ନବୀନଙ୍କ ଗୋଟିଏ ଗୁଳିରେ 4 ଶିକାର

ବୈଜନୟନ୍ତଙ୍କ ପାଇଁ ବିଜେପି ବାଟ ବନ୍ଦ

ଭୁବନେଶ୍ବର () ରାଜ୍ୟସଭା ଉପନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରି ବିଜେଡି ସୁ୍ପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଗୁଳିରେ ଏକାଧିକ ଶିକାର କରିଛନ୍ତି । ବିଭିନ୍ନ ସ୍ତରରେ ନବୀନ କି ନିଷ୍ପତ୍ତି ନେବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ନବୀନଙ୍କ ଗୋଟିଏ ଚାଲରେ ରାଜ୍ୟ ବିଜେପିକୁ ଅକଳରେ ପକାଇବା ସହ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଘରିକିଆ, ବୈଜୟନ୍ତ ପଣ୍ଡାଙ୍କ ବିଜେପି ଯିବା ବାଟ ବନ୍ଦ ଏବଂ ସବୁଦିନ ପାଇଁ ନବୀନ କେନ୍ଦ୍ର ବିଜେପିର ଶୀର୍ଷ ନେତୃତ୍ବ ସହ ସଂପର୍କ ସ୍ଥାପନ କରିଦେଲେ ।

ରାଜ୍ୟସଭା ଉପନିର୍ବାନଚରେ ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କ ଜିତିବା ପାଇଁ ବିଜେଡିର 9 ଜଣ ସାଂସଦଙ୍କ ସମର୍ଥନ ଗେମ ଚେଂଜର ଭାବେ କାମ କରିଛି । ଏନଡିଏ ସବୁଆଡୁ ସମର୍ଥନ ଗୋଟାଇବାକୁ ଚେଷ୍ଟା କରି ଫେଲ ମାରିବା ପରେ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜରିଆରେ ଅନୁରୋଧ କରିଥିଲା । ନୀତିଶଙ୍କ ଅନୁରୋଧ ପରେ ନିଜେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନବୀନଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ହରିବଂଶ ଜିତିବା ପରେ ମୋଦି ଓ ଶାହା ନବୀନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଗୋଟେପଟେ ରାଜ୍ୟସଭା ଉପସଭାପତି ନିର୍ବାଚନରେ ନବୀନଙ୍କ ସହାୟତାରେ ଜାତୀୟ ସ୍ତରରେ ବିଜେପି ନିଜର ସମ୍ମାନ ରକ୍ଷା କରିଛି । କିନ୍ତୁ ରାଜ୍ୟ ବିଜେପି ଏହାଦ୍ବାରା ଦ୍ବନ୍ଦ୍ବରେ ପଡିଯାଇଛି । ଏବେ ରାଜ୍ୟ ବିଜେପି ନେତା ଏପରିକି ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନ ପଟ୍ଟନାୟକଙ୍କ ବିରୋଧରେ ରାଜନୈତିକ ବିଷୋଦଗାର କରିବାକୁ କୁଣ୍ଠାବୋଧ କରିବେ । ଯେଉଁ ଦଳର ମୁଖିଆ ଦିନେ ଓଡିଶା ଗସ୍ତରେ ଆସି ନବୀନ ପଟ୍ଟନାୟକଙ୍କ ସରକାରକୁ ଓପାଡି ଫୋପାଡି ଦେବାକୁ ଆହ୍ବାନ ଦେଇଥିଲେ, ସେହି ଅମିତ ଶାହା ନିଜର ପରବର୍ତ୍ତି ଗସ୍ତରେ ଆଉ ନବୀନଙ୍କ ବିରୋଧରେ କଟୁ ଶବ୍ଦ ବ୍ୟବହାର କରିପାରିବେ ତ । ଏଭଳି ଆଶଙ୍କା ସୃଷ୍ଟି ହୋଇଛି ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ।

ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସୁସଂପର୍କ ସବୁବେଳେ ଜରୁରୀ । ଜାତୀୟ ସ୍ତରରେ ଏନଡିଏର ସମ୍ମାନ ରକ୍ଷା କରିବାରେ ନବୀନ ଯେଉଁ ସହଯୋଗ କଲେ ତାହାଦ୍ବାରା ସେ ସିଧାସଳଖ କେନ୍ଦ୍ର ସରକାର ଓ ବିଜେପିର ଶୀର୍ଷ ନେତାଙ୍କ ସହ ସଂପର୍କ ସ୍ଥାପନ କରିପାରିଛନ୍ତି । ଏହା ରାଜ୍ୟର ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ କେନ୍ଦ୍ରର ସହାୟତାକୁ ସୁନିଶ୍ଚିତ କରିବ । ଏପରିକି କେନ୍ଦ୍ରରେ ଓଡିଶା ତାର ନ୍ୟାର୍ଯ୍ୟ ଦାବି ହାସଲ କରିବାରେ ମଧ୍ୟ ସହାୟକ ହେବ ।

କେବଳ ଏତିକି ନୁହେଁ, ବିଜେଡି ଛାଡିଥିବା ବୈଜୟନ୍ତ ପଣ୍ଡାଙ୍କର ମଧ୍ୟ ବିଜେପି ଯିବା ବାଟ ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ନବୀନ ପଟ୍ଟନାୟକଙ୍କ ବିରୋଧରେ ସମରସଜ୍ଜା କରି ରାଜ୍ୟରେ ବିଜେଡିକୁ ଭାଙ୍ଗି ବିଜେପିରେ ନିଜ ସ୍ଥାନ ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଥିବା ବୈଜୟନ୍ତ ପଣ୍ଡାଙ୍କ ମୁହଁ ଏଭିତରେ ଆମ୍ବିଳି ହୋଇଯାଇଛି । ନବୀନଙ୍କର ମୋଦି ଓ ଶାହଙ୍କ ସହ ଟେଲିଫୋନ କଥାବାର୍ତ୍ତା ପରେ ଆଉ ବୈଜୟନ୍ତ ବିଜେପିରେ ନିଜ ପାଇଁ ସ୍ଥାନ ପାଉନାହାଁନ୍ତି ।

କ୍ରାମଗତ ଭାବେ 2000 ମସିହାରୁ ରାଜ୍ୟରେ ଶାସନରେ ଥିବା ବିଜେଡିର ରାଜନୈତିକ ସଫଳତା ଏବଂ ନବୀନଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀରେ ସରକାରରେ ଥିବା ଦଳଗଡିକ କେବେ ବି ନବୀନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହାଁନ୍ତି ନାହିଁ । ଯେଉଁଥିପାଇଁ ୟୁପିଏ ଶାସନକାଳରେ ମଧ୍ୟ କେନ୍ଦ୍ର ସରକାର ରାଜ୍ୟ ସହ ସବୁବେଳେ ସୁସଂପର୍କ ସ୍ଥାପନ କରିଥିଲେ । ବିଳମ୍ବରେ ହେଲେ ବି କେନ୍ଦ୍ର ବିଜେପି ନେତାମାନେ ଏକଥାକୁ ବୁଝିସାରିଲେଣି । ତେଣୁ ସେମାନେ ନବୀନଙ୍କୁ ଆଉ କ୍ଷୁବ୍ଧ କରିବାକୁ ଚାହୁଁନାହାଁନ୍ତି । କାରଣ ସେମାନଙ୍କ ଗଣିତ କହୁଛି 2019ରେ ମଧ୍ୟ ନବୀନ ପଟ୍ଟନାୟକ ପଂଚମ ଥର ପାଇଁ ଓଡିଶାରେ କ୍ଷମତାସୀନ ହେବେ ଏବଂ ଲୋକସଭାରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭାହେବ ।

Share

Leave a Reply

Your email address will not be published. Required fields are marked *

9 + 13 =