ସୁଟିଂ, ଏଡିଟିଂ ପାଇଁ ଆଉ ବାହାରକୁ ଯିବାକୁ ପଡିବନି

ଭୁବନେଶ୍ବର: ବିଶ୍ୱସ୍ତରୀୟ ହେବ କଳିଙ୍ଗ ଷ୍ଟୁଡିଓ । ଷ୍ଟୁଡିଓ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀକରଣରେ ବିନିଯୋଗ ହେବ ୨ଶହ କୋଟି । ଇଡକୋକୁ ଷ୍ଟୁଡିଓ ନବୀକରଣ ଦାୟିତ୍ବ ଦିଆଯାଇଛି । ଡିସେମ୍ବର ୨୦୨୨ ସୁଦ୍ଧା ନବୀକରଣ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରହିଛି । ଏଣିକି ଚଳିଚ୍ଚିତ୍ର ସୁଟିଂ ପାଇଁ ରାଜ୍ୟ ବାହାରକୁ ଯିବେନି ପ୍ରଯୋଜକ, ନିର୍ଦ୍ଦେଶକ । କଳିଙ୍ଗ ଷ୍ଟୁଡିଓରେ ମିଳିବ ଅତ୍ୟାଧୁନିକ ସୁବିଧା । ବିମାନବନ୍ଦର, ରେଳଷ୍ଟେସନ, ବିଲଡିଙ୍ଗ, ହସ୍ପିଟାଲ, ଜେଲ ଓ ପୋଖରୀ ସବୁ କିଛିର ସୁବିଧା ମିଳିବ କଳିଙ୍ଗ ଷ୍ଟୁଡିଓରେ । 

ନୂଆ ଷ୍ଟୁଡିଓରେ ରହିବ ଏକାଧିକ ଇନଡୋର ଷ୍ଟୁଡିଓ । ବିଷୟବସ୍ତୁ ଆଧାରିତ ପାର୍କ ସହ ପୋଷ୍ଟ ପ୍ରଡକସନ୍ ସୁବିଧା ରହିବ । ଡବିଂ, ଆନିମେସନ ଭଳି ଅତ୍ୟାଧୁନିକ ସୁବିଧା ମଧ୍ୟ ଉପଲବ୍ଧ ହେବ । ଷ୍ଟୁଡିଓରେ ଶିଶୁ ଉଦ୍ୟାନ, ଓ୍ୱାଟର ପାର୍କ ଓ ସ୍ନୋଓ୍ୱାର୍ଲ୍ଡ ରହିବ । ଏହି ଷ୍ଟୁଡିଓ ଓଡ଼ିଆ ସିନେମା ଶିଳ୍ପର ବିକାଶ ଦିଗରେ ସହଯୋଗ କରିବା ସହ ଆନୁସଙ୍ଗିକ ଶିଳ୍ପ ପାଇଁ ଭିତ୍ତିଭୂମି ସୃଷ୍ଟି କରିବ । ନୂଆ କଳିଙ୍ଗ ଷ୍ଟୁଡିଓ ସିନେମା ଜଗତ ସହ ଜଡ଼ିତ ୨ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ଦେବ । ଏହାଛଡ଼ା ପ୍ରାୟ ୧୦ହଜାର ଲୋକଙ୍କ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ୧୯୮୦ରେ ପ୍ରତିଷ୍ଠା ହୋଇଥିବା କଳିଙ୍ଗ ଷ୍ଟୁଡିଓ ଓଡ଼ିଆ ସିନେମାକୁ ନୂଆ ଦିଗ ଦେଇଥିଲା । ପୂର୍ବ ଭାରତରେ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଏହା ଏକମାତ୍ର ଫିଲ୍ମ ଷ୍ଟୁଡିଓ । ଏଠାରେ ଅନେକ ଉଚ୍ଚକୋଟୀର ସିନେମା ତିଆରି ହୋଇଛି ।

ଷ୍ଟୁଡିଓର ନବକଳେବର ପାଇଁ ରାଜ୍ୟ ସରକାର ୨ଶହ କୋଟି ଟଙ୍କା ମଂଜୁର କରିଛନ୍ତି । ରାସ୍ତାଠୁ ଆରମ୍ଭ କରି ଏଡିଟିଂ ରୁମ ଓ ଡବିଂ ରୁମ ସବୁକିଛି ପାଇବ ନୂଆରୂପ । ଏଥିସହ କଳାକାର ଓ ପର୍ଯ୍ୟଟକଙ୍କ ପାଇଁ ଡର୍ମିଟୋରୀ ଓ କ୍ୟାଣ୍ଟିନ ବ୍ୟବସ୍ଥା ରହିବ । ଫିଲ୍ମ ସୁଟିଂ ସହ ପର୍ଯ୍ୟଟନକୁ ଗୁରୁତ୍ବ ଦେଇ ଏହାର ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ୨୫ ଏକର ଜମିରେ ଏହି ବିଶ୍ବସ୍ତରୀୟ ଫିଲ୍ମସିଟି ନିର୍ମାଣ କରାଯିବ। ଷ୍ଟୁଡିଓ ର ଡିଜାଇନ ପ୍ରସ୍ତୁତ କରିଛନ୍ତି ଓଡ଼ିଆ ଆର୍କିଟେକ୍ଚର ରୁଚିପୂର୍ଣ୍ଣ ଜେନା। ସେ ବିହାର ଫିଲ୍ମସିଟି ର ଡିଜାଇନ ପ୍ରସ୍ତୁତ କରିଥିଲେ। ଶିଳାନ୍ୟାସ ଉତ୍ସବରେ ମନ୍ତ୍ରୀ ଦିବ୍ୟସଙ୍କର ମିଶ୍ର, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ଫିଲ୍ମ ପ୍ରଯୋଜକ, ନିର୍ଦ୍ଦେଶ, ଅଭିନେତା, ଅଭିନେତ୍ରୀ ଉପସ୍ଥିତ ଥିଲେ।

Share

Leave a Reply

Your email address will not be published. Required fields are marked *

8 + nine =