ବାଲେଶ୍ବର ବିକାଶର ଦାୟିତ୍ବ ନେଲେ ନବୀନ

ବାଲେଶ୍ବର ()ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଉପନିର୍ବାଚନ ପାଇଁ ଭରଚୁଆ ପ୍ରଚାର କରିଛନ୍ତି । ବାଲେଶ୍ଵରର ବିକାଶ ଦାୟିତ୍ୱ ସେ ନେଉଛନ୍ତି ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ସେ କହିଛନ୍ତି ଯେ, ଆଜିର ଦିନଟିକୁ ଆମେ ଓଡିଶାବାସୀ କେବେବି ଭୁଲି ପାରିବା ନାହିଁ । ଆଜିକୁ ୨୧ ବର୍ଷ ତଳେ ୧୯୯୯ ମସିହାରେ ଆସିଥିବା ମହାବାତ୍ୟା ଉପକୂଳ ଓଡିଶାକୁ ଛାରଖାର କରିଦେଇଥିଲା । ଓଡିଶାର ଅର୍ଥନୀତି, ଭିତ୍ତିଭୂମି ସବୁକିଛି ନଷ୍ଟ ହୋଇଯାଇଥିଲା । ଓଡିଶାବାସୀଙ୍କର ଦୃଢ ଆତ୍ମବିଶ୍ୱାସ ଓ ପରିଶ୍ରମ ଯୋଗୁଁ ଓଡିଶା ଆଜି ମୁଣ୍ଡ ଟେକି ଉଠିଛି, ବିକାଶ ପଥରେ ଆଗକୁ ବଢୁଛି ।

ଆଜି ଓଡିଶା ବିପର୍ଯ୍ୟୟ ପରିଚାଳନାରେ ସାରା ବିଶ୍ୱ ପାଇଁ ମଡେଲ ହୋଇପାରିଛି । ଲୋକଙ୍କ ଜୀବନର ସୁରକ୍ଷା ସବୁବେଳେ ଆମର ପ୍ରାଧାନ୍ୟ ରହିଛି । 2013 ର ଫାଇଲିନ ବାତ୍ୟା ସମୟରେ ଆମେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ନିରପଦ ସ୍ଥାନକୁ ନେଇ ଯାଇଥିଲୁ । ଓଡିଶାର ଏହି ସଫଳତାକୁ ଜାତିସଂଘ ବହୁତ ପ୍ରଶଂସା କରିଥିଲା ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ବନ୍ୟା ବାତ୍ୟା ବା ମହାମାରୀ ସବୁବେଳେ ଲୋକଙ୍କ ଜୀବନର ସୁରକ୍ଷା ଉପରେ ମୁଁ ଗୁରୁତ୍ୱ ଦେଇଆସିଛି । ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେ କି ସବୁ ଲୋକଙ୍କୁ ମାଗଣାରେ କୋଭିଡ ଚିକିତ୍ସା ଯୋଗାଇ ଦେଇପାରୁଛି । ଆମ ରାଜ୍ୟରେ ସଂକ୍ରମଣ କମିଛି । ସୁସ୍ଥତା ବଢୁଥିବା ବେଳେ ମୃତ୍ୟୁହାର ଦେଶରେ ସବୁଠାରୁ କମ୍‌ । ଆମର କୋଭିଡ ଯୋଦ୍ଧାଙ୍କ ନିଷ୍ଠା ଏବଂ ଆପଣମାନଙ୍କ ସହଯୋଗ ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଛି । ଆମର କୋଭିଡ ପରିଚାଳନାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି ।

