ବାରିପଦା ବନ୍ୟାର ହେବ ସ୍ଥାୟୀ ସମାଧାନ

ସହର ଚାରିପଟେ ହେବ ରିଙ୍ଗ ରୋଡ

ପ୍ରତିଷ୍ଠା ହେବ ଛଉ ଗବେଷଣା କେନ୍ଦ୍ର

ମୟୁରଭଂଜ ଆୟୁର୍ବେଦ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା

ଭୁବନେଶ୍ବର (): ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସହରର ଚାରିପଟେ ଏକ ରିଙ୍ଗ ରୋଡ ନିର୍ମାଣ କରାଯିବ । ଆଜି ବାରିପଦାଠାରେ ଅନୁଷ୍ଠିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହାସହିତ ବାରିପଦାରେ ଏକ ଛଉ ନୃତ୍ୟ ଗବେଷଣା ପ୍ରତିଷ୍ଠାନ କରାଯିବ । ମୟୁରଭଂଜ ଆୟୁର୍ବେଦ ମହାବିଦ୍ୟାଳୟକୁ ସହକାରୀ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇ ପୁନର୍ବାର ବ୍ୟାଙ୍କିଙ୍ଗ ଲାଇସେନସ ପାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ମୟୁରଭଂଜ ଜିଲ୍ଲାରେ 11ଟି ପ୍ରକଳ୍ପର ଉଦଘାଟନ କରିବା ସହିତ 6ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମୟୁରଭଂଜ ଜିଲ୍ଲା ପାଇଁ ସମୁଦାୟ 150 କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର 20,295 ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ 15ହଜାର ଟଙ୍କା ଲେଖାଏଁ ସିଡ ମନି ସହାୟତା, 26ଟି ବ୍ଲକ ସ୍ତରୀୟ ମହାସଂଘକୁ 25 ଲକ୍ଷ ଟଙ୍କା ଲେଖାଏଁ ସହାୟତା, ଡିଜିଟାଲ ସଶକ୍ତିକରଣ ପାଇଁ 39,418 ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ 3ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆଜି ମୟୁରଭଂଜ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ସମୁଦାୟ 60 କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆହୁରି ଶକ୍ତିଶାଳୀ ଓ ପ୍ରଭାବୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁରୀରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେବା ପାଇଁ ଘୋଷଣା କରିଥିଲେ । ଏହାଦ୍ବାରା ରାଜ୍ୟର 6 ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର 79 ଲକ୍ଷ ମହିଳା ଉପକୃତ ହେବେ । ମୟୁରଭଂଜ ଜିଲ୍ଲାର 26ଟି ବ୍ଲକ ସ୍ତରୀୟ ମହାସଂଘକୁ 6 କୋଟି 50 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ମିଶନ ଶକ୍ତିର ମା ମାନେ ସେମାନଙ୍କ ସଫଳତା ଓ ସଶକ୍ତିକରଣର କାହାଣୀ ବର୍ଣ୍ଣନା କରିଥିଲେ । ମନ୍ତ୍ରୀ, ବିଧାୟକ, ବିଧାୟିକା ଓ ଅନ୍ୟାନ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୋତାଙ୍କ ମଧ୍ୟରେ ବସି ସେମାନଙ୍କ ସଫଳତାର କାହାଣୀ ଶୁଣିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ସେମାନଙ୍କ କାହାଣୀ ଶୁଣିଥିଲେ ।

Share

Leave a Reply

Your email address will not be published. Required fields are marked *

four × 5 =