଠାନର ପ୍ରତିନିଧି ଯୋଗଦେବେ । ଓଡ଼ିଶାରେ ଶିଳ୍ପର ବିକାଶ ସାଙ୍ଗକୁ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ଏହି ମେକ୍ ଇନ୍ ଓଡ଼ିଶା କନକ୍ଲେଭର ମୁଖ୍ୟ ଉଦ୍ଦେଶ୍ୟ । ଏହି ଶିଳ୍ପ ମହାକୁମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଆକର୍ଷଣ ହେବେ ।

୨୦୧୬ ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ମିଳିଥିବା ସଫଳତା ଆଧାରରେ ନଭେମ୍ବର ୧୧ରୁ ୧୫ ତାରିଖ ପାଞ୍ଚ ଦିନ ଧରି ଦ୍ୱିତୀୟ ପର୍ଯ୍ୟାୟ କନକ୍ଲେଭର ଆୟୋନ କରାଯାଇଛି । ଏଥିରେ ରାଜ୍ୟରେ ଶିଳ୍ପର ବିକାଶ ଓ ଶିଳ୍ପ ପାଇଁ ଏକ ସହଜ ଓ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ନୀତି ଉପରେ ଗୁରୁତ୍ୱ ଦିଆଯିବ । ଉତ୍ପାଦନ ଭିତ୍ତିକ ଶିଳ୍ପ ସାଙ୍ଗକୁ ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆକର୍ଷଣ ପାଇଁ ଅନେକ ଭିତ୍ତିଭୂମି ରହିଛି ।

ପୁଞ୍ଜିନିବେଶ ପାଇଁ ରହିଥିବା ଅନୁକୂଳ ବାତାବରଣ ମଧ୍ୟରୁ ସବୁଠୁ ଆଗରେ ରହିଛି ୧୮ ବର୍ଷ ଧରି ରାଜ୍ୟରେ ଚାଲିଥିବା ଏକ ସ୍ଥିର ଓ ସ୍ୱଚ୍ଛ ସରକାର । ଦେଶର ୩ଟି ପ୍ରମୁଖ ଶିଳ୍ପ ପାଇଁ ଆକର୍ଷଣ ରାଜ୍ୟ ମଧ୍ୟରେ ଓଡ଼ିଶା କ୍ରମାଗତ ଭାବେ ପ୍ରଥମ ସ୍ଥାନରେ ରହିଆସୁଛି । ଏଥିସହିତ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ୍ ପର୍ଯ୍ୟାପ୍ତ ପରିମାଣରେ ରାଜ୍ୟରେ ଉପଲବ୍ଧ ହେଉଛି ।

ଏକ ରିପୋର୍ଟ ଅନୁଯାୟୀ ଓଡିଶାରେ ୪୧,୪୨୧ କୋଟି ମୂଲ୍ୟର ଖଣିଜ ପଦାର୍ଥ ଉତ୍ତୋଳନ ହୋଇଛି । ୨୦୧୭-୧୮ ବର୍ଷରେ ଏହା ଦେଶରେ ଉତ୍ପାଦିତ ହୋଇଥିବା ମୋଟ ଖଣିଜ ସମ୍ପଦର ୧୩.୮୮ ପ୍ରତିଶତ । ଓଡିଶା ସର୍ବଭାରତୀୟ ସ୍ତରରେ ସବୁଠାରୁ ଅଧିକ ଆଲୁମିନିୟମ୍, ଇସ୍ପାତ୍ ଓ ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦନକାରୀ ରାଜ୍ୟ ଭାବେ ମାନ୍ୟତା ପାଇଛି ।

ଶିଳ୍ପ ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାରେ ମଧ୍ୟ ଓଡିଶା ନିଜକୁ ପ୍ରସ୍ତୁତ କରିପାରିଛି । ଦେଶର ସର୍ବବୃହତ୍ ବନ୍ଦର ପାରାଦୀପ ବନ୍ଦର ସହ କାର୍ଗୋ ଆମଦାନୀ ଓ ରପ୍ତାନୀ ପାଇଁ ଧାମରା ବନ୍ଦର ବି କାର୍ଯ୍ୟକ୍ଷମ ହୋଇଛି । ୮ ହଜାର କିଲୋମିଟରର ଜାତୀୟ ରାଜପଥ ସହ ୨,୫୦୦ କି.ମି. ରେଳପଥ ଶିଳ୍ପାନୁଷ୍ଠାନଗୁଡିକୁ ମାଲ୍ ପରିବହନ ପାଇଁ ସହଯୋଗ କରୁଛି । ଜମି ଅଧିଗ୍ରହଣ ସମସ୍ୟାରୁ ପୁଞ୍ଜିପତିମାନଙ୍କୁ ଦୂରରେ ରଖିବା ପାଇଁ ରାଜ୍ୟ ସରକାର ଲ୍ୟାଣ୍ଡ ବ୍ୟାଙ୍କ ପ୍ରସ୍ତୁତ କରିଛନ୍ତି । ଏବେ ସୁଦ୍ଧା ୧ ଲକ୍ଷ ୨୫ ହଜାର ଏକର ଜମି ଲ୍ୟାଣ୍ଡ ବ୍ୟାଙ୍କ୍ରେ ରହିଛି ।

