ଆଇନ ଉଲଂଘନକାରୀଙ୍କୁ ଜଗିବ ‘ଓଡିଆ ଫଳକ’

ଭୁବନେଶ୍ବର() ଆଜି ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଏକ ୱେବ ପୋର୍ଟାଲ ‘ଓଡିଆ ଫଳକ’ର ଲୋକାର୍ପଣ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ନାମ ଫଳକ ଓଡିଆ ଭାଷାରେ ପ୍ରଦର୍ଶନ କ୍ଷେତ୍ରରେ ଜନସାଧାରଣଙ୍କ ଭାଗିଦାରୀ ଏବଂ ଆବଶ୍ୟକୀୟ ଦାୟିତ୍ବବୋଧ ପାଳନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ ଯେ ରାଜ୍ୟରେ ଶ୍ରମିକମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନାରେ ପ୍ରଣୟନ ସହିତ ଭିନ୍ନ ଭିନ୍ନ ଶ୍ରମ ଆଇନର ପ୍ରବର୍ତ୍ତନ କରାଯାଉଛି । ତନ୍ମଧ୍ୟରୁ ଓଡିଶା ଦୋକନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ଅନ୍ୟତମ, ଯେଉଁଥିରେକି ପ୍ରତିଷ୍ଠାନଗୁଡିକରେ ଓଡିଶା ଭାଷାରେ ନାମ ଫଳକ ପ୍ରଦର୍ଶନକୁ ବାଧ୍ୟତାମୂଳକ କରାଯାଇଛି ।

ରାଜ୍ୟର ଅନେକ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ ନାମ ଫଳନ ଓଡିଆ ଭାଷାରେ ଲେଖା ଯାଉନଥିବାରୁ ଅନ୍ୟ ଭାଷା ଜାଣି ନଥିବା ଓଡିଆ ଲୋକ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । ଉପରୋକ୍ତ ଆଇନରେ ସମସ୍ତ ପ୍ରତିଷ୍ଠାନଗୁଡିକରେ ନାମ ଫଳକ ଓଡିଶା ଭାଷାରେ ପ୍ରଦର୍ଶନର ବ୍ୟବସ୍ଥା ରହିଥିବା ମଧ୍ୟ ଅନେକ ପ୍ରତିଷ୍ଠାନର ମାଲିକମାନେ ତାହା ଯଥାରିତି ପାଳନ କରୁନାହାନ୍ତି । ଏଥି ନିମନ୍ତେ ଆଜିଠାରୁ ‘ଓଡିଶା ଫଳକ’ ନାମକ ଏକ ୱେବ ପୋର୍ଟାଲ ଶୁଭ ଆରମ୍ଭ କରାଯାଉଅଛି । ଯାହା ମାଧ୍ୟମରେ ସାଧାରଣ ଜନତା ଏସମ୍ପର୍କରେ ଅନଲାଇନରେ ଅଭିଯୋଗ ଦାଖଲ କରିପାରିବେ ଏବଂ ତଦଅନୁଯାଇ ପ୍ରତିଷ୍ଠାନର ମାଲିକଙ୍କ ବିରୁଦ୍ଧରେ ବିଭାଗୀୟ ଅଧିକାରୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ।

ଶ୍ରମ ମନ୍ତ୍ରୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଅଗ୍ରାଧିକାର ଦିଆଯାଉଥିବା ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଦଳଗତ ଭାବେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ସ୍ବଚ୍ଛତାର ସହିତ ସମୟୋଚିତ ପଦକ୍ଷେପ ଗ୍ରହଣ ଦ୍ବାରା କାର୍ଯ୍ୟ ଶୈଳିର ରୂପାନ୍ତରଣ କ୍ଷେତ୍ରରେ ଅନ୍ୟତମ ପ୍ରୟାସ । ଏହାଦ୍ବାରା ଓଡିଆ ଭାଷାରେ ସମସ୍ତ ସରକାରୀ କାର୍ଯ୍ୟ କରିବା କ୍ଷେତ୍ରର ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ନିଶ୍ଚିତ ଭାବରେ ଫଳପ୍ରଦ ହୋଇପାରିବ । ଯାହା ଫଳରେ ରାଜ୍ୟରେ ଓଡିଆ ଭାଷାର ବହୁଳ ପ୍ରଚାର ଓ ପ୍ରସାର ହେବା ସହିତ ଓଡିଶାର ସ୍ବାଭିମାନ ନିଶ୍ଚିତ ଭାବେ ସମୃଦ୍ଧ ହୋଇପାରିବ ।

Share

Leave a Reply

Your email address will not be published. Required fields are marked *

eighteen − 10 =