ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଓଡ଼ିଆ ମହିଳା

ଭୁବନେଶ୍ୱର () କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଲକଡାଉନ ସ୍ଥିତି ଜାରି ହୋଇଛି । ବହୁଲୋକ ସରକାରଙ୍କ ଆଦେଶକୁ ମାନି ଘରେ ରହି ସାମାଜିକ ଦୂରତ୍ୱ ଅବଲମ୍ବନ କରୁଛନ୍ତି । ତେବେ ଏଥିଯୋଗୁ ଦେଶର ବହୁ ଗରିବ ଜୀବିକା ଉପାର୍ଜନର ପନ୍ଥା ହରାଇଛନ୍ତି । ଏପରି ଏକ ସମୟରେ କୌଣସି ଗରିବ ପରିବାର ଯେପରି ଆର୍ଥିକ ଅନଟନର ସମ୍ମୁଖିନ ନହେବେ ସେହି ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଜନଧନ ଆକାଉଂଟ ଥିବା ମହିଳା ହିତାଧିକାରୀମାନଙ୍କୁ ତିନି ମାସ ଲାଗି ମାସିକ ୫୦୦ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ସେମାନଙ୍କୁ ତିନି ମାସରେ ମୋଟ ୧୫୦୦ ଟଙ୍କାର ସହାୟତା ମିଳିବ ।

ସାଧାରଣତଃ ମହିଳାମାନଙ୍କ ଉପରେ ପରିବାର ଚଳାଇବାର ଦାୟିତ୍ୱ ରହିଥାଏ । ସେଥିପାଇଁ ଦେଶର ୨୦.୪୦ କୋଟି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ମହିଳା ହିତାଧିକାରୀମାନଙ୍କୁ ମାସିକ ୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ଜନ ଧନ ଯୋଜନାର ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ଏହି ସହାୟତା ପ୍ରେରଣ କରାଯାଉଛି । ଏହାଦ୍ୱାରା ଓଡ଼ିଶାରେ ଥିବା ୩୯.୫୧ ଲକ୍ଷ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ମହିଳା ହିତାଧିକାରୀ ଉପକୃତ ହୋଇଥିବା ସୂଚନା ମିଳିଛି । ଏହି ହିତାଧିକାରୀମାନଙ୍କୁ ପ୍ରଥମ ମାସର ଆର୍ଥିକ ସହାୟତା ସ୍ୱରୂପ ୫୦୦ ଟଙ୍କା ଲେଖାଏଁ ମିଳିସାରିଥିବା ସୂଚନା ମିଳିଛି । ଓଡ଼ିଶାରେ ଥିବା ଜନ ଧନ ଯୋଜନାର ମହିଳା ହିତାଧିକାରୀମାନଙ୍କୁ ତିନି ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୯୨.୬୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଇତିମଧ୍ୟରେ ଜନ ଧନ ଯୋଜନାରେ ଉପକୃତ ହୋଇଥିବା ଓଡ଼ିଶାର କିଛି ମହିଳା ହିତାଧିକାରୀମାନଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି । ସେମାନେ ଏହି ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜନ ଧନ ଆକାଉଂଟରେ ୫୦୦ ଟଙ୍କାର ସହାୟତା ପାଇଥିବା ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ରେମଣ୍ଡା ଗ୍ରାମର ମହିଳା ହିତାଧିକାରୀ ସୁନୀତା ଭୋଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆଉ ଜଣେ ଜନ ଧନ ଆକାଉଂଟଧାରୀ ମହିଳା ଜଗତସିଂହପୁର ଜିଲ୍ଲାର ପ୍ରଜ୍ଞା ପ୍ରଲ୍ଲୁବ୍ଧା ସ୍ୱାଇଁ କରୋନା ଲକଡାଉନ ସମୟରେ ୫୦୦ ଟଙ୍କା ସହାୟତା ପାଇଁ ଏହାକୁ ଘର ଖର୍ଚ୍ଚରେ ଉପଯୋଗ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାଲେଶ୍ୱର ଜିଲ୍ଲାର ମହିଳା ଜନ ଧନ ଆକାଉଂଟ ହିତାଧିକାରୀ ସଞ୍ଜୁ ମହାନ୍ତି, ଏହି ଜିଲ୍ଲାର ଦୁର୍ଗାପୁର ଗ୍ରାମର ସୁକାନ୍ତି ମହାନ୍ତି, ବାସୁମତୀ ମହାନ୍ତି କରୋନା ସମୟରେ ୫୦୦ ଟଙ୍କାର ଆର୍ଥିକ ସହାୟତା ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ନୟାଗଡ଼ ଜିଲ୍ଲା ଖଣ୍ଡୁଗାଁ ଗ୍ରାମର ଜଣେ ମହିଳା ହିତାଧିକାରୀ ସୁକାନ୍ତି ଦାସ ୫୦୦ ଟଙ୍କାର ସହାୟତା ନିଜ ଜନ ଧନ ଆକାଉଂଟରେ ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଧନ୍ୟବାଦ ଜଣାଇଛନ୍ତି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକର ବବିତା ଜଲାଲ ନିଜ ପ୍ରଧାନମନ୍ତ୍ରୀ ଜନ ଧନ ଆକାଉଂଟରେ ୫୦୦ ଟଙ୍କା ସହାୟତା ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି । ଗରିବ ଲୋକଙ୍କ କଲ୍ୟାଣ ପାଇଁ ଏଭଳି ଆର୍ଥିକ ସହାୟତା ନିମନ୍ତେ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ ଦେଶର ଅର୍ଥବ୍ୟବସ୍ଥା ଉପରେ କୋଭିଡ-୧୯ ମହାମାରୀର ଆର୍ଥିକ ପ୍ରଭାବକୁ ହ୍ରାସ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଗତ ମାର୍ଚ୍ଚ ୨୬, ୨୦୨୦ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ତଦନୁଯାୟୀ ବିଭିନ୍ନ ଯୋଜନା ମାଧ୍ୟମରେ ଦେଶର ଗରିବ ଓ ନିମ୍ନ ମଧ୍ୟବିତ ପରିବାରକୁ ସହାୟତା ଯୋଗାଇ ଦିଆଯାଉଛି ।

Share

Leave a Reply

Your email address will not be published. Required fields are marked *

3 + 4 =