ସମ୍ବାଦିକଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଏକମତ ହେଲା ବିଧାନସଭା

ଭୁବନେଶ୍ବର () ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସମସ୍ୟାକୁ ନେଇ ଆଜି ବିଧାନସଭାରେ ଦଳମତ ନିର୍ବିଶେଷରେ ଉଦବେଗ ପ୍ରକାଶ ପାଇଛି । ସାମ୍ବାଦିକମାନେ ସେମାନଙ୍କ ସ୍ବାସ୍ଥ୍ୟବୀମା ବୃଦ୍ଧି, ପେନସନ ଓ ସୁରକ୍ଷା ଆଇନ ଦାବିକୁ ରାଜ୍ୟ ସରକାର ଗୁରୁତ୍ତର ସହ ବିଚାର କରିବାକୁ ବିଧାୟକମାନେ ଦାବି କରିଥିଲେ । ଏଦିଗରେ ରାଜ୍ୟ ସରକାର ମଧ୍ୟ ବିଚାର କରିବାକୁ ବାଚସ୍ପତି ପ୍ରଦୀପ କୁମାର ଅମାତ ରୁଲିଂ ଦେଇଛନ୍ତି ।

ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ଗତକାଲି ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି, କଂଗ୍ରେସ ଓ ବିଜେପି ବିଧାୟକ ଦଳ ନେତା ଏବଂ କିଛି ବରିଷ୍ଠ ବିଧାୟକଙ୍କୁ ଦାବିପତ୍ର ଦେଇଥିଲେ । ଏଥିରେ ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ସ୍ବାସ୍ଥ୍ୟବୀମା ପାଇଁ ଧନ୍ୟବାଦ ଦିଆଯାଇଥିବା ବେଳେ ବୀମା ସହାୟତାକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି କରାଯାଇଛି । ଏହାକୁ ଆଧାର କରି ବିରୋଧୀ ଦଳ ନେତା କହିଥିଲେ ଯେ, ରାଜ୍ୟ ସରକାର ପୂର୍ବତନ ବିଧାୟକଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ସହାୟତାକୁ 5 ଲକ୍ଷ ଟଙ୍କା ବୃଦ୍ଧି କରିଛନ୍ତି । ସାମ୍ବାଦିକମାନେ ବିଧାନସଭା ଏବଂ ଆମ ଗଣତନ୍ତ୍ରର ଅଭିନ୍ନ ଅଙ୍ଗ । ତେଣୁ ସାମ୍ବାଦିକଙ୍କ ଦାବି ଅନୁଯାୟୀ ବୀମା ସହାୟତା ରାଶିକୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସେ ଦାବି କରିଥିଲେ ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି କହିଥିଲେ ଯେ, ସାମ୍ବାଦିକମାନେ ଗାଁ ଗାଁ ବୁଲି ଖବର ସଂଗ୍ରହ କରୁଛନ୍ତି । ନକ୍ସଲ ପ୍ରଭାବିତ ଅଂଚଳରେ ବି ସେମାନେ ନିଜ ଜୀବନକୁ ପାଣିଛଡେଇ କାର୍ଯ୍ୟ କରୁଛନ୍ତି । ଛତିଶଗଡରେ ଜଣେ ସାମ୍ବାଦିକ ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇବା ଘଟଣା ଏହାର ଏକ ଉଦାହାରଣ । ସେମାନେ ବିଭିନ୍ନ ଜଟିଳ ସମୟରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ତେଣୁ ସରକାର ସାମ୍ବାଦିକଙ୍କ ପାଇଁ ବିଧାୟକ ଓ ସାଂସଦଙ୍କ ଭଳି ସ୍ବତନ୍ତ୍ର ଭାବେ ସ୍ବାସ୍ଥ୍ୟ ବୀମା ସହାୟତା ବୃଦ୍ଧି କରିବା ସହ ଏଥିରେ ସେମାନଙ୍କ ପରିବାରକୁ ସାମିଲ କରିବାକୁ ଦାବି କରିଥିଲେ । ଏଥିସହିତ ସମ୍ବାଦିକଙ୍କ ପରିବାରରୁ ଗୋଟିଏ ସନ୍ତାନର ଉଚ୍ଚଶିକ୍ଷା ଦାୟିତ୍ବ ସରକାର ନେବା ଉଚିତ ବୋଲି ସେ ଦାବି କରିଥିଲେ ।

ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଜେପି ବିଧାୟକ ଦଳ ଉପନେତା ରବି ନାୟକ ମଧ୍ୟ ବିରୋଧୀ ଦଳ ନେତାଙ୍କ ସହ ସହମତି ପ୍ରକାଶ କରି ସ୍ବାସ୍ଥ୍ୟ ବୀମା ସହାୟତା ବୃଦ୍ଧି ଦାବିକୁ ସମର୍ଥନ କରିଥିଲେ । ବିଜେଡି ବିଧାୟକ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ସହ ସେମାନଙ୍କୁ ପେନସନ ସୁବିଧା ଯୋଗାଇଦେବାକୁ ଦାବି କରିଥିଲେ ।

Share

Leave a Reply

Your email address will not be published. Required fields are marked *

5 × four =