ମାଟ୍ରିକ ପରୀକ୍ଷା ପ୍ରସ୍ତୁତି : ପରୀକ୍ଷା ଦିନ ସକାଳୁ ପହଞ୍ଚିବ ପ୍ରଶ୍ନପତ୍ର, ମୋବାଇଲ ନିଷିଦ୍ଧ

ପରୀକ୍ଷା ସମ୍ବନ୍ଧିତ ବେଆଇନ୍‌ କାର୍ଯ୍ୟ ଧର୍ତ୍ତବ୍ୟ ଏବଂ ଜାମିନ ବିହିନ ଅପରାଧ

ଭୁବନେଶ୍ବର () ବିଗତ ବର୍ଷମାନଙ୍କରେ ପ୍ରଶ୍ନପତ୍ର ଲିକକୁ ନେଇ ସମାଲୋଚନାର ଶୀକାର ହୋଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଥର ମାଟ୍ରିକ ପରୀକ୍ଷାରେ ଆବଶ୍ୟକ ସୂରକ୍ଷା ପାଇଁ ତ୍ରୀସ୍ତରୀୟ ପ୍ରଶ୍ନପତ୍ର ସିଲର ବ୍ୟବସ୍ଥା କରିଛି । ଏଥିସହିତ ପରୀକ୍ଷା ସମ୍ବନ୍ଧିତ ବେଆଇନ୍‌ କାର୍ଯ୍ୟକୁ ଧର୍ତ୍ତବ୍ୟ ଏବଂ ଜାମିନ ବିହୀନ ଅପରାଧ ଭାବେ ବିବେଚନା କରାଯିବ ।

ଚଳିତ ବର୍ଷ ପ୍ରଶ୍ନପତ୍ର ପରୀକ୍ଷା ଦିନ ସକାଳ ୬ଟାରୁ ୮ଟା ୩୦ ମିନିଟ୍‌ ମଧ୍ୟରେ ସଂପୃକ୍ତ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ସହ ପହଞ୍ଚାଇ ଦିଆଯିବ । ପ୍ରଶ୍ନପତ୍ରର ତ୍ରିସ୍ତରୀୟ କଭର ବ୍ୟବସ୍ଥା ରହିବ । ପ୍ରଶ୍ନପତ୍ରର ୨ୟ ସ୍ତର ସିଲ୍‌ ପରୀକ୍ଷା ହଲ୍‌ରେ ନିରୀକ୍ଷକ ଏବଂ ପରୀକ୍ଷାର୍ଥୀ ମାନଙ୍କ ସାମ୍ନାରେ ଖୋଲାହେବ । ପରେ ପରୀକ୍ଷାର୍ଥୀ ନିଜେ ତୃତୀୟ ସ୍ତର ସିଲ୍‌ ଖୋଲି ଉତ୍ତର ଲେଖିବେ । ପରୀକ୍ଷା ସେଣ୍ଟର ଭିତରକୁ ମୋବାଇଲ୍‌ ଫୋନ୍‌ ନିଷିଦ୍ଧ କରାଯାଇଛି । ପରୀକ୍ଷା ନିରୀକ୍ଷକ ବା ପରୀକ୍ଷା ସହ ସଂପୃକ୍ତ କୌଣସି କର୍ମଚାରୀ /ଅଧିକାରୀ ସେଣ୍ଟର ମଧ୍ୟକୁ ମୋବାଇଲ୍‌ ଫୋନ୍‌ ନେଇ ପାରିବେ ନାହିଁ ।

ଆଗାମୀ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାର ସୁପରିଚାଳନା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି । ଏଥି ନିମନ୍ତେ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପରୀକ୍ଷା କେନ୍ଦ୍ର ପରିଚାଳନା, ପ୍ରଶ୍ନପତ୍ର ପ୍ୟାକେଟ୍‌ ବିତରଣ, ଉତ୍ତର ଖାତାର ପରିବହନ, ମୂଲ୍ୟାୟନ, ଆଇନ୍‌ ଶୃଙ୍ଖଳା ଓ ସୁରକ୍ଷା ଆଦି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା ।

