ବଦଳୁନି ଆହାର କେନ୍ଦ୍ରର ଖାଦ୍ୟ ତାଲିକା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅନ୍ୟତମ ଆକର୍ଷଣୀୟ ଓ ସଫଳ ଯାଜନା ଆହାରରେ ଖାଦ୍ୟର ତାଲିକା ଦୀର୍ଘଦିନ ହେଲା ବଦଳୁ ନାହିଁ । ତାଲିକା ବଦଳୁନାହିଁ କି ଏହା ପରିଚାଳନାରେ ଥିବା ସଂସ୍ଥାରେ ବି ପରିବର୍ତ୍ତନ ହେଉନାହିଁ । ଯୋଜନା ଆରମ୍ଭ ସମୟରୁ ଆହାର କେନ୍ଦ୍ରରେ କେବଳ ଭାତ ଡାଲମା ମିଳୁଥିବାବେଳେ ଏବେ ତାହା ସହିତ ଆଚାର ଟିକେ ମିଳୁଛି ।
ଆହାର କେନ୍ଦ୍ରରେ ଲୋକେ ଗୋଟିଏ ମିଲ୍‍ ୫ଟଙ୍କା ଦେଇ ଖାଉଛନ୍ତି । ଏହି ମିଲ୍‍ ପାଇଁ ରାଜ୍ୟ ସରକାର ୧୮ଟଙ୍କା ଯୋଗାଉଛନ୍ତି । ଅର୍ଥାତ୍‍ ଗୋଟିଏ ମିଲ୍‍ ପାଇଁ ଖର୍ଚ୍ଚ ହେଉଛି ୨୩ଟଙ୍କା । ୨୩ଟଙ୍କାରେ ଲୋକଙ୍କୁ ଭାତ ଡାଲମା ମିଳୁଥିବାବେଳେ ଏବେ ସେଥିରେ ଆଚାରକୁ ଯୋଡାଯାଇଛି । ଏହି ଆଚାରର ଦାମ୍‍ ଅତି ନଗଣ୍ୟ । ଆହାର କେନ୍ଦ୍ର ଆରମ୍ଭ ହୋଇଥିବାବେଳେ ଦିନକୁ ୨୫ହଜାର ମିଲ୍‍ ରୋଷେଇ ହେଉଥିବାବେଳେ ଏବେ ତାହା ବୃଦ୍ଧି ପାଇ ଏକ ଲକ୍ଷରେ ପହଞ୍ଚିଥିବା କୁହାଯାଉଛି । ହେଲେ ଭାତ ଡାଲମାରେ କିଛି ପରିବର୍ତ୍ତନ ହେଉନାହିଁ । ଲୋକେ ୭ବର୍ଷ ତଳେ ଯାହା ଖାଉଥିଲେ ଏବେ ବି ସେଇଆ ଖାଉଛନ୍ତି ।

ଖାଦ୍ୟ ବିଷୟରେ ଲୋକଙ୍କ ମତ ହେଉଛି ଯେ ୨୩ଟଙ୍କାରେ ଭାତ ଡାଲମା ସହିତ ଆଉ ଗୋଟିଏ ତରକାରୀ କିମ୍ବା ଭଜା ଯୋଗାଯାଇ ପାରିବ । କାରଣ ଆହାର କେନ୍ଦ୍ର ପାଇଁ ସରକାର ଘର ସହିତ ବିଜୁଳି, ପାଣି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଛନ୍ତି । ତେଣୁ ଖାଦ୍ୟ ବାବଦରେ କେବଳ ୨୩ ଟଙ୍କା ଖର୍ଚ୍ଚ ହେଉଛି । ରାଜ୍ୟର ବିଭିନ୍ନ ସହରରେ ଲୋକଙ୍କୁ କିଛି ବ୍ୟବସାୟୀ ୨ରୁ ୨୫ ଟଙ୍କାରେ ଭଲ ଆହାର ଯୋଗାଇ ଦେଉଛନ୍ତି । ଅତୀରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଭାତ ଡାଲମା ସହିତ କିଛି ତରକାରୀକୁ ଗୋଟିଏ ସଂସ୍ଥା ୧୦ଟଙ୍କା ଦରରେ ଯୋଗାଇ ଦେବାର ନଜିର ଅଛି ।

