କାଳିଆରେ ସହାୟତାରେ କୌଣସି ଅନିୟମିତତା ହୋଇନି

ମାତ୍ର 1% ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସହଜରେ ଅର୍ଥ ଫେରିବ

ଭୁବନେଶ୍ବର () କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ହଟଚମଟ ଚାଲିଥିବାବେଳେ ବାସ୍ତବରେ ଏମାନଙ୍କ ସଂଖ୍ୟା ଏକ ପ୍ରତିଶତରୁ କମ୍‍ ରହିଛି ଓ ସହଜରେ ସେମାନଙ୍କ ଠାରୁ ସହାୟତା ରାଶି ଫେରାଇ ଅଣାଯିବ । ପ୍ରଥମ ପର୍ଯ୍ୟାୟରେ ୫୧ଲକ୍ଷ ୫ହଜାର ଚାଷୀ ସହାୟତା ପାଇଥିବାବେଳେ ଏମାନଙ୍କ ମଧ୍ୟରେ ବଡଚାଷୀ, ଟିକସଦାତା, ସରକାରୀ କର୍ମଚାରୀ ଓ ପେନ୍‍ସନଭୋଗୀଙ୍କ ସଂଖ୍ୟା ମାତ୍ର ୪୦ହଜାର ରହିଛି । ଏମାନଙ୍କ ମଧ୍ୟରୁ ଅନେକ ଏବେ ସହାୟତା ରାଶି ଫେରାଇବାକୁ ନିଜଆଡୁ ଆଗ୍ରହ ପ୍ରକାଶ କରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5-ଟି ମନ୍ତ୍ରକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଇ ସମ୍ପୁର୍ଣ୍ଣ ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରାଯାଇଛି । ଜଣେ ହେଲେ ବୋନାମୀ ଆକାଉଣ୍ଟକୁ କିମ୍ବା ବ୍ୟକ୍ତିଙ୍କୁ କାଳିଆ ସହାୟତା ମିଳିନାହିଁ । ଏହି ପ୍ରକ୍ରିୟାରେ ଉଭୟ ଟେକ୍ନୋଲୋଜି ଓ ଟ୍ରାନ୍ସପାରେନ୍ସିର ସଦୁପଯୋଗ କରାଯାଇ 1ପ୍ରତିଶତ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଏବଂ ସେମାନଙ୍କ ସମ୍ପୁର୍ଣ୍ଣ ବିବରଣୀ ସରକାରଙ୍କ ପାଖରେ ଥିବାରୁ ଟଙ୍କା ଫେରସ୍ତ ହେବାରେ କୌଣସି ଅସୁବିଧା ହେବନାହିଁ ।

ଏହି ଯୋଜନାରେ ହିତାଧିକାରୀମାନଙ୍କ ସହାୟତା ରାଶି ସେମାନଙ୍କ ବ୍ୟାଙ୍କ୍‍ ଖାତାକୁ ସିଧାସଳଖ ପଠାଇ ଦିଆଯାଇଥିବାରୁ ସହାୟତା ପ୍ରଦାନରେ କୌଣସି ପ୍ରକାର ବେନିୟମ ବି ହୋଇନାହିଁ । ଯୋଜନାରେ ବ୍ୟୟ ହୋଇଥିବା ଟଙ୍କାଟିଏ ବି ସ୍ବଚ୍ଛ ଉପାୟରେ ଚାଷୀଙ୍କ ନିକଟରେ ପହଞ୍ଚିଛି । ଅର୍ଥ ନେଇଥିବା ହିତାଧିକାରୀଙ୍କ ସମସ୍ତ ବିବରଣୀ ସରକାରଙ୍କ ନିକଟରେ ରହିଥିବା ଯୋଗୁଁ ସେମାନଙ୍କ ସହିତ କୌଣସି ସମୟରେ ଯୋଗାଯୋଗ କରାଯାଇ ପାରିବ । କାଳିଆ ଯୋଜନାରେ ଉପକୃତ ହୋଇଥିବା ୩ଲକ୍ଷ ହିତାଧିକାରୀ, ଯେଉଁମାନଙ୍କ ପରିବାରରୁ ଏକାଧିକ ଚାଷୀ ଉପକୃତ ହୋଇଥିବା ଲକ୍ଷ୍ୟ କରାଯାଇଛି ବାସ୍ତବରେ ସେମାନେ କୌଣସି ଅନୈତିକ ଉପାୟରେ ଅର୍ଥ ପାଇନାହାନ୍ତି । ଯେହେତୁ କାଳିଆ ଯୋଜନାରେ ଗୋଟିଏ ଚାଷୀ ପରିବାରର ଜଣଙ୍କୁ ସହାୟତା ଦେବାର ବ୍ୟବସ୍ଥା ରହିଛି ତେଣୁ ଏହି ତିନିଲକ୍ଷ ହିତାଧିକାରୀଙ୍କୁ ଅଧିକ ଭାବେ ଦର୍ଶାଯାଉଛି । ଏମାନେ ସହାୟତା ଆକାରରେ ପାଇଥିବା ୧୫୦ କୋଟି ଟଙ୍କାକୁ ସେମାନଙ୍କ ପରିବାରକୁ ପରବର୍ତ୍ତୀ ପର୍ଯ୍ୟାୟରେ ମିଳିବାକୁ ଥିବା କାଳିଆ ଅର୍ଥରେ ଆଡଜଷ୍ଟ କରାଯିବ । ତେଣୁ ଏଥିରେ ରାଜକୋଷରୁ କୌଣସି ଅର୍ଥ ବେନିୟମ ଭାବେ ବ୍ୟୟ ହେବାର ସମ୍ଭାବନା ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

