ଅମୃତ ଯୋଜନା କାର୍ଯ୍ୟାନ୍ବୟନରେ ଓଡିଶା ଅଗ୍ରଣୀ

ତୃତୀୟ ଥର ପାଇଁ ଜାତୀୟ ସ୍ତରରେ ପୁରସ୍କୃତ

ଭୁବନେଶ୍ବର () ଅମୃତ ଯୋଜନା କାର୍ଯ୍ୟାନ୍ବୟନରେ ଓଡିଶା ଜାତୀୟ ସ୍ତରରେ ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି । ଓଡିଶା ଲଗାତାର ତୃତୀୟ ଥର ପାଇଁ ପ୍ରଥମ ତିନୋଟି ରାଜ୍ୟ ମଧ୍ୟରେ ନିଜ ସ୍ଥାନ ବଜାୟ ରଖିଛି । ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୋଜନାର ଷ୍ଟିୟରିଂ କମିଟି ବୈଠକରୁ ଏହି ସୂଚନା ମିଳିଛି ।

ଏହି ବୈଠକରେ ଅମୃତ ମିଶନର ରାଜ୍ୟ ନିର୍ଦ୍ଦେଶକ ପ୍ରେମ କୁମାର ଝା ଜଣାଇଥିଲେ ଯେ, 2015-16, 2016-17 ଓ 2017-18 ଏହି ତିନି ବର୍ଷରେ ଓଡିଶା ଜାତୀୟ ସ୍ତରରେ ପ୍ରଥମ ତିନୋଟି ରାଜ୍ୟ ମଧ୍ୟରେ ରହିଛି । 2017-18ରେ ଓଡିଶା ଜାତୀୟ ରାଙ୍କିଙ୍ଗ ପୋର୍ଟାଲରେ ଦ୍ବିତୀୟ ସ୍ଥାନରେ ରହିଛି । ଆନ୍ଧ୍ରପ୍ରଦେଶ ପ୍ରଥମ ସ୍ଥାନ ଓ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଛି । ଏବେ ସୁଦ୍ଧା ଅମୃତ ଯୋଜନା ଅନ୍ତର୍ଗତ 9ଟି ସହରାଞ୍ଚଳରେ ସମୁଦାୟ 191ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ସବୁ ପ୍ରକଳ୍ପର ଟେଣ୍ଡର ଆହ୍ବାନ ସରିଛି । 188ଟି ପ୍ରକଳ୍ପର କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ 53ଟି ପ୍ରକଳ୍ପ ନିର୍ମାଣ ସରିଛି । ଅନୁମୋଦିତ ପ୍ରକଳ୍ପ ମଧ୍ୟରୁ 130ଟି ପାନୀୟ ଜଳ ସଂପର୍କିତ, 13ଟି ନର୍ଦ୍ଦମା ପରିଚାଳନା ଏବଂ 48ଟି ସର୍ବସାଧାରଣ ପାର୍କ ପ୍ରକଳ୍ପ ରହିଛି ।

ଏହିସବୁ ପ୍ରକଳ୍ପ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନରେ କାର୍ଯ୍ୟକାରୀ ହେଉଛି । ରାଜ୍ୟ ସରକାର 50 ପ୍ରତିଶତ ଓ କେନ୍ଦ୍ର 50 ପ୍ରତିଶତ ଅର୍ଥଭାର ବହନ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଣ୍ଠିରୁ 394.15 କୋଟି ହିସାବରେ 788.30 କୋଟି ଟଙ୍କା ଖର୍ଚ୍ଚ ହୋଇଛି । 2015-16ରୁ ଆରମ୍ଭ କରି 5 ବର୍ଷରେ ରାଜ୍ୟର ଅମୃତ ଯୋଜନା ଅନ୍ତର୍ଗତ 9ଟି ସହରରେ ମୋଟ 1600 କୋଟି ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବାର ଲକ୍ଷ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

three × 3 =