ବନ ବିଦ୍ୟାଳୟରେ ବିଶ୍ବବିଦ୍ୟାଳୟ

ପଂଚଶଖାଙ୍କ ସ୍ବପ୍ନକୁ ସାକାର କରିବେ ନବୀନ

ଭୁବନେଶ୍ବର (ନିପ୍ର) : ଉନବିଂଶ ଶତାବ୍ଦିର ଆଦ୍ୟକାଳରେ ପୁରୀ ଜିଲ୍ଲା ସତ୍ୟବାଦୀଠାରେ ବନ ବିଦ୍ୟାଳୟ ରୂପରେ ଶିକ୍ଷା, ସାହିତ୍ୟ ଓ ସଂସ୍କୃତିର ଯେଉଁ ବୀଜ ବପନ ହୋଇଥିଲା ତାହା ଆଜି ମହାଦ୍ରୁମରେ ରୂପାନ୍ତରିତ ହେବାକୁ ଯାଉଛି । କାରଣ ଓଡିଶାରେ ଶିକ୍ଷା, ସାହିତ୍ୟ ଓ ସେବା ପରମ୍ପରାକୁ ନେଇ ରାଜ୍ୟର 5ଜଣ ମହାପୁରୁଷଙ୍କ ଉଦ୍ୟମରେ ଯେଉଁ ବନ ବିଦ୍ୟାଳୟ 1909 ମସିହାରେ ପ୍ରତିଷ୍ଠା ହୋଇଥିଲା ତାହା ଏବେ ବିଶ୍ବ ବିଦ୍ୟାଳୟରେ ରୂପାନ୍ତରିତ ହେବ  ।

ଉତ୍କଳମଣି ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର, ପଣ୍ଡିତ ଗୋଦାବରିଶ ମିଶ୍ର, ପଣ୍ଡିତ ନିଳକଣ୍ଠ ଦାସ ଓ ପଣ୍ଡିତ କୃପାସିନ୍ଧୁ ମିଶ୍ର ଏହି ପଂଚଶଖା ଓଡିଶାରେ ଶିକ୍ଷାର ବିକାଶ, ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାକୁ ଯେଉଁ ସ୍ବପ୍ନ ଦେଖିଥିଲେ ସେ ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ କିଛି ବାଟ ଆଗେଇ ନେବାକୁ ଚେଷ୍ଟା କରିଛନ୍ତି । ପଂଚଶଖାଙ୍କ କର୍ମଭୂମୀ ଏହି ବକୁଳ ବନ ବିଦ୍ୟାଳୟ ମାଟିର ଗୁଣସୂତ୍ରରେ ରହିଛି ଶିକ୍ଷାର ପରମ୍ପରା । ପଂଚଶଖାଙ୍କ ସେହି ସ୍ବପ୍ନକୁ ସାକାର କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କ କର୍ମଭୂମୀରେ ହିଁ ଓଡିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି । ଏହାଦ୍ବାରା ଓଡ଼ିଆ ଭାଷା ପ୍ରତି ସୃଷ୍ଟି ହୋଇଥିବା ଅନାଗ୍ରହ ଦୂର ହେବା ସହ ଆହୁରି ସମୃଦ୍ଧ ହେବ ବୋଲି ବିଶିଷ୍ଟ ଭାଷାବିତମାନେ ମତ ପ୍ରକାଶ କରିଛନ୍ତି ।

ପଂଚସଖାଙ୍କ ବନ ବିଦ୍ୟାଳୟର ପରିକଳ୍ପନା ହୋଇଥିଲା 1866 ମସିହାର ନଅଙ୍କ ଦୁର୍ଭିକ୍ଷର ଦୃଶ୍ୟପଟରୁ । ଏହି ଦୁର୍ଭିକ୍ଷରେ ରାଜ୍ୟର 10ଲକ୍ଷରୁ ଅଧିକ ଲୋକ ମୃତ୍ୟବରଣ କଲେ । ଆଉ ସେହି ଗୋଟିଏ ଦୁର୍ବିପାକ ପରେ ଦାରିଦ୍ର୍ୟ ସତେଯେମିତି ଓଡିଶାରେ ଚୀରକାଳ ପାଇଁ ଘର କରି ରହିଯାଇଛି । ଏହି ଦୁର୍ଭିକ୍ଷ ପାଇଁ ସେ ସମୟରେ ସାର୍ ଟି.ଇ. ରେଭେନ୍ସା ନିଜେ ଦାୟୀ ବୋଲି ପରବର୍ତ୍ତି ସମୟରେ ଅନୁଭବ କରିଥିଲେ । ଏବଂ ସେ ଜାଣିବାକୁ ପାଇଥିଲେ ଯେ, ଅଶିକ୍ଷା ହିଁ ଏହି ଦୁର୍ଭିକ୍ଷର ମୂଳ କାରଣ । ସେହି ଅନୁତାପରେ ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ସେ ରେଭେନ୍ସା ବିଶ୍ବବିଦ୍ୟାଳୟ ତିଆରି କଲେ । ରେଭେନ୍ସାରେ ପାଠ ପଢିବା ସମୟରେ ଉତ୍କଳମଣି ମଧ୍ୟ ସେହି ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଯେଉଁଥିପାଇଁ ସେ ସବୁ ସମୟରେ ରାଜ୍ୟରେ ଶିକ୍ଷା ବିକାଶ, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଏବଂ ସେବା ପରମ୍ପରାକୁ ଲୋକଙ୍କ ମଧ୍ୟରେ ଉଜ୍ଜିବିତ ରଖିବାକୁ ଚେଷ୍ଟା କରୁଥିଲେ ।