ମୁଖ୍ୟ ଶାସନ ସଚିବ ଏବଂ ପୋଲିସ୍‌ ମହା ନିର୍ଦ୍ଦେଶକ ଡ଼ଃ ରାଜେନ୍ଦ୍ର ପ୍ରସାଦ ଶର୍ମା ଭିଡିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ ଜିଲ୍ଲାୱାରୀ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଥିଲେ ଯେ ମାଟ୍ରିକ୍‌ ପରୀକ୍ଷା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ପାଇଁ ଗୁରୁତ୍ବପୂର୍ଣ୍ଣ । ଅନ୍ୟ ପରୀକ୍ଷା ମାନଙ୍କ ତୁଳନାରେ ଏଥିରେ ସବୁଠାରୁ ଅଧିକ ସଂଙ୍ଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଆନ୍ତି । ତେଣୁ ଏହି ପରୀକ୍ଷାକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁଗମ କରିବା ପାଇଁ ଶ୍ରୀ ପାଢ଼ୀ ବୋର୍ଡ କର୍ତ୍ତୁପକ୍ଷ ଏବଂ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପୋଲିସ୍‌ ମହା ନିର୍ଦ୍ଦେଶକ ଡ଼ଃ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଥିଲେ ଯେ ପରୀକ୍ଷା ସମ୍ବନ୍ଧିତ ବେଆଇନ୍‌ କାର୍ଯ୍ୟ ଧର୍ତ୍ତବ୍ୟ ଏବଂ ଜାମିନ ବିହୀନ ଅପରାଧ । ତେଣୁ ଏପ୍ରକାର ଅପରାଧର ନିରୋଧ ପାଇଁ ସେଣ୍ଟରୱାରୀ ଆବଶ୍ୟକୀୟ ପୋଲିସ୍‌ ମୁତୟନ କରିବା ପାଇଁ ଡ଼ଃ ଶର୍ମା ଏସ୍‌.ପି. ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଶ୍ନପତ୍ର ଏବଂ ଉତ୍ତରଖାତା ପରିବହନ ସମୟରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଏସ୍‌.ପି. ମାନଙ୍କୁ କୁହାଯାଇଥିଲା ।

ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଲିକ୍‌ ସମ୍ବନ୍ଧିତ ଗୁଜବକୁ ପ୍ରତିହତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଜାଗ ଓ ତପିର ରହିବା ନିମନ୍ତେ ଉନ୍ନୟନ କମିଶନର ଅସୀତ କୁମାର ତ୍ରିପାଠୀ ପରାମର୍ଶ ଦେଇଥିଲେ । ଏଥିପାଇଁ ସ୍ବତନ୍ତ୍ର ଅଧିକାରୀ ମାନଙ୍କୁ ଦାୟିତ୍ବ ଦେବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ବୈଠକପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ମଧ୍ୟରେ ସରିବ । ଏଥିରେ ସମୁଦାୟ ୫,୮୭,୭୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ରାଜ୍ୟରେ ସମୁଦାୟ ୨୯୫୩ ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରଶ୍ନପତ୍ରର ବିତରଣ ପାଇଁ ୩୦୪ଟି ନୋଡାଲ୍‌ ସେଣ୍ଟର ଏବଂ ୭୦୧ଟି ପ୍ରେରକ ଟିମ୍‌ ଗଠନ କରାଯାଇଛି । ପରୀକ୍ଷା ପରେ ପରେ ଖାତା ମୂଲ୍ୟାୟନ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଏପ୍ରିଲ୍‌ ୭ ମଧ୍ୟରେ ଶେଷ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଜିଲ୍ଲାରେ ସମୁଦାୟ ୬୦ଟି ମୂଲ୍ୟାୟନ କେନ୍ଦ୍ର ହେବ ।