ମୁଁ ଜାଣେ ମୋ ପ୍ରତି ଆପଣମାନଙ୍କର ବହୁତ ସ୍ନେହ ଓ ଭଲପାଇବା ରହିଛି । ଆଜି ଯଦି ମୁଁ ବାଲେଶ୍ୱର ଯାଇଥାନ୍ତି ତେବେ ଆପଣମାନେ ବହୁ ସଂଖ୍ୟାରେ ଆସିଥାନ୍ତେ । ମୋ ପାଇଁ ଜଣେ ବି କେହି ବିପଦରେ ପଡୁ ଏହା ମୁଁ କେବେ ଚାହେଁ ନାହିଁ । ସେଥିପାଇଁ ମୁଁ ଆଜି ଭିଡିଓ କନଫରେନସରେ ଆପଣମାନଙ୍କୁ ଭେଟୁଛି । କରୋନା ଦୂର ହେବା ପରେ ମୁଁ ବାଲେଶ୍ୱର ଆସିବି ଓ ଆପଣମାନଙ୍କୁ ଭେଟିବି ।

ବାଲେଶ୍ୱର ଉତ୍ତର ଓଡିଶାର ଏକ ମୁଖ୍ୟ ସହର । ବାଲେଶ୍ୱରରେ ଫକୀରମୋହନ ବିଶ୍ବବିଦ୍ୟାଳୟ ସହିତ ରାଜ୍ୟ ସରକାର ଏକ ନୂଆ ସରକାରୀ ମେଡିକାଲ କଲେଜ କରିଛନ୍ତି । ବାଲେଶ୍ୱରର ବିକାଶ ପାଇଁ ବହୁତ ସୁଯୋଗ ରହିଛି । ବାଲେଶ୍ୱରର ବିକାଶକୁ ପରବର୍ତ୍ତି ପର୍ଯ୍ୟାୟକୁ ନେବା ପାଇଁ ମୁଁ ଚାହେଁ ।

ବସ୍ତିରେ ରହୁଥିବା ଗରୀବ ଲୋକଙ୍କ ଅଧିକାର ଓ ସେମାନଙ୍କ ସୁବିଧା ଉପରେ ମୁଁ ସବୁବେଳେ ଯୋର ଦେଇ ଆସିଛି । ନିକଟରେ ଆମେ ଏଇ ବାଲେଶ୍ୱରରୁ ବସ୍ତି ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ପ୍ରତି ବସ୍ତିକୁ ଭଲ ରାସ୍ତା, ଭଲ ପିଇବା ପାଣି, ବିଜୁଳି ଓ ଅନ୍ୟ ସୁବିଧାର ବିକାଶ କରାଯାଉଛି । ପ୍ରତି ବସ୍ତିକୁ ଗୋଟିଏ ଗୋଟିଏ ଆଦର୍ଶ କଲୋନୀ କରାଯାଉଛି । ସେହିପରି ଗରୀବ ଲୋକଙ୍କୁ ଭୂମି ଅଧିକାର ମଧ୍ୟ ଦିଆଯାଇଛି ।
ସେହିପରି ଗଁାରେ ରହୁଥବା ଭୂମୀହୀନ ଗରିବଙ୍କୁ ଜମି, ଘର କଚ୍ଚା ଘରକୁ ପକ୍କା ଘର, ଜମିକୁ ପାଣି, ଗଁାରେ ରାସ୍ତା, ବିଜୁଳି ଓ ଭଲ ପିଇବା ପାଣି ମୋର ସ୍ବତନ୍ତ୍ର ଫୋକସ ରହିବ।

ଆମର ମିଶନ ଶକ୍ତିର ମାଆ ମାନେ କୋଭିଡ ପରିଚାଳନା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ଆମର ମାଆ ମାନଙ୍କର ଉନ୍ନତି ମୋତେ ବହୁତ ଖୁସି ଦେଇଥାଏ । ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି । ଆପଣମାନେ ଭଲ କାମ ଜାରି ରଖନ୍ତୁ ।