ତେବେ ଭାତ ଡାଲମାରେ ପରିବର୍ତ୍ତନ ନହେବା ପଛରେ କର୍ତ୍ତୃପକ୍ଷଙ୍କୁ କିଛି ଲୋକ ଦାୟୀ କରୁଛନ୍ତି । କାରଣ ଯଦି ମଝିରେ ମଝିରେ ଭିନ୍ନ ଭିନ୍ନ ସଂସ୍ଥାଙ୍କୁ ଏହି ଦାୟିତ୍ୱ ମିଳନ୍ତା ତେବେ ପ୍ରତିଯୋଗିତା ଭିତ୍ତିରେ ଖାଦ୍ୟର ମାନ, ଗୁଣ ଓ ପରିମାଣ ବୃଦ୍ଧି ପାଆନ୍ତା । ସେହିଭଳି ଯଦି ମହିଳା ସ୍ୱୟଂ ସହାୟିକ ଗୋଷ୍ଠିକୁ ଏହାର ପରିଚାଳନା ଦାୟିତ୍ୱ ମିଳନ୍ତା ତେବେ ବି ଖାଦ୍ୟ ମାନ ଓ ପରିମାଣରେ ବୃଦ୍ଧି ଘଟନ୍ତା । ହେଲେ ସରକାର ଯେଉଁ ସଂସ୍ଥାକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଦେଇଛନ୍ତି ଦୀର୍ଘଦିନ ଧରି ସେଥିରେ କିଛି ପରିବର୍ତ୍ତନ କରୁନାହାନ୍ତି ।

ରାଜ୍ୟର ଆହାର କେନ୍ଦ୍ରଗୁଡିକୁ ଯେଉଁସବୁ ସଂସ୍ଥା ଖାଦ୍ୟ ଯୋଗାଇବା ଦାୟିତ୍ୱ ନେଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପ୍ରତିଷ୍ଠିତ ଏନ୍‍ଜିଓ । ଏମାନେ ସରକାରଙ୍କ ଠାରୁ ମିଲ୍‍ ପିଛା ୧୮ଟଙ୍କା ସବ୍‍ସିଡ୍‍ ପାଉଥିବାବେଳେ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରୁ ମୋଟା ଅଙ୍କର ଅନୁଦାନ ଆଣୁଛନ୍ତି । କେବଳ ଆହର କେନ୍ଦ୍ର ନୁହେଁ, ଏମାନଙ୍କ ମଧ୍ୟରୁ କେତେକ ମଧ୍ୟାହ୍ନଭୋଜନ ଦାୟିତ୍ୱ ବି ମୁଣ୍ଡାଇଛନ୍ତି । ତେଣୁ ୨୩ ଟଙ୍କାରେ ଲୋକଙ୍କୁ କେବଳ ଭାତ ଡାଲମା ଯୋଗାଇବାକୁ କିଛି ବ୍ୟକ୍ତି ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ଆହାର କେନ୍ଦ୍ର ପରିଚାଳନା ଆହାର ସୋସାଇଟି ହାତରେ ଥିବାବେଳେ ଅସଲରେ କିନ୍ତୁ ନଗର ଉନ୍ନୟନ ବିଭାଗର ଏହା ତତ୍ୱାବଧାରକ । ତେଣୁ ବିଭାଗ ପକ୍ଷରୁ ନିଦ୍ଦିଷ୍ଟ ସମୟ ଅନ୍ତରରେ ଏହାର ସମୀକ୍ଷା କରାଯାଇ ଭିନ୍ନ ଭିନ୍ନ ସଂସ୍ଥା ଓ ମହିଳା ଗୋଷ୍ଠିଙ୍କୁ ଦାୟି୍‍ତ୍ୱ ଦିଆଗଲେ ଏ କ୍ଷେତ୍ରରେ ପ୍ରତିଯୋଗିତା ଦେଖା ଯାଆନ୍ତା । ହେଲେ କେଉଁଥିପାଇଁ ନିର୍ଦ୍ଦିଷ୍ଟ ସଂସ୍ଥାକୁ ବର୍ଷ ବର୍ଷ ଧରି ଭାତ ଡାଲମା ପରସା ଦାୟିତ୍ୱ ଦିଆଯାଇଛି ତାହା ଅନେକ ଲୋକ ବୁଝି ପାରୁନାହାନ୍ତି । ଯେଉଁ କାମ ସ୍ଥାନୀୟ ସଂସ୍ଥା ଓ ମହିଳା ଗୋଷ୍ଠି ସହଜରେ କରିପାରନ୍ତେ ସେହି କାମକୁ ଆର୍ନ୍ତଜାତୀୟ ସଂସ୍ଥାକୁ ଦେଇ ଲୋକଙ୍କୁ ୨୩ ଟଙ୍କାରେ କେବଳ ଭାତ ଡାଲମା ଖୁଆଇବାଟାକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − sixteen =