ସେ କହିଥିଲେ ଯେ ଚଳିତ ବର୍ଷ ପ୍ରଶ୍ନପତ୍ର ପରୀକ୍ଷା ଦିନ ସକାଳ ୬ଟାରୁ ୮ଟା ୩୦ ମିନିଟ୍‌ ମଧ୍ୟରେ ସଂପୃକ୍ତ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ସହ ପହଞ୍ଚାଇ ଦିଆଯିବ । ପ୍ରଶ୍ନପତ୍ରର ତ୍ରିସ୍ତରୀୟ କଭର ବ୍ୟବସ୍ଥା ରହିବ । ପ୍ରଶ୍ନପତ୍ରର ୨ୟ ସ୍ତର ସିଲ୍‌ ପରୀକ୍ଷା ହଲ୍‌ରେ ନିରୀକ୍ଷକ ଏବଂ ପରୀକ୍ଷାର୍ଥୀ ମାନଙ୍କ ସାମ୍ନାରେ ଖୋଲାହେବ । ପରେ ପରୀକ୍ଷାର୍ଥୀ ନିଜେ ତୃତୀୟ ସ୍ତର ସିଲ୍‌ ଖୋଲି ଉତ୍ତର ଲେଖିବେ । ପରୀକ୍ଷା ସେଣ୍ଟର ଭିତରକୁ ମୋବାଇଲ୍‌ ଫୋନ୍‌ ନିଷିଦ୍ଧ କରାଯାଇଛି । ପରୀକ୍ଷା ନିରୀକ୍ଷକ ବା ପରୀକ୍ଷା ସହ ସଂପୃକ୍ତ କୌଣସି କର୍ମଚାରୀ /ଅଧିକାରୀ ସେଣ୍ଟର ମଧ୍ୟକୁ ମୋବାଇଲ୍‌ ଫୋନ୍‌ ନେଇ ପାରିବେ ନାହିଁ ।

ପରୀକ୍ଷାର ପ୍ରଥମ ଦିନ ସକାଳ ୯ଟା ସମୟରେ ପରୀକ୍ଷାର୍ଥୀମାନେ କେନ୍ଦ୍ରକୁ ପ୍ରବେଶ କରିବେ । ଅନ୍ୟ ଦିନମାନଙ୍କରେ ୯ଟା ୧୫ ମିନିଟ୍‌ ସମୟରେ ପ୍ରବେଶ କରିବେ । କପି ବନ୍ଦ ପାଇଁ ବାଳକ ଓ ବାଳିକା ମାନଙ୍କୁ ପୃଥକ ପୃଥକ ଭାବେ କଡା ଯାଞ୍ଚ୍‌ କରାଯିବ । ପରୀକ୍ଷାର ନିରୀକ୍ଷଣ ପାଇଁ ୫୮ଟି ଫ୍ଲାଇଂ ସ୍କାର୍ଡ, ୪୪ଟି ସ୍ବତନ୍ତ୍ର ସ୍କାର୍ଡ ଏବଂ ୬ଟି ଜୋନାଲ୍‌ ସ୍କାର୍ଡ ଗଠନ କରାଯାଇଛି। ଆବଶ୍ୟକତା ଅନୁସାରେ ପରୀକ୍ଷା କେନ୍ଦ୍ର ଅଂଚଳରେ ୧୪୪ ଧାରା ଲାଗୁ କରାଯିବାର ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ୧୭-ପଏଣ୍ଟ୍‌ ସମ୍ବଳିତ ‘‘ଷ୍ଟାଣ୍ଡାର୍ଡ ପ୍ରୋଟୋକଲ ପ୍ରସ୍ତୁତ କରାଯାଇ ସମସ୍ତ ସୁପରିଟେଣ୍ଡେଣ୍ଟ୍‌ ମାନଙ୍କୁ ଜଣାଇ ଦିଆଯାଇଛି ଏବଂ ତଦନୁଯାୟୀ କାର୍ଯ୍ୟ କରିବାକୁ ତାଲିମ ଦିଆଯାଇଛି ବୋଲି ପ୍ରମୁଖ ଶାସନ ସଚିବ କହିଥିଲେ ।

Share

Leave a Reply

Your email address will not be published. Required fields are marked *

sixteen + 13 =