ଓଡିଶା ଓ ବାଜପେୟୀ

ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଓଡ଼ିଶା ପ୍ରତି ଥିଲା ବିଶେଷ ଆକର୍ଷଣ। ବିଜୁ ବାବୁଙ୍କ ସହ ସେ ଯେମିତି ଘନିଷ୍ଠ ଥିଲେ, ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ ତାଙ୍କ ସଂପର୍କ ସେମିତି ନିବିଡ ଥିଲା । 1997ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଗଠିତ ବିଜୁ ଜନତା ଦଳ ପ୍ରଥମେ ବାଜପେୟୀଙ୍କ ନେତୃତ୍ବରେ ବିଜେପି ସହ ରାଜନୈତିକ ବୁଝାମଣା କରି ନିର୍ବାଚନକୁ ଓହ୍ଲାଇଥିଲା ।

ଅଟଳଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ମେ 24 ତାରିଖ 2000 ମସିହାରେ ପାରଦୀପରେ ତୈଳ ବିଶୋଧନାଗାରର ଶିଳାନ୍ୟାସ ପଡିଥିଲା। ୨୦୦୦ମସିହାରେ ଇଣ୍ଡିଆନ୍ ଅଏଲ କର୍ପୋରେସନ ପକ୍ଷରୁ ୩୪ହଜାର ୫୫୫ କୋଟି ପୁଞ୍ଜି ନିବେଶରେ ପାରାଦୀପ ତୈଳ ବିଶୋଧାନଗାର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଉ ବାଜପେୟୀଙ୍କ ସ୍ବପ୍ନ ୨୦୧୬ରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଏଆଇଏମଏସ ବି ଓଡିଶାକୁ ବାଜପେୟୀଙ୍କ ଅବଦାନ  । 2003ରେ ଦେଶର ବିଭିନ୍ନ ସ୍ଥାନରେ 6ଟି ଏଆଇଏମଏସ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ସେହି ବର୍ଷ ଜୁଲାଇ 15 ତାରିଖରେ ବାଜୟପେୟୀ ଓଡିଶା ଏଆଇଏମଏସର ଶିଳାନ୍ୟାସ କରିଥିଲେ ।

ତାଙ୍କର ପ୍ରଧାନମନ୍ତ୍ରୀତ୍ବ କାଳରେ ସ୍ବର୍ଣ୍ଣ ଚତୁର୍ଭୁଜ ଯୋଜନାରେ ଓଡିଶା ସାମିଲ ହୋଇଥିଲା । ଯାହାର ଫଳସ୍ବରୂପ ଆଜି ରାଜ୍ୟରେ ଜାତୀୟ ରାଜପଥ ନିର୍ମାଣର କ୍ଷିପ୍ରତା ବୃଦ୍ଧି ପାଇଛି । ତାଙ୍କ ସହଯୋଗରେ ରାଜ୍ୟର ଗମନାଗମନ ଠାରୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଆସିଥିଲା ବୈପ୍ଳବିକ ପରିବର୍ତ୍ତନ । ଭୁବନେଶ୍ବରରେ ପୂର୍ବତଟ ରେଳବାଇ ଜୋନ ପ୍ରତିଷ୍ଠା ବି ତାଙ୍କରି ଅମଳରେ ସମ୍ଭବ ହୋଇପାରିଥିଲା । ୨୦୦୩ ଉତ୍କଳ ଦିବସରେ ଓଡ଼ିଶା ପାଇଥିଲା ସ୍ବତନ୍ତ୍ର ରେଲୱେ ଜୋନ୍ ।

୧୯୯୯ ମହାବାତ୍ୟାରେ ବିପଦ ସମୟରେ ଓଡ଼ିଶାବାସୀ ପଛରେ ପାଚେରୀ ଭଳି ଠିଆ ହୋଇଥିଲେ ଅଟଳ। ସେହିଭଳି ଗରିବ ଲୋକଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ପରି ବହୁ ଜନହିତକାରୀ ଯୋଜନା ଆରମ୍ଭ କରିଥିଲେ । ଫଳରେ ଓଡ଼ିଶାରେ ଯାତାୟତ ସହଜ ହୋଇଥିଲା । ଗାଁ ଗାଁକୁ ସଂଯୋଗ ହେଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା । ତାଙ୍କ ଅମଳରେ ଓଡ଼ିଶାରେ ଜାତୀୟ ରାଜପଥ କ୍ଷେତ୍ରରେ ମଧ୍ୟ ବିରାଟ ପରିବର୍ତ୍ତନ ଆସିଥିଲା  ।

ବାଜୟପେୟୀ ଓ ଆଡଭାନୀ ନବୀନ ସହ ରାଜ୍ୟର ସବୁ ରାଜନୈତିକ ଝଡଝଞ୍ଝାରେ ସହଯୋଗର ହାତ ବଢାଇ ଛିଡା ହୋଇଥିଲେ । ଓଡିଶାରେ ବିଜେପି 1997 ମସିହା ପର୍ଯ୍ୟନ୍ତ କେବଳ ଏକ ସାଇନ ବୋର୍ଡ ପାର୍ଟି ହୋଇ ରହିଥିବା ବେଳେ ନବୀନ ପଟ୍ଟନାୟକ ନେତୃତ୍ବାଧୀନ ବିଜେଡି ସହ ବିଜେପି ରାଜନୈତିକ ମେଣ୍ଟ କରିଥିଲା । ଯେଉଁଥିପାଇଁ ବିଜେପି ମେଣ୍ଟ ସରକାରରେ ନଅ ବର୍ଷ ଶାସନରେ ରହିବାର ସୁଯୋଗ ପାଇଥିଲା । ଓଡିଶାରେ ସରକାରକୁ ଆସିବାର ଏହାଥିଲା ବାଜପେୟୀଙ୍କ ରଣନୀତି, ଯେଉଁଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ ପ୍ରମୋଦ ମହାଜନ ।

Share

Leave a Reply

Your email address will not be published. Required fields are marked *

twelve − seven =