ଇଜ ଅଫ୍ ଡୁଇଙ୍ଗ ବିଜନେସ୍ରେ ଶିଳ୍ପାନୁଷ୍ଠାନଗୁଡିକୁ ଅନୁମତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଏକ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ୍ ପ୍ରସ୍ତୁତ କରିଛନ୍ତି । ଏହି ପୋର୍ଟାଲ୍ ଜରିଆରେ ହିଁ ପୁଞ୍ଜିନିବେଶକାରୀ ସେମାନଙ୍କ ଆବେଦନ ପ୍ରଦାନ କଲେ ୨୮ ଦିନ ମଧ୍ୟରେ ସେମାନଙ୍କ ଆବେଦନ ଉପରେ ନିଷ୍ପତ୍ତି ନିଆଯିବ । ଏହି ପୋର୍ଟାଲରୁ ମଧ୍ୟ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଶିଳ୍ପାନୁଷ୍ଠାନ ଗୁଡିକ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି, ଆଇନ, ଟିକସ ବ୍ୟବସ୍ଥା ଏବଂ ଆବେଦନ ପ୍ରଣାଳୀ ସଂପର୍କରେ ଜାଣିପାରିବେ ।

ଶିଳ୍ପାନୁଷ୍ଠାନ ଗୁଡିକୁ ଦକ୍ଷ ମାନବସମ୍ବଳ ଯୋଗାଇ ଦେବା ପାଇଁ ଗଠନ କରାଯାଇଛି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ଏହି ପ୍ରାଧିକରଣ ଜରିଆରେ ୧ ଲକ୍ଷ ୭୮ ହଜାର ୪୦୪ ଜଣ ବୈଷୟିକ ତାଲିମପ୍ରାପ୍ତ ମାନବସମ୍ବଳ ପ୍ରତିବର୍ଷ ସୃଷ୍ଟି ହେଉଛନ୍ତି । ଏଥିସହିତ ବୈଷୟିକ ଶିକ୍ଷା ବିଶେଷକରି ଇଞ୍ଜିନିୟରିଂ, ମେଡିକାଲ, ପ୍ଲାଷ୍ଟିକ ଟେକ୍ନୋଲୋଜି ଓ ମ୍ୟାନେଜମେଣ୍ଟ ଆଦି କ୍ଷେତ୍ରରେ ଶିକ୍ଷାଦାନ ପାଇଁ ଉଚ୍ଚଶ୍ରେଣୀର ଶିକ୍ଷାନୁଷ୍ଠାନ ରହିଛି । ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର ଶିଳ୍ପାନୁଷ୍ଠାନଗୁଡିକ ପାଇଁ ଆଉ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏହାଦ୍ୱାରା ଶିଳ୍ପାନୁଷ୍ଠାନଗୁଡିକ ପାଇଁ ପରିଚାଳନାଗତ ଖର୍ଚ୍ଚ ବ୍ୟାପକ ଭାବେ ହ୍ରାସ ପାଉଛି । ଓଡ଼ିଶାରେ ଶିଳ୍ପ ପାଇଁ ଆଗ୍ରହୀ ପୁଞ୍ଜିନିବେଶକାରୀଙ୍କ ପାଇଁ ଆକର୍ଷଣର ଆଉ ଏକ କାରଣ ହେଉଛି ଓଡିଶା ଏକ ବିଦ୍ୟୁତ୍ ବଳକା ରାଜ୍ୟ । ସର୍ବଭାରତୀୟ ସ୍ତରରେ ରାଜ୍ୟରେ ଶିଳ୍ପାନୁଷ୍ଠାନଗୁଡିକୁ ସବୁଠାରୁ କମ୍ ଶୁଳ୍କରେ ବିଦ୍ୟୁତ୍ ଯୋଗାଇ ଦିଆଯାଉଛି । ମହାରାଷ୍ଟ୍ରରେ ଶିଳ୍ପାନୁଷ୍ଠାନ ଗୁଡିକୁ ୟୁନିଟ୍ ପିଛା ୭ ଟଙ୍କା ୨୦ ପଇସା ଏବଂ ପଶ୍ଚିମ ବଙ୍ଗରେ ୬ଟଙ୍କା ୬୦ ପଇସା ହାରରେ ବିଦ୍ୟୁତ୍ ଯୋଗାଇ ଦିଆଯାଉଥିବାବେଳେ ଓଡିଶାରେ ଶିଳ୍ପ ପାଇଁ ବିଦ୍ୟୁତ୍ ଶୁଳ୍କ ୪ଟଙ୍କା୨୦ ପଇସା ଧାର୍ଯ୍ୟ କରାଯାଇଛି ।

ଏହି କନକ୍ଲେଭ୍ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁକେଶ ଅମ୍ବାନୀ, ଆଦିତ୍ୟ ବିର୍ଲା ଗ୍ରୁପର କୁମାର ମଙ୍ଗଳମ୍ ବିର୍ଲା, ଜେଏସପିଏଲ୍ର ଅନୀଲ ଅଗ୍ରୱାଲ, ଟାଟା ଗ୍ରୁପ୍ର ଏନ୍ ଚନ୍ଦ୍ରଶେଖରନ୍ଙ୍କ ପରି ବିଜନେସ୍ ଟାଇକୋନ୍ଙ୍କ ସମେତ ଜାପାନ, ଫ୍ରାନ୍ସ, ଋଷିଆ, ଜର୍ମାନୀ, ସାଉଦି ଆରବ ଓ ୟୁଏଇରୁ ପ୍ରାୟ ୮୦୦ ଶିଳ୍ପପତି ଯୋଗଦେବେ । ୨୦୧୬ ମେକ୍ ଇନ୍ ଓଡିଶା ପ୍ରଥମ ସଂସ୍କରଣରେ ୨୨୪ଟି ଶିଳ୍ପାନୁଷ୍ଠାନ ପୁଂଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେ ମଧ୍ୟରୁ ୬୪ଟି କମ୍ପାନୀର ଭୂମିପୂଜନ କାର୍ଯ୍ୟ ସରିଥିବାବେଳେ ୩ଟି କମ୍ପାନୀ ଉତ୍ପାଦନକ୍ଷମ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

6 + 17 =