ପଞ୍ଚମ ଟେଷ୍ଟରେ ଇନିଂସ ବିଜୟ ଅଭିଯାନରେ ନବୀନ

ଭୁବନେଶ୍ୱର () ନିଆଁରେ ପୋଡିଲେ ଯେମିତି ସୁନାର ରଙ୍ଗ ଯେମିତି ଅଧିକ ଚମକିଥାଏ ଠିକ ସେମିତି ବିରୋଧୀଙ୍କ ଘନ ଘନ ଆକ୍ରମଣରେ ନବୀନ ପଟନାୟକ ଅଧିକ ଶକ୍ତିଶାଳୀ ହେଉଛନ୍ତି । ଏକଥା ଆମେ କହୁନୁ, ଇତିହାସ ବୟାନ କରୁଛି । ୨୦୦୦ ମସିହାରୁ ରାଜ୍ୟରେ କ୍ରମାଗତ ଭାବେ ୧୯ ବର୍ଷ ଧରି ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାରେ ରହିଥିବା ବିଜେଡି ସଭାପତି ଏଥର ବି ରେସର ଆଗରେ ଅଛନ୍ତି । ବିଗତ 4ଟି ନିର୍ବାଚନରେ ମଧ୍ୟ ସରକାର ଓ ନବୀନଙ୍କ ବିରୋଧରେ ବିରୋଧୀ ଯେତେ ଦୁର୍ନୀତିର ଅଭିଯୋଗ ଆଣିଲେ ବି ସଫଳ ହୋଇନାହାନ୍ତି । ବରଂ ନବୀନଙ୍କ ନେତୃତ୍ୱରେ ବିଜେଡି ଅଧିକ ଭଲ ପ୍ରଦର୍ଶନ କରିଛି ।

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଓଡିଶାରେ ଚାରୋଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ନବୀନ ନିବାସରେ ଦୈନିକ ଚାଲିଛି ମନ୍ତ୍ରଣା ଏବଂ ରଣନୀତି । ୧୯ ବର୍ଷର ସରକାର ବିରୋଧରେ ତୃଣମୂଳ ସ୍ତରରେ ଅସନ୍ତୋଷ ସୃଷ୍ଟି ହେବା ସ୍ୱାଭାବିକ । ହେଲେ ଏହି ଅସନ୍ତୋଷକୁ ଏଡାଇବା ପାଇଁ ନବୀନ ଏବେ ନିଜ ଭାବମୂର୍ତ୍ତୀକୁ ସ୍ୱଚ୍ଛ ଓ ନିର୍ମଳ ରଖିଥିବା ବେଳେ ମହିଳା ଭୋଟର ଏବଂ କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, କାଳିଆ ଛାତ୍ରବୃତ୍ତି ଭଳି ଜନକଲ୍ୟାଣକାରୀ ଯୋଜନାକୁ ଗୁରୁତ୍ୱ ଦେଇଛନ୍ତି  । ଏଥିସହିତ ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳା ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୋଧରେ ଲଢେଇକୁ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ।

ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ କହିବା ଅନୁଯାୟୀ ଏହି ୭୩ ବର୍ଷିୟ ବ୍ୟାଚେର ନେତାଙ୍କ ଭାବମୂର୍ତ୍ତୀ ଏବେ ବି ତାଙ୍କ ପସନ୍ଦର କୁର୍ତ୍ତା ଓ ପାଇଜାମା ପରି ସ୍ୱଚ୍ଛ । ଯଦିଓ ତାଙ୍କ ସରକାର ବିରୋଧରେ ଏହି ୧୯ ବର୍ଷର ଶାସନରେ କିଛି ଦୁର୍ନୀତିର ଅଭିଯୋଗ ଆସିଛି । ନବୀନଙ୍କ ବିରୋଧରେ କୌଣସି ଦୁର୍ନୀତି କିମ୍ବା ଅର୍ଥ ତୋଷରପାତର ଅଭିଯୋଗ ଆସିନଥିବା ବେଳେ ତାଙ୍କ ସରକାର ବିରୋଧରେ ଖଣି ଓ ଚିଟଫଣ୍ଡ ଭଳି ଦୁର୍ନୀତି ଅଭିଯୋଗ ଆସିଛି ।

