ନବୀନଙ୍କ ବାର୍ତ୍ତା : ମୋ ପ୍ରତି ନୁହେଁ, ରାଜ୍ୟର ଭବିଷ୍ୟତ ପ୍ରତି ଆନୁଗତ୍ୟ ରଖ

ଭୁବନେଶ୍ୱର () ବିଜେଡିର 23ତମ ପ୍ରତିଷ୍ଠା ଦିବସରେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦଳର ସବୁ କର୍ମୀ, ନେତା, ବିଧାୟକ ଓ ସାଂସଦଙ୍କ ଦେଇଛନ୍ତି ଗୁରୁ ମନ୍ତ୍ର । ତାଙ୍କ ପ୍ରତି ନୁହେଁ, ଓଡ଼ିଶାର ଭବିଷ୍ୟତ ଗଠନ ପ୍ରତି ଆନୁଗତ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଏହା ଥିଲା ବିଜୁ ବାବୁଙ୍କ ନୀତିବାଣୀ । ଏହି ନୀତିକୁ ଗ୍ରହଣ କରି ବିଜେଡି ଆଜି ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ।

ସେ କହିଥିଲେ ଯେ, ବିଜେଡି ଏବେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ସେବା ପାଇଁ ଏକ ଆନ୍ଦୋଳନ । ଶସକ୍ତିକରଣ ପାଇଁ ଏକ ଆନ୍ଦୋଳନ।  ଓଡ଼ିଆଙ୍କ ଆଶା ଓ ବିକାଶକୁ ନେଇ ଚାଲିଥିବା ଆନ୍ଦୋଳନର ଅନ୍ୟ ନାମ ବିଜେଡି ।

ବିଜେଡି ଆଉ ଏକ ରାଜନୈତିକ ଦଳରେ ସୀମିତ ନୁହେଁ । ଏହା କାହା ଉପରେ, କୌଣସି ନେତା ଏପରିକି ତାଙ୍କ ଉପରେ ମଧ୍ୟ ନିଜର ବିକାଶ ଓ ସ୍ଥାୟୀତ୍ୱ ପାଇଁ ନିର୍ଭରଶୀଳ ନୁହେଁ ବୋଲି ନବୀନ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟ ଶୁଣି ବିରୋଧୀଙ୍କ କାନ ଛିଡା ହୋଇଯାଇଥିଲା  ।

ସେ କହିଥିଲେ ଯେ, ଜାତିର ପିତା ମହାତ୍ମା ଗାନ୍ଧୀ ଲୋକଙ୍କ ଭିତରେ ସେବା ମନୋଭାବର ବିକାଶ ପାଇଁ  ଦେଇଥିବା ପରସମଣି ବିଷୟରେ ସମସ୍ତେ ଜାଣନ୍ତି । ଗାନ୍ଧିଜୀଙ୍କ ଏହି ପରସମଣି ସାରା ମାନବ ଜାତି ପାଇଁ ଓ ସବୁ ସମୟ ପାଇଁ ଆଦର୍ଶ ହୋଇ ରହିଛି ଓ ରହିଥିବ । ଗାନ୍ଧିଜୀଙ୍କ ଏହି ପରସମଣି ଆମ ପାଇଁ ପ୍ରେରଣା । ମହାତ୍ମାଙ୍କ 150 ତମ ଜନ୍ମ ବାର୍ଷିକୀରେ ନବୀନ ଦଳୀୟ କର୍ମୀଙ୍କ ଆଉ ଏକ ପରସମଣି ରଖିଥିଲେ ।

ତାହା ଥିଲା, ଓଡ଼ିଶାର ସାଢ଼େ ଚାରି କୋଟି ଭାଇ ଭଉଣୀ ହେଉଛନ୍ତି ଆମ ପରିବାର । ଭୋଟ ଜରିଆରେ ସେମାନେ ଆମକୁ ଦେଉଥିବା ଦାୟିତ୍ୱ କ୍ଷମତା ନୁହଁ । ଆମ ପରିବାରର ସେବା ପାଇଁ ଏହା ଏକ ମହାନ ସୁଯୋଗ । ଏହି ଭାବନା ନେଇ ଆମେ ସମସ୍ତେ କାମ କରୁଛୁ । ସାଢ଼େ ଚାରି କୋଟି ଭାଇ ଭଉଣୀ ଆମକୁ ଦେଇଥିବା ଦାୟିତ୍ୱକୁ ଆମେ ନମ୍ରତା ଓ ସାଧୁତାର ସହ ପାଳନ କରିବା ।

ଏଥିସହ ନିର୍ବାଚନ ଜିତିବା ପାଇଁ ଆମେ କାମ କରୁନୁ । ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ । ଏଥିପାଇଁ ଆମେ 365 ଦିନ କାମ କରୁଛୁ । ଏହି ନୀତିକୁ ଅନୁସରଣ କରି ବିଜେଡି ଆଜି ଓଡ଼ିଶାର ବିକାଶର ପରିଚୟ ହୋଇପାରିଛି ଏବଂ ଲୋକଙ୍କ ଆଶା ଓ ଭରସାର ପ୍ରତୀକ ହୋଇପାରିଛି ।

Share

Leave a Reply

Your email address will not be published. Required fields are marked *

one × one =