ମୁଖ୍ୟମନ୍ତ୍ରୀ ଟିକେଟ କିଣୁଛନ୍ତି ହେଲେ ନେତା ଓ ଅଫିସର ପାସ ମାଗୁଛନ୍ତି

ଭୁବନେଶ୍ୱର () ଐତିହାସିକ ବାରବାଟି ଷ୍ଟାଡିୟମରେ ଆସନ୍ତାକାଲି ଖେଳାଯିବାକୁ ଥିବା ଭାରତ-େଓଷ୍ଟେଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ହାତରୁ ପଇସା ଦେଇ ପ୍ରଥମ ଟିକେଟ କାଟିଲେ । ଏହାପରେ ଆରମ୍ଭ ହେଲା ଟିକେଟ ବିକ୍ରି ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ ବୋଲି ଭାବୁଥିବା ମନ୍ତ୍ରୀ, ବିଧାୟକ ଓ ଅଫିସରମାନେ କିନ୍ତୁ ପଇସା ଦେଇ ଟିକେଟ କିଣିପାରୁନାହାଁନ୍ତି । ସେମାନଙ୍କୁ ଦରକାର ମାଗଣା ପାସ । ପାସ ପାଇଁ ଲବି ଏତେ ହେଉଛି ଯେ, ଓଡିଶା କ୍ରିକେଟ ଆସୋସିଏସନ ଓ ପୋଲିସ ଅଧିକାରୀମାନେ ମୁଣ୍ଡରେ ହାତ ଦେଲେଣି । ଯାହାକୁ ପାସ ମିଳୁନି ସେ ଓସିଏ ଓ ପୋଲିସ ଉପରେ ରାଗ ରଖୁଛି ।

ବାରବାଟି ଦିନିକିଆ ମ୍ୟାଚ ପାଇଁ ଅନଲାଇନ ଟିକେଟ ସହ କାଉଣ୍ଟରରେ ମଧ୍ୟ ଟିକେଟ ବିକ୍ରି ହେଲା । ବାରବାଟି ଷ୍ଟାଡିୟମର କ୍ଷମତା ୪୦ ହଜାର । ଏଥିପାଇଁ ୮୧୫୦ ଟିକେଟ ଅନଲାଇନରେ ବିକ୍ରି ହୋଇଥିବା ବେଳେ ଅଫଲାଇନରେ ଅର୍ଥାତ କାଉଣ୍ଟରରେ ୧୦ ହଜାର ୩୯ଟି ଏହିପରି ପ୍ରାୟ ୨୦ ହଜାର ଟିକେଟ ବିକ୍ରି ହୋଇଛି । ଓସିଏ ସହ ସହବନ୍ଧିତ କିଛି ଅନୁଷ୍ଠାନକୁ କିଛି ମାଗଣା ଟିକେଟ ଦିଆଯାଇଛି । ବଳକା ସବୁ ଟିକେଟକୁ ପାସ ଆକାରରେ ବାଣ୍ଟିଦିଆଯାଇଛି । ଅର୍ଥାତ ପ୍ରାୟ ୨୦ ହଜାର ମାଗଣା ଟିକେଟ ଓ ପାସ ବଣ୍ଟାଯାଇଛି । ଏସବୁ ପାସ ଓ ମାଗଣା ଟିକେଟ କାହାକୁ ଦିଆଯାଇଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଅସନ୍ତୋଷ ମଧ୍ୟ ଦେଖାଦେଇଛି ।

ମିଳୁଥିବା ସୂଚନା ଅନୁଯାୟୀ ଏହିସବୁ ମାଗଣା ଟିକେଟ ଓ ପାସ ମୁଖ୍ୟତଃ ମନ୍ତ୍ରୀ, ବିଧାୟକ, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ବଣ୍ଟାଯାଇଛି । ସେମାନଙ୍କୁ ଗଣ୍ଡାଗଣ୍ଡା ପାସ ଦିଆଯାଇଛି । ସେମାନେ ପୁଣି ନିଜ ସମ୍ପର୍କୀୟ, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କୁ ବି ପୁଳାପୁଳା ପାସ ବାଣ୍ଟି ବାହାଦୁରୀ ନେଉଛନ୍ତି । ସବୁଠୁ ଅଧିକ ପାସ ଓ ମାଗଣା ଟିକେଟ ବାଣ୍ଟିଛନ୍ତି ବରିଷ୍ଠ ପୋଲିସ ଅଧିକାରୀମାନେ ।

ଟିକେଟର ଦାମ ୪୦୦ ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ପର୍ଯ୍ୟନ୍ତ । ସାଧାରଣତଃ ଖେଳପ୍ରେମୀମାନେ ପଡିଆରେ ଖେଳ ଦେଖିବାକୁ ରାତିରାତି ଲାଇନ ଲଗେଇ ଟିକେଟ କିଣିଛନ୍ତି । କ୍ରିକେଟ ପାଇଁ ପାଗଳ ଖେଳପ୍ରେମୀମାନେ ଟିକେଟ ପାଉନଥିବା ବେଳେ କେବଳ ସଉକ ଓ ବାହାଦୂରୀ ପାଇଁ ପାସ ଓ ମାଗଣା ଟିକେଟ ବାଣ୍ଟୁଛନ୍ତି ନେତା ଓ ଅଫିସରଗଣ । ଲୋକେ ୫ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦେଇ ଟିକେଟ କିଣିବାକୁ ପ୍ରସ୍ତୁତ ଥିଲେ ବି ଅନଲାଇନ କି ଅଫଲାଇନରେ ଟିକେଟ ନାହିଁ । ଯଦି ୪୦ହଜାର କ୍ଷମତା ଥିବା ଷ୍ଟାଡିୟମରୁ ୫୦ ପ୍ରତିଶତ ଟିକେଟ ମାଗଣା ବାଣ୍ଟିଦିଆଯାଏ, ତେବେ କିଣିବାକୁ ଆଗ୍ରହୀ ଲୋକେ ବା ଟିକେଟ ପାଇବେ କେମିତି । ଟିକେଟ ବାଣ୍ଟୁଥିବା ମନ୍ତ୍ରୀ, ବିଧାୟକ ଓ ଅଫିସରମାନେ କୁଆଡେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଆଦର୍ଶ ବୋଲି କହୁଛନ୍ତି । ମୁଖ୍ୟମନ୍ତ୍ରୀ କଣ ଏମିତି ମାଗଣା ଟିକେଟ କି ପାସ ପାଇଁ ବାୟା ହେଉଛନ୍ତି । ସେ ତ ନିଜେ ଅର୍ଥ ଦେଇ ଟିକେଟ କିଣିଲେ, ମନ୍ତ୍ରୀ, ବିଧାୟକ ଓ ଅଫିସରମାନେ କଣ ଟିକେଟ କିଣି ପାରିନଥାନ୍ତେ ।

Share

Leave a Reply

Your email address will not be published. Required fields are marked *

4 × three =