ରାଜନୈତିକ ସମୀକ୍ଷକଙ୍କ ମତରେ ନବୀନଙ୍କ ଦୁର୍ନୀତିମୁକ୍ତ ଭାବମୂର୍ତ୍ତୀ ତାଙ୍କର ସବୁଠାରୁ ବଡ ସମ୍ପତ୍ତି । ସେପଟେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଦୃଢୋକ୍ତି ପ୍ରକାଶ କରୁଥିବା ନବୀନଙ୍କ ପ୍ରତିଷ୍ଠା ସମକକ୍ଷ ବିରୋଧୀ ଦଳରେ ନେତାଙ୍କ ଅଭାବ ରହିଛି । ଆଉ କିଛି ରାଜନୈତିକ ପଣ୍ଡିତଙ୍କ କହିବା ଅନୁଯାୟୀ ୨୦୧୯ ନିର୍ବାଚନ ଘୋଷଣାର ଅଳ୍ପ କିଛି ଘଣ୍ଟା ପୂର୍ବରୁ ନବୀନ ସବୁଠାରୁ ଏଭଳି ଏଥର ମଧ୍ୟ ନିଜର ଟ୍ରମ୍ପ କାର୍ଡ ଖେଳିଛନ୍ତି । କେନ୍ଦ୍ରାପଡାରେ ଏକ ସାଧାରଣ ସଭାରେ ସେ ବିଜେଡିର ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ୩୩ ପ୍ରତିଶତ ଆସନ ମହିଳା ରହିବେ ବୋଲି ଘୋଷଣା କରିଥିଲେ । ଏହାଦ୍ୱାରା ସେ ମହିଳା ସଶକ୍ତିକରଣରେ ନିଜର ପ୍ରତିଶୃତି ପାଳନ କରିବାକୁ ଯାଇ ରାଜ୍ୟର ୨୧ଟି ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୭ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱତ୍ୱିତା କରିବେ ବୋଲି କହିଥିଲେ ।

ଯଦିଓ ବିଜେପି ନେତାମାନେ ନବୀନଙ୍କ ଏଭଳି ଘୋଷଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି, ଏହି ନିଷ୍ପତ୍ତି ତାଙ୍କୁ ତୃଣମୂଳ ମହିଳାଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ କରିବ ବୋଲି ବିଜେଡି ନେତାମାନେ ଦାବି କରୁଛନ୍ତି । ବିଜେପି ପ୍ରଶ୍ନ କରିଛି, ନବୀନ ଲୋକସଭାରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବେ କିନ୍ତି ବିଧାନସଭା ପାଇଁ ଏହି ଘୋଷଣା କାହିଁକି କାର୍ଯ୍ୟକାରୀ କରୁନାହାଁନ୍ତି । ତେବେ ୨୦୧୨ରେ ନବୀନ ପଂଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ସଂରକ୍ଷଣ ୩୩ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏଥିସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ପାଇଁ ଋଣ ରିହାତି ପ୍ରଦାନ କରିଥିଲେ । ଏହା ୨୦୧୪ରେ ନବୀନଙ୍କୁ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ପଥ ସୁଗମ କରିଥିଲା ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି ।

ନିର୍ବାଚନ ଘୋଷଣା ହେବା ପୂର୍ବରୁ ନବୀନ ସମସ୍ତ ୨୧ଟି ଯାକ ଲୋକସଭା କ୍ଷେତ୍ରକୁ ଏକାଧିକ ଥର ଗସ୍ତ କରି ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ସ୍ୱଳ୍ପ ଓ ମିଷ୍ଟଭାଷୀ ନବୀନ ଏହିସବୁ ସାଧାରଣ ସଭାରେ ନିଜର ସ୍ପଳ୍ପ ଭାଷଣ ମଧ୍ୟରେ କହିଥିବା କିଛି ଶବ୍ଦ ଏବେ ଗାଁଠୁ ସହର ଯାଏଁ ସବୁରି ମୁହଁରେ । ଭାଷଣ ମଧ୍ୟରେ ନବୀନଙ୍କ -ଆପଣମାନେ ଖୁସୀ ତ, ମୁଁ ବି ଖୁସୀ – ଏହି ୬ଟି ଶବ୍ଦ ଏବେ ଗାଁ ଗାଁରେ ