ନୂଆ ବର୍ଷରୁ ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର () ନୂଆ ବର୍ଷରୁ ନୂଆ ମୁଖ୍ୟ ଶାସନ ସଚିବ । ଡିସେମ୍ବର ୩୧ ତାରିଖରେ ଅସିତ ତ୍ରିପାଠୀଙ୍କ ଇସ୍ତଫା ପରେ ରାଜ୍ୟ ଶାସନର ମଙ୍ଗ ଧରିବେ ବରିଷ୍ଠ ଆଇଏଏସ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ର । ସେପଟେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଉନ୍ନୟନ କମିଶନର ଭାବେ ଦାୟିତ୍ବ ନେବେ । ଅବସର ପରେ ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି । ଏଥିସହିତ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷିଶିଳ୍ପ ଓ ଶିଳ୍ପ ଉପଦେଷ୍ଟା ଭାବେ ଦାୟିତ୍ବ ତୁଲାଇବେ ।

ରାଜ୍ୟ ପ୍ରଶାସନିକ ମହଲରେ ନୂଆ ବର୍ଷରେ ନୂଆ ମୁଖିଆ । ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ୧୯୮୬ ବ୍ୟାଚର ଆଇଏଏସ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ର । ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୨ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ । ପ୍ରଶାସନିକ ସ୍ତରରେ ଜଣେ ଅତି ଶାନ୍ତ କିନ୍ତୁ ପ୍ରଭାବୀ ଅଫିସର ଭାବେ ଜଣାଶୁଣା ସୁରେଶ ମହାପାତ୍ର ୧୯୮୮ ମସିହାରେ ନୂଆପଡା ଉପଜିଲ୍ଲାପାଳ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ଭଦ୍ରକ, ପୁରୀ ଓ କନ୍ଧମାଳ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ୧୯୯୯ ମହାବାତ୍ୟା ସମୟରେ ତାଙ୍କୁ ବାତ୍ୟା ପରବର୍ତ୍ତି ସ୍ଥିତିର ମୁକାବିଲା ପାଇଁ ଭଦ୍ରକ ଦାୟିତ୍ବ ଦିଆଯାଇଥିଲା । ୧୯୯୩ ଭଦ୍ରକ ଦଙ୍ଗା ପରେ ସେ ପ୍ରଥମ ଜିଲ୍ଲାପାଳ ଭାବେ ପୋଷ୍ଟିଂ ପାଇଥିଲେ । ପରେ କନ୍ଧମାଳ ଦଙ୍ଗା ମୁକାବିଲା ପାଇଁ ସ୍ବର୍ଗତ ବିଜୁ ପଟ୍ଟନାୟକ ତାଙ୍କୁ କନ୍ଧମାଳ ଜିଲ୍ଲାପାଳ ଭାବେ ଦାୟିତ୍ବ ଦେଇଥିଲେ ।

୧୯୯୬ ମହାପ୍ରଭୁଙ୍କ ନବକଳେବର ସମୟରେ ତାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା । ସେ ସମୟରେ ମେଘନାଦ ପାଚେରୀ ଚାରିପଟୁ ଜବରଦଖଲ ହଟେଇ ଚର୍ଚ୍ଚାକୁ ଆସିଥିଲେ ସୁରେଶ । ଏପରିକି ତାଙ୍କୁ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ୬ ବର୍ଷ ଦାୟିତ୍ବ ଦିଆଯାଇଥିଲା । ତାଙ୍କ ଅମଳରେ ଓମଫେଡକୁ ଏକ ଲାଭଜନକ ସଂସ୍ଥାରେ ପରିଣତ ହୋଇଥିଲା । ସେସୁରୁ ଏଇଏସ ହଠାତ ଓହରିଯିବା ପରେ ତାଙ୍କୁ ସେସୁର ସିଇଓ ଭାବେ ଦାୟିତ୍ବ ଦିଆଯାଇଥିଲା । ସେ ଥିଲେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ । ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ସେ ମୁଖ୍ୟ ପ୍ରଶାସକ ଦାୟିତ୍ବ ତୁଲାଇଥିଲେ । ସେ ଦୁଇଥର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଇଥିଲେ । ଦ୍ବିତୀୟ ଥର ପାଇଁ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିଥିଲେ ।

ଶକ୍ତି ଓ ଜଳସମ୍ପଦ ବିଭାଗରେ ସେ ବିଭିନ୍ନ ସମୟରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଏହି ଦୁଇ କ୍ଷେତ୍ରରେ ସଂସ୍କାର ଆଣିବାରେ ସେ ଏକ ସମୟରେ ଗୁରୁଦାୟିତ୍ବ ବହନ କରିଥିଲେ । ସେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ କାର୍ଯ କରିଛନ୍ତି । ୨୦୧୯ ଅଗଷ୍ଟ ୧୮ ତାରିଖରେ ତାଙ୍କୁ ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରାଯାଇଥିଲା । 

ସେପଟେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ ଜେନାଙ୍କ ଉପରେ ମଧ୍ୟ ଗୁରୁଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ଜିଲ୍ଲା ଧର୍ମଗଡର ଉପଜିଲ୍ଲାପାଳ ଭାବେ ୧୯୯୧ରୁ କ୍ୟାରିଅର ଆରମ୍ଭ କରିଥିବା ୧୯୮୯ ବ୍ୟାଚର ଏହି ଆଇଏଏସ ଅଫିସର ଅନୁନ୍ନତ କଳାହାଣ୍ଡି ଜିଲ୍ଲାରେ ଦୀର୍ଷ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ଉପଜିଲ୍ଲାପାଳରୁ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ପରେ ଜିଲ୍ଲାପାଳ ଭାବେ ଏକଦା ରାଜ୍ୟର ସବୁଠାରୁ ପଛୁଆ ଜିଲ୍ଲା କଳାହାଣ୍ଡିରେ କାମ କରିଛନ୍ତି ପ୍ରଦୀପ । ୧୯୯୯ ମହାବାତ୍ୟା ସମୟରେ କଟକ ଜିଲ୍ଲାପାଳ ଭାବେ ନିଜର କାର୍ଯ୍ୟଦକ୍ଷତା ପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରୁ ପ୍ରଶଂସା ସାଉଁଟିଥିଲେ । କୃଷି ନିର୍ଦ୍ଦେଶ ଭାବେ କୃଷି ବିଭାଗରେ ଅନେକ ସଂସ୍କାର ଆଣିଥିଲେ ପ୍ରଦୀପ । ଏଥିସହ ଗୋଟିଏ ସମୟରେ ବାଣିଜ୍ୟ କର ଓ ରାଜ୍ୟ ପରିବହନ ପ୍ରଧିକରଣ ଦାୟିତ୍ବରେ ରହି ରାଜ୍ୟର ରାଜସ୍ବ ସଂଗ୍ରହ ବୃଦ୍ଧିରେ ଏକ ବଡ ଭୂମିକା ତୁଲାଇଥିଲେ । ଦୀର୍ଘ ବର୍ଷ ଧରି ସେ ଶକ୍ତି ଏବଂ ଅଳ୍ପ କିଛି ସମୟ ପାଇଁ ପଂଚାୟତିରାଜ ବିଭାଗ ଦାୟିତ୍ବରେ ଥିଲେ । କିଛି ସମୟ ପାଇଁ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତି ସଫଳତାର ସହ କାର୍ଯ୍ୟ କରିଥିଲେ ।

ସେପଟେ ଅବସର ପରେ ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି । ଏଥିସହିତ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷିଶିଳ୍ପ ଓ ଶିଳ୍ପ ଉପଦେଷ୍ଟା ଭାବେ ଦାୟିତ୍ବ ତୁଲାଇବେ ।

Share

Leave a Reply

Your email address will not be published. Required fields are marked *

15 + twenty =