କାଳିଆ ଯୋଜନା ଘୋଷଣା ହେବାପରେ ଏଥିରେ ସାମିଲ ହେବାପାଇଁ ପ୍ରଥମ ପର୍ଯ୍ୟାୟରେ ଏକ କୋଟି ୧୯ ଲକ୍ଷ ଆବେଦନ ପଡିଥିଲା । ବିଭିନ୍ନ ପର୍ଯ୍ୟାୟରେ ଆବେଦନପତ୍ର ଗୁଡିକର ଯାଞ୍ଚ ହେବାପରେ ୭୦୦୦ ପଞ୍ଚାୟତରେ ଡ୍ରାଫ୍ଟ ତାଲିକା ଝୁଲାଇ ଦିଆଯାଇଥିଲା । ଅନେକ ହିତାଧିକାରୀ ଯୋଜନାରୁ ନିଜକୁ ବାଦ୍‍ ଦେବାପାଇଁ ପଞ୍ଚାୟତରେ ଆବେଦନ କରିଥିଲେ । ନାଲି ରଙ୍ଗର ଫର୍ମରେ ଆବେଦନ କରିଥିବା ପାଖାପାଖି ଏକ ଲକ୍ଷ ହିତାଧିକାରୀଙ୍କୁ ସେମାନଙ୍କ ଅନୁରୋଧ ଅନୁଯାୟୀ ଚିଠା ତାଲିକାରୁ ବାଦ୍‍ ଦିଆଯାଇଥିଲା ।

ହିତାଧିକାରୀ ଚୟନ ପାଇଁ ୫୦ହଜାରରୁ ଉର୍ଦ୍ଧ୍ବ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ଏହିପରି ତିନି ପର୍ଯ୍ୟାୟ ଯାଞ୍ଚ ପରେ ସରକାରଙ୍କ ନିକଟରେ ଥିବା ଚାଷୀଙ୍କ ଡାଟାବେସ୍‍ ଆଧାରରେ ଚୂଡାନ୍ତ ତାଲିକାରେ ୫୧ଲକ୍ଷ ୫ହଜାର ସ୍ଥାନ ପାଇଥିଲେ । ଇତି ମଧ୍ୟରେ ୨ହଜାରରୁ ଅଧିକ ହିତାଧିକାରୀ ସେମାନେ ପାଇଥିବା ସହାୟତା ଅର୍ଥ ଫେରାଇବାକୁ ଅନୁରୋଧ କରିଛନ୍ତି ।

କାଳିଆ ଯୋଜନାଟି ରାଜ୍ୟର କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଓ ଭୂମିହୀନ ବ୍ୟକ୍ତିମାନଙ୍କ ଲାଗି କାର୍ଯ୍ୟକାରୀ ହେଉଥିବାବେଳେ ବିନା ମଧ୍ୟସ୍ଥିରେ ସରକାର ଏହି ଅର୍ଥକୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ୍‍ ଆକାଉଣ୍ଟକୁ ପଠାଉଛନ୍ତି । ତେଣୁ ଯୋଜନାରେ କୌଣସି ତ୍ରୁଟିବିଚ୍ୟୁତି କିମ୍ବା ଅର୍ଥ ହେରଫେର ହେବାର ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Share

Leave a Reply

Your email address will not be published. Required fields are marked *

ten + eleven =