କେନ୍ଦ୍ରର ଚାଉଳ ରାଜନୀତି: ଚାଷୀଙ୍କ ମୁଣ୍ଡରେ ଚଡକ

ଭୁବନେଶ୍ବର() ଗୋଟେପଟେ ରାଜ୍ୟ ସରକାର କୃଷି ଉତ୍ପାଦନକୁ ବୃଦ୍ଧି କରିବାକୁ ଯୋଜନା କରୁଥିବା ବେଳେ କେନ୍ଦ୍ରର ଅଜବ ନୀତି ଚାଷୀଙ୍କ ପାଇଁ ବୁମେରାଂ ହୋଇଛି । ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ପରି ରାଜ୍ୟରେ ମଧ୍ୟ ଆନ୍ଦୋଳନ ଦାନା ବାନ୍ଧୁଛି । କାରଣ ଏଥର କେନ୍ଦ୍ର ସରକାର ରାଜ୍ୟରେ ଉତ୍ପାଦିତ ସବୁ ଚାଉଳକୁ କିଣିବେ ନାହିଁ । ମାତ୍ର ୫୦ ପ୍ରତିଶତ ଉଷୁନା ଚାଉଳ କିଣିବେ । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ସ୍ବର ଉଠାଇଛି ବିଜେଡି ।

ଧାନ ବିକା ବାବଦକୁ ୨୮୫୦ କୋଟି ଦେଇନାହିଁ କେନ୍ଦ୍ର । ଧାନ ଉତ୍ପାଦନରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ଦୁଇ ଗୁଣା ହୋଇଛି ବୋଲି ବିଜେଡି କହିଛି । ତେବେ ବଳକା ଚାଉଳ କିଣିବାକୁ ମନା କରୁଛି କେନ୍ଦ୍ର । କୋଭିଡ୍ ମହାମାରୀ ସମୟରେ ସଫଳ ସୁପରିଚାଳନା ପାଇଁ ଚାଷୀମାନେ ବମ୍ଫର ଉତ୍ପାଦନ କରିଛନ୍ତି । ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ସାଜିଛନ୍ତି । ହେଲେ ଦୁର୍ଭାଗ୍ୟ, କେନ୍ଦ୍ର ଚିଠି ଲେଖିଛି କି କେବଳ ଖରିଫ୍ ସିଜିନରେ ୫୦ ପ୍ରତିଶତ ଚାଉଳ ସଂଗ୍ରହ କରିବେ । ରବି ସିଜନ୍ ପାଇଁ କିଛି ନେବେ ନାହିଁ । ଓଡିଶା ପାଇଁ ଏହା ଏକ ଚଡକ ବୋଲି ବିଜେଡି କହିଛି ।

2019-20 ଖରିଫରେ 53ଲକ୍ଷ ମେଟ୍ରିକ ଟନ ଓ 17 ଲକ୍ଷ ରବିରେ ଚାଉଳ ଉତ୍ପାଦିତ ହୋଇଛି । ଏଯାଏ 35 ଲକ୍ଷ ମେଟ୍ରିକ ଟନ୍ ସଂଗ୍ରହ ହୋଇଥିବାବେଳେ ଆହୁରି 30 ଲକ୍ଷ ମେଟ୍ରିକ ଟନ୍ ସଂଗ୍ରହ କରାଯିବ । ସବୁଦାୟ 82 ଲକ୍ଷ ମେଟ୍ରିକ ଟନ୍ ଅମଳ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର । କେନ୍ଦ୍ର 50 ପ୍ରତିଶତ ନେଲେ କେବଳ 10 ଲକ୍ଷ ମେଟ୍ରିକ ଟନ୍ ନେବେ । ରାଜ୍ୟ ସରକାରଙ୍କ ପାଖରେ 21 ଲକ୍ଷ ମେଟ୍ରିକ ଟନ୍ ବଳକା ରହିଯିବ । ଏହାର 10 ହଜାର କୋଟି ଟଙ୍କା କ୍ଷତିର ବୋଝ ଚାଷୀ ସହିବା ନେଇ ଆକଳନ କରାଯାଉଛି ।

ବିଜେଡି ଦାବି କରିଛି ଯେ, ଯଦି ଚାଷୀଙ୍କ ପାଇଁ କିଛି କରିବାର ଅଛି ତେବେ ସ୍ବାମୀନାଥନ କମିଟି ରିପୋର୍ଟ ଲାଗୁ ହେଉ । ଦିଲ୍ଲୀ ଯାଇ ପାରା ବଏଲଡ଼ ରାଇସ୍ କଟକଣା ଉଠାନ୍ତୁ ଓ ଆମ ସବସିଡି ଦିଅନ୍ତୁ । ଓଡ଼ିଶା ପ୍ରତି କେନ୍ଦ୍ର ବୈମାତୃକ ମନୋଭାବ ପୋଷଣ କରୁଥିବା ବେଳେ କେନ୍ଦ୍ର ପାଇଁ ଓକିଲାତି କରୁଥିବା ରାଜ୍ୟ ବିଜେପି ନେତାଙ୍କ କୁମ୍ଭୀର କାନ୍ଦଣା ବିରୋଧରେ ବିଜେଡି ବର୍ଷିଛି । ରାଜ୍ୟ ଯୋଗାଣ ନିଗମକୁ ସେପ୍ଟେମ୍ବର ସୁଦ୍ଧା ୬୦୪୦ କୋଟି ଟଙ୍କା ସବ୍‌ସିଡି କେନ୍ଦ୍ରରୁ ମିଳିବା କଥା । ଯାହା ଏଯାଏଁ ମିଳିନି  । ଏଥିରୁ ୨୮୫୦ କୋଟିର ଅଗ୍ରୀମ ଦେବାକୁ ବି କେନ୍ଦ୍ର ଦେବାକୁ ନାରାଜ । ଏ ଯାଏ ରାଜ୍ୟ ସରକାର ଚାଷୀଙ୍କୁ ୬୫୫୦କୋଟି ଟଙ୍କା ଦେଲେଣି ।

Share

Leave a Reply

Your email address will not be published. Required fields are marked *

two × 2 =