ମୁମ୍ବାଇରେ ନବୀନଙ୍କ ରୋଡ ସୋ, ଓଡିଶା ହେବ ପୁଂଜିନିବେଶର ହବ

ଭୁବନେଶ୍ବର () ଓଡିଶା ବିଶ୍ବସ୍ତରରେ ପୁଂଜିନିବେଶର ପେଣ୍ଠସ୍ଥଳୀରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ପୁଣି ଥରେ ଆରମ୍ଭ କରିଦେଇଛନ୍ତି ଉଦ୍ୟମ । 2016ରେ ହୋଇଥିବା ମେକ ଇନ ଓଡିଶା କନକ୍ଲେଭ ପରେ ଏବର୍ଷ ନଭେମ୍ବର 11ରୁ 15 ତାରିଖ ଯାଏଁ ଆୟୋଜିତ ହେବ ଏହି କନକ୍ଲେଭ । ଏଥିପାଇଁ ପୁଂଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ରୋଡ ସୋ । ମୁମ୍ବାଇରେ ଆସନ୍ତା 8 ତାରିଖରେ ହେବ ରୋଡ ସୋ । ରୋଡ ସୋ ପରେ ମୁଖ୍ୟମନ୍ତ୍ରୀ କିଛି ସମ୍ଭାବ୍ୟ ପୁଂଜିନିବେଶକାରୀଙ୍କ ସହ ସିଧାସଳଖ ରାଜ୍ୟରେ ଶିଳ୍ପାୟନର ସୁଯୋଗ ଏବଂ ରାଜ୍ୟ ସରକାର ନିବେଶକାରୀଙ୍କୁ ପ୍ରଦାନ କରୁଥିବା ସୁବିଧା ସୁଯୋଗ ସଂପର୍କରେ କଥା ହେବେ ।

ବିଶେଷ କରି କଳିଙ୍ଗନଗର ନ୍ୟାସନାନ ଇନଭେଷ୍ଟମେଣ୍ଟ ମାନୁଫାକଚରିଂ ଜୋନ, ଖୋର୍ଦ୍ଧା ଫୁଡ ପ୍ରୋସେସିଂ ପାର୍କ, ଧାମନଗର ଟେକ୍ସଟାଇଲ ପାର୍କ, ଅନୁଗୁଳ ଆଲୁମିନିୟମ ପାର୍କ ଓ ପାରାଦ୍ବୀପ ପ୍ଲାଷ୍ଟିକ ପାର୍କ ପାଇଁ ପୁଂଜନିବେଶକାରୀଙ୍କୁ ଆମନ୍ତ୍ରଣ କରାଯିବ । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀ ସଚିବାଳୟରେ ମେକ ଇନ ଓଡିଶା କନକ୍ଲେଭର ପ୍ରସ୍ତୁତି ବୈଠକରେ ଅଧିକରୁ ଅଧିକ ପୁଂଜିପତିଙ୍କୁ ଆକୃଷ୍ଟ କରିବାର ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ମାନୁଫାକଚରିଂ ବା ଉତ୍ପାଦନ କ୍ଷେତ୍ରରେ ପୁଂଜି ବଢାଇବାକୁ ପୁଂଜିପତିଙ୍କୁ ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।

କଳିଙ୍ଗନଗର ନ୍ୟାସନାନ ଇନଭେଷ୍ଟମେଣ୍ଟ ମାନୁଫାକଚରିଂ ଜୋନ, ଖୋର୍ଦ୍ଧା ଓ ଛତାବରରେ କରାଯାଉଥିବା ଖାଦ୍ୟ ପ୍ରକ୍ରିୟାକରଣ ପାର୍କ, ଅନୁଗୁଳ ଆଲୁମିନିୟମ ପାର୍କ ଓ ପାରାଦ୍ବୀପ ପ୍ଲାଷ୍ଟିକ ପାର୍କ ସଂପର୍କରେ ମୁମ୍ବାଇ ରୋଡ ସୋରେ ପୁଂଜିପତିଙ୍କୁ ଅବଗତ କରାଯିବ । ମୁମ୍ବାଇ କାର୍ଯ୍ୟକ୍ରମ ପାଇଁ ଅନଲାଇନ ପଂଜିକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆଗ୍ରହୀ କମ୍ପାନୀମାନେ ଏମଆଇଓ ଡଟ ଫିକି ଡଟ କମରେ ଅଗଷ୍ଟ 6 ତାରିଖ ସୁଦ୍ଧା ପଂଜିକରଣ କରିପାରିବେ ବୋଲି ଟିମ ଓଡିଶା ପକ୍ଷରୁ କୁହାଯାଇଛି ।

ଦେଶ ଓ ବିଦେଶର ବଡ ବଡ ପୁଞ୍ଜିପତିଙ୍କୁ ପୁଞ୍ଜିନିବେଶକଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ମଧ୍ୟ ଏକ ବଡ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଏକ ପ୍ରତିନିଧି ମଣ୍ଡଳୀ ଚୀନ, ଜାପାନ ଓ କୋରିଆ ଗସ୍ତ କରିବ ବୋଲି ଶିଳ୍ପ ସଚିବ କହିଛନ୍ତି । ଚଳିତବର୍ଷ କନକ୍ଲେଭରେ ଖାଦ୍ୟ ପ୍ରକ୍ରିୟାକରଣ, ଏମଏସଏମଇ, ଇଲେକ୍ଟ୍ରନିସ୍, ସ୍ମାର୍ଟସିଟି, ସିଏସଆର, ପ୍ରତିରକ୍ଷା ଉତ୍ପାଦନ ଓ ଷ୍ଟାର୍ଟଅପ ଉପରେ ଗୁରୁତ୍ବ ଦିଆଯିବ । ପୂର୍ବବର୍ଷ ହୋଇଥିବା କନକ୍ଲେଭରେ ଆବେଦନ କରିଥିବା କମ୍ପାନୀ ମାନଙ୍କ ମଧ୍ୟରୁ ୬୫ପ୍ରତିଶତ କମ୍ପାନୀ ସେମାନଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଓଡିଶାକୁ ଅଧିକରୁ ଅଧିକ ପୁଂଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ଏଭିତରେ ବାୟୋଟେକ୍ନୋଲୋଜି ନୀତି ଓ ଖାଦ୍ୟ ପ୍ରକ୍ରିୟାକରଣ ନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି । ବୟନ, ଖାଦ୍ୟପ୍ରକ୍ରିୟାକରଣ, ସ୍ବାସ୍ଥ୍ୟ ସେବା, ପର୍ଯ୍ୟଟନ, ବୟନ ଓ ମହିଳା ସଶକ୍ତିକରଣକୁ ମେକ ଇନ ଓଡିଶାରେ ଫୋକସରେ ରଖିଛନ୍ତି ସରକାର ।

Share

Leave a Reply

Your email address will not be published. Required fields are marked *

19 + four =