ରାଜନୀତିଠୁ ଉର୍ଦ୍ଧ୍ବରେ ନବୀନଙ୍କ ମାନବିକତା

ଭୁବନେଶ୍ବର () : ସମ୍ପର୍କ ଯେ ରାଜନୀତି ଠାରୁ ବହୁ ଉର୍ଦ୍ଧ୍ବରେ ତାହା ଆଜି ଆଉଥରେ ପ୍ରମାଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ ପ୍ରକାର ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ପକାଇ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ । ମୁଣ୍ଡ ନୁଆଁଇ ଦେଇଥିଲେ ଶ୍ରଦ୍ଧାଞ୍ଜଳି ।

ଗତକାଲି ବିଜେପିର ଦୁଇ ନେତା ଜୁଏଲ ଓରାମ ଓ ସମୀର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାଲାଗି ନିମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ମତି ପ୍ରକାଶ କରିଥିଲେ । ଆଜି କେବଳ ମୁଖ୍ୟମନ୍ତ୍ରୀ ଆସିନଥିଲେ ବିଜେଡିର ବହୁ ସାଂସଦ, ମନ୍ତ୍ରୀ ଓ ବିଧାୟକ ବି ପହଞ୍ଚିଥିଲେ ପ୍ରଦର୍ଶନୀ ପଡିଆ ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଭାଷଣରେ ମନେ ପକାଇ ଦେଇଥିଲେ ବାଜପେୟୀଙ୍କ ସହ ଓଡିଶାର ସମ୍ପର୍କ । ବାଜପେୟୀଙ୍କ ପରଲୋକରେ ସେ ନିଜେ କ୍ଷତିଗ୍ରସ୍ତ ବୋଲି କହିଥିଲେ ।

ବାଜପେୟୀଙ୍କ ଚିତାଭସ୍ମ ଭୁବନେଶ୍ବରରୁ ସିଧା ଆସି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରହିବାପରେ ଗତକାଲି ବିଜେପି ନେତାଙ୍କ ଗହଣରେ ପୁରୀ ମହୋଦଧୀରେ ବିସର୍ଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରୁ ଉଭୟ ବିଜେଡି ଓ କଂଗ୍ରେସର ନେତାମାନେ ଏକ ପ୍ରକାର ଦୂରେଇ ରହିଥିଲେ । କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ବିଜେପି ନିୟନ୍ତ୍ରଣକୁ ଚାଲିଯିବାପରେ ସମସ୍ତେ ଭାବିଥିଲେ ଯେ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ନେତାମାନେ କେହି ଏଠାକୁ ଆସିବେନାହିଁ ।

ହେଲେ ମୁଖ୍ୟମନ୍ତ୍ରୀଙ୍କ ମହାନତା ଥିଲା ରାଜନୀତିର ଉର୍ଦ୍ଧ୍ବରେ। ଶ୍ରଦ୍ଧାଞ୍ଜଳି ଦେବାପାଇଁ ଖୋଦ୍‍ ମୁଖ୍ୟମନ୍ତ୍ରୀ ଦଳ ବଳ ନେଇ ଆସିଥିଲେ । ମୁଣ୍ଡ ନୁଆଁଇଥିଲେ ବାଜପେୟୀଙ୍କ ଫଟୋ ଆଗରେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ମାନବିକତା ଆଗରେ ଆଜି ରାଜନୀତି ଏକ ପ୍ରକାର ଫିକା ପଡିଯାଇଛି । ଯେଉଁମାନେ ଏଭଳି କାର୍ଯ୍ୟକ୍ରମରେ ସାମାନ୍ୟ ରାଜନୀତିର ଗନ୍ଧ ବାରୁଥିଲେ ସେମାନଙ୍କ ମୁହଁ ଏକ ପ୍ରକାର ଚୁପ୍‍ ହୋଇଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବାଜପେୟୀଙ୍କ ଗୁରୁତର ଅସୁସ୍ଥତା ଖବରପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସବୁ କାମକୁ ପଛରେ ପକାଇ ଗତ ୧୪ତାରିଖ ଦିନ ଛୁଟି ଯାଇଥିଲେ ଦିଲ୍ଲୀ । ଏମ୍‍ସରେ ଅସୁସ୍ଥ ବାଜପେୟୀଙ୍କୁ ଭେଟିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଶ୍ରୀ ପଟ୍ଟନାୟକ ତାଙ୍କରି ମନ୍ତ୍ରୀମଣ୍ଡଳରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଇସ୍ପାତ ଓ ଖଣି ମନ୍ତ୍ରାଳୟ ଦାୟିତ୍ବରେ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଉତ୍‍ଥାପନ ପଛରେ ବାଜପେୟୀଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହାକୁ ନବୀନ ଭୁଲି ନାହାନ୍ତି । ନିଜର ରାଜନୈତିକ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସବୁ ରାଜନୀତିକୁ ପଛରେ ପକାଇ ଯେଭଳି ଦିଲ୍ଲୀ ଯାଇଥିଲେ ଆଜି ଠିକ୍‍ ସେହିଭଳି ଯାଇଥିଲେ ଶ୍ରଦ୍ଧାଞ୍ଜଳି ସଭାକୁ । ଏଠାରେ ଦେଖାଯାଇଥିଲା ନବୀନଙ୍କ ମହାନତା ଓ ମାନବିକତା । ଏହା ହିଁ ଜଣେ ଜନନେତାଙ୍କର ଅସଲ ରାଜ ଧର୍ମ ବୋଲି ସଭାସ୍ଥଳରେ ଗୁଞ୍ଜରଣ ହେଉଥିଲା ।

Share

Leave a Reply

Your email address will not be published. Required fields are marked *

seventeen − two =