ଜୟ, ବିଜୟ, ଦିଲ୍ଲୀପଙ୍କ ନୂଆ ରାଜନୈତିକ ମୂଳଦୁଆ ଚର୍ଚ୍ଚା

ଭୁବନେଶ୍ବର : ରାଜ୍ୟର ତିନି ହେଭିୱେଟ ନେତାଙ୍କ ଉପରେ ଏବେ ସମସ୍ତଙ୍କ ନଜର । ଏମାନେ ହେଲେ ବିଜେଡି ଛାଡିଥିବା ବୈଜୟନ୍ତ ପଣ୍ଡା ଓ ବିଜେପିରେ ଥାଇ ନଥିଲା ଭଳି ଆଚରଣ ଦେଖାଉଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ଏହି ନେତାମାନେ ବତ୍ତର୍ମାନ ସ୍ଥିତିରେ ରହିବେ ନା ଆଗାମୀ ଦିନରେ ହାତମିଳାଇ ଓଡିଶାରେ ନୂଆ ରାଜନୈତିକ ମୂଳଦୂଆ ପକାଇବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

କିଛିଦିନ ଧରି ବିଜେଡିରେ କୋଣଠେସା ହୋଇ ରହିବା ପରେ ସାଂସଦ ବୈଜୟନ୍ତ ପଣ୍ଡା ଦଳ ଛାଡିବା ସହିତ ସାଂସଦ ପଦ ବି ଛାଡି ଦେଇଛନ୍ତି । ଶ୍ରୀ ପଣ୍ଡା ଦଳ ଛାଡିଥିଲେ ବି ତାଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ । ବିଶେଷକରି ବୈଜୟନ୍ତ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ବାଦ୍‍ଦେଇ ଅନ୍ୟମାନଙ୍କୁ ଯେଭଳି ଆକ୍ରମଣ କରୁଛନ୍ତି ତାହାକୁ ନେଇ ବିଜେଡିରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ତେଣୁ ବୈଜୟନ୍ତଙ୍କ ଗତିବିଧି ଉପରେ ବିଜେଡି ସମେତ ଅନ୍ୟ ସମସ୍ତଙ୍କ ନଜର ରହିଛି । ବୈଜୟନ୍ତ ବିଜେପିକୁ ଯିବେ ନା ନିଜେ ଦଳ ଗଢିବେ ତାହାକୁ ନେଇ ଚର୍ଚ୍ଚା । କାରଣ ଓଡିଶା ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପତିଆରା ରଖିଥିବା ବୈଜୟନ୍ତଙ୍କ ପ୍ରତି ପ୍ରତ୍ୟେକ ସ୍ତରରେ କିଛିଟା ଜନସମର୍ଥନ ରହିଛି ।

ଗୋଟିଏ ପଟେ ବୈଜୟନ୍ତଙ୍କ ଗତିବିଧି ଉପରେ ନଜର କେନ୍ଦ୍ରୀଭୂତ ହୋଇଥିବାବେଳେ ଅନ୍ୟପଟେ ରାଜ୍ୟର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଉପରେ ବି ସମସ୍ତଙ୍କ ନଜର । ବିଜୟଙ୍କ ବାକ୍ୟବାଣରେ ବିଜେପି ଘାଇଲା ହେଉଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ କରିପାରୁନାହିଁ । ମହାନଦୀ ଠାରୁ ଆରମ୍ଭକରି ରତ୍ନଭଣ୍ଡାର ଚାବି ପର୍ଯ୍ୟନ୍ତ ସବୁଥିରେ ବିଜୟ ବିଜେପିର ରଣନୀତିକୁ ପାଣିଚିଆ କରିଦେଉଛନ୍ତି । ତାଙ୍କ ବିରୁଦ୍ଧରେ ବିଜେପିର ଗୋଟିଏ ଗୋଷ୍ଠି ରକ୍ତଚାଉଳ ଚୋବାଉଥିବା ବେଳେ ଆଉ ଗୋଷ୍ଠି ତାଙ୍କୁ ନିରବ ସମର୍ଥନ ଦେଉଥିବା ଲକ୍ଷ୍ୟ କରାଯାଉଛି ।

ତେଣେ ରାଉରକେଲାରୁ ବିଜେପି ବିଧାୟକ ଥିବା ଦିଲ୍ଲୀପ ଏବେ ବିଜେପିରେ ଅଛନ୍ତି କି ନାହାନ୍ତି ତାହା କେହି କହିପାରୁନାହାନ୍ତି । ଦଳରେ ସିଏ ଏବେ ଅଲୋଡା । ଦିଲ୍ଲୀପଙ୍କର ଓଡିଶା ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପତିଆରା ଥିବାରୁ ସିଏ କୁଆଡେ ମୁହାଁଇବେ ତାହା ଉପରେ ସମସ୍ତଙ୍କ ନଜର । କାରଣ ଦିଲ୍ଲୀପ ଯୁଆଡେ ଯିବେ ସାଙ୍ଗରେ ଅଧା ଡର୍ଜନେ ପାଖାପାଖି ବିଧାୟକ ନେଇ ଯିବେ ବୋଲି ଢେର ଦିନ ହେଲା ଚର୍ଚ୍ଚା ହେଉଛି ।

ଗୋଟିଏ ପଟେ ଏହି ତିନି ନେତା ଅଣକଂଗ୍ରେସୀ ହୋଇଥିବାରୁ ସେମାନେ କଂଗ୍ରେସକୁ ଯିବା ଆଶା କ୍ଷୀଣ । ଅନ୍ୟପକ୍ଷରେ ଏମାନେ ହାତ ମିଳାଇ ନୂଆ ଦଳ ଗଢିବେ ନା ନିଜ ନିଜ ବାଟରେ ଯିବେ ତାହାକୁ ନେଇ ବି ଅଙ୍କକଷା ଚାଲିଛି । ତେଣେ ତୃଣମୂଳ କଂଗ୍ରେସର ରାଜ୍ୟ ମୁଖିଆ ଆର୍ଯ୍ୟଜ୍ଞାନେନ୍ଦ୍ର କଂଗ୍ରେସକୁ ଯିବା ପରେ ଏବେ ଏମାନଙ୍କ ମଧ୍ୟରୁ କିଏ ଘାସଫୁଲ ଆଡକୁ କାଳେ ଢଳିପାରନ୍ତି ତାହା ଉପରେ ବି ନଜର । ତେବେ ରାଜ୍ୟର ଏହି ତିନି ହେଭିୱେଟ ନେତାଙ୍କ ଗତିବିଧିର ପ୍ରଭାବ ରାଜ୍ୟ ରାଜନୀତି ଉପରେ ଯେ ନିଶ୍ଚୟ ପଡିବ ସେଥିରେ କୌଣସି ସନ୍ଦେହ ନାହିଁ ।

Share

Leave a Reply

Your email address will not be published. Required fields are marked *

6 − 5 =