ବାଲେଶ୍ୱର ଆସିଲେ ମୋର ସବୁଠୁ ଆଗ ମନେପଡେ ଫକୀରମୋହନ ସେନାପତିଙ୍କ କଥା । ସେ ହେଉଛନ୍ତି ମୋ ପ୍ରିୟ ଲେଖକ । ତାଙ୍କର ରେବତୀ ଗଳ୍ପ ମୋତେ ସବୁଠୁ ଭଲ ଲାଗେ । ସେହିପରି ଆଉ ଦୁଇଜଣଙ୍କ କଥା ମଧ୍ୟ ମନେପଡେ । ସେମାନେ ହେଉଛନ୍ତି ବିଜୁବାବୁ ଓ ଡକ୍ଟର ଅବଦୁଲ କାଲାମ । ଡକ୍ଟର ଅବଦୁଲ କାଲାମ ଯେତେବେଳେ ବିଜୁବାବୁଙ୍କୁ ଭେଟୁଥିଲେ ସବୁବେଳେ ବିଜୁବାବୁ ଗୋଟିଏ କଥା କହୁଥିଲେ, “ଡକ୍ଟର କାଲାମ, ଆପଣ ଚାନ୍ଦିପୁରରେ ଏଭଳି ମିଜାଇଲ ତିଆରି କରନ୍ତୁ ଯାହାକି ଚାଇନାକୁ ମଧ୍ୟ ଡରାଇ ପାରିବ” ।

ଆପଣ ଜାଣନ୍ତି ୧୯୯୩ ରେ ବିଜୁବାବୁ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଁ ଚାନ୍ଦିପୁରରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣ କରାଯାଇପାରୁଥିବା ପୃଥ୍ବୀ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଥିଲା ଏବଂ ଏହା ଅବଦୁଲ କାଲାମ ଦ୍ବୀପରେ ପଡିଥିଲା । ଏବେ ଯେତେବେଳେ ବି ବାଲେଶ୍ୱରରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଉଛି ସେତେବେଳେ ଏହି ଦୁଇ ମହାନ ଦେଶଭକ୍ତ ବିଜୁବାବୁ ଓ ଡକ୍ଟର କାଲାମଙ୍କ କଥା ହିଁ ମୋ ମନକୁ ଆସିଥାଏ ।

ଭାରତ କ୍ଷେପଣାସ୍ତ୍ର କ୍ଷେତ୍ରରେ ଦିନେ ସୁପର ପାୱାର ହେବ ଏବଂ ବାଲେଶ୍ୱରର ସୁନାମ ସାରା ବିଶ୍ୱରେ ପହଞ୍ଚିବ । ଆପଣମାନେ ଜାଣନ୍ତି ସାଧାରଣ ନିର୍ବାଚନ ଆଉ ତିନି ବର୍ଷ ରହିଲା । ଏହି ତିନି ବର୍ଷ ମଧ୍ୟରେ ବହୁତ କାମ କରାଯାଇ ପାରିବ । ବିଜେପୁର ପରି ବାଲେଶ୍ୱରର ବିକାଶ ଦାୟୀତ୍ୱ ମୁଁ ନିଜେ ବୁଝିବି ଏବଂ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି ।

ମୋର ବିନୀତ ଅନୁରୋଧ ଆପଣମାନେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସାବଧାନ ହୋଇ ଭୋଟ କେନ୍ଦ୍ରକୁ ଯାଆନ୍ତୁ । ଆପଣଙ୍କ ଜୀବନ ଆପଣଙ୍କ ପରିବାର ପାଇଁ ତଥା ମୋ ପାଇଁ ବହୁତ ମୂଲ୍ୟବାନ ।
ଆପଣମାନଙ୍କୁ ଅନୁରୋଧ ଏହି ଉପ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ ଆଶିର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ୍‌ ଦିଅନ୍ତୁ । ପୁଣି ଥରେ ଅନୁରୋଧ, ଶଙ୍ଖ ଚିହ୍ନରେ ଭୋଟ୍‌ ଦିଅନ୍ତୁ ବୋଲି ନବୀନ ଅନୁରୋଧ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − 7 =