କେନ୍ଦ୍ର ଦଉନି, ଏଣେ ରାଜ୍ୟର ଭଣ୍ଡାର ଖାଲି

ଭୁବନେଶ୍ବର () ତିତଲି କ୍ଷୟକ୍ଷତିର ଭରଣା ପାଇଁ ତୁରନ୍ତ କେନ୍ଦ୍ରୀୟ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସଂପର୍କରେ ସେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଗତ ଅକ୍ଟୋବର ମାସରେ ତିତଲି ବତ୍ୟା ଏବଂ ପରବର୍ତ୍ତି ଭୁସ୍ଖଳନ ଓ ବନ୍ୟା ପରିସ୍ଥିତିରେ ରାଜ୍ୟର 17ଟି ଜିଲ୍ଲା ଅନ୍ତର୍ଗତ 128ଟି ବ୍ଲକରେ 60 ଲକ୍ଷ 31ହଜାର ଲୋକ ପ୍ରଭାବିତ ହୋଇଥିଲେ । ବିପର୍ଯୟର ମାତ୍ରାକୁ ଦେଖି ରାଜ୍ୟ ସରକାର ତୁରନ୍ତ ପୁନରୁଦ୍ଧାର ଏବଂ ପୁର୍ନବାସ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଭିତ୍ତିଭୂମୀ ପୁର୍ନଗଠନ କାର୍ଯ୍ୟ ମଧ୍ୟ ଯୁଦ୍ଧକାଳିନ ଭିତ୍ତିରେ ଆରମ୍ଭ ହୋଇଥିଲା ।

ତିତଲି କ୍ଷୟକ୍ଷତିର ଆକଳନ କରି ରାଜ୍ୟ ସରକାର ରିଲିଫ ଓ ପୁର୍ନଗଠନ କାର୍ଯ୍ୟ ପାଇଁ ଆବଶ୍ୟକ ପଡୁଥିବା 2779 କୋଟି 32 ଲକ୍ଷ ଟଙ୍କା ମଧ୍ୟରୁ 2023 କୋଟି 13 ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ମାଗିଥିଲେ । ଗତ ଅକ୍ଟୋବର 18 ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠିରେ ମୁଖ୍ୟମନ୍ତ୍ରୀ ତୁରନ୍ତ 1000 କୋଟି ଟଙ୍କାର ମଧ୍ୟବର୍ତ୍ତିକାଳିନ ସହାୟତା ମାଗିଥିଲେ । ଏଭିତରେ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ଗତ ନଭେମ୍ବର ମାସ ପ୍ରଥମ ସପ୍ତାହରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନରେ ଆସି ଫେରିଯାଇଛନ୍ତି । କିନ୍ତୁ ରାଜ୍ୟ ସରକାର ଏଯାଏଁ ଟଙ୍କାଟିଏ ବି କେନ୍ଦ୍ରୀୟ ସହାୟତା ପାଇନାହାଁନ୍ତି ।

ଏଭିତରେ କ୍ଷତିଗ୍ରସ୍ତ ଅଂଚଳରେ ରିଲିଫ, ଥଇଥାଏ ଏବଂ ପୁର୍ନଗଠନ କାର୍ଯ୍ୟ ପାଇଁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରେ ଥିବା 1689.13 କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଏବେ କେନ୍ଦ୍ରୀୟ ସହାୟତା ଏକାନ୍ତ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି କେନ୍ଦ୍ରୀୟ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − 2 =