ସେ ସମୟରେ ପୁରୀ ଜିଲ୍ଲାରେ ବ୍ୟାପକ ଅରାଜକତା ଚାଲିଥିଲା । ଗୋଟେପଟେ ସ୍ବତନ୍ତ୍ର ଭାଷାଭିତ୍ତିକ ଲଢେଇ, ଆଉ ଅନ୍ୟପଟେ ରାଜ୍ୟ ଭିତରେ ଓଡିଆ ଭାଷାର ସୁରକ୍ଷା ପାଇଁ ପଂଚଶଖାଙ୍କ ସଂଗ୍ରାମ  । ଏଭିତରେ ପୁରୀ ଜିଲ୍ଲାର ସତ୍ୟବାଦୀକୁ ନିଜର କର୍ମଭୂମୀ ଭାବେ ବାଛିନେଇଥିଲେ ଏହି ମହାପୁରଷମାନେ । ଉତ୍କଳମଣି ଗୋପବନ୍ଧୁ ଦାସ ଓ ଅନ୍ୟମାନେ ଏକ ପ୍ରାକୃତିକ ପରିବେଶ ମଧ୍ୟରେ ଶିକ୍ଷା, ସାହିତ୍ୟ ଓ ସର୍ବୋପରି ସମାଜସେବାର ପରମ୍ପରା ଆଧାରରେ ସମାଜ ଗଠନ ପାଇଁ ଆରମ୍ଭ କରିଥିଲେ ବକୁଳ ବନ ବିଦ୍ୟାଳୟ ।

19ଜଣ ଛାତ୍ରଙ୍କୁ ନେଇ ଏହି ବିଦ୍ୟାଳୟ ଆରମ୍ଭ ହୋଇଥିଲା । ଏଥିସହିତ ସେ ସମୟରେ ସମାଜରେ ଛୁଆଁ ଅଛୁଆଁ ଭେଦଭାଦ ସମାଜକୁ ଏତେମାତ୍ରାରେ ଗ୍ରାସ କରିଥିଲା ଯେ, ଶ୍ରେଣୀଗୃହକୁ ଅଛୁଆଁଙ୍କ ପ୍ରବେଶ ନଥିଲା । ସମାଜର ସବୁ ବର୍ଗ ଓ ଶ୍ରେଣୀର ପିଲାଙ୍କୁ ଶିକ୍ଷାର ସମାନ ଅଧିକାର ଓ ସୁଯୋଗ ଦେବା ମଧ୍ୟ ବନ ବିଦ୍ୟାଳୟର ଆଉ ଏକ ଉଦ୍ଦେଶ୍ୟ ଥିଲା ।

ରାଜ୍ୟରେ ଓଡିଶା ଭାଷାକୁ ନେଇ ତଥାକଥିତ ଭାଷାପ୍ରେମୀମାନେ ବାରମ୍ବାର ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । କିନ୍ତୁ କେହି କେବେ ଭାବିନଥିବେ ଯେ, ଓଡିଆ ଭାଷାକୁ ନେଇ ରାଜ୍ୟରେ ଯେଉଁ ରାଜନୈତିକ ବାକବିତଣ୍ଡା ଚାଲିଛି, ସେଭିତରେ ମୁଖ୍ୟମନ୍ତ୍ରୀ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଯେଉଁ ମାଟିରେ ମଂଜି ବୁଣାବୁଣା ହୋଇଥିଲା ସେହି ମାଟିକୁ ପଂଚଶଖାଙ୍କ ପରି ନିଜର ପରବର୍ତ୍ତି କର୍ମକ୍ଷେତ୍ର ରୂପେ ବାଛିବେ । ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଓ ଯୁଗାନ୍ତକାରୀ ନିଷ୍ପତ୍ତି ବୋଲି କହୁଯାଇପାରେ ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ସ୍ବାଗତ କରିଛନ୍ତି । ଗତ 30 ତାରିଖରେ ସତ୍ୟବାଦୀର ବିଭିନ୍ନ ଶ୍ରେଣୀର ପ୍ରାୟ 10 ହଜାର ଲୋକ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସ ନିକଟରେ ସମ୍ବର୍ଦ୍ଧିତ କରିବା ସହ ବନ ବିଦ୍ୟାଳୟରେ ଓଡିଆ ବିଶ୍ବବିଦ୍ୟାଳୟ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ ।

Share

Leave a Reply

Your email address will not be published. Required fields are marked *

two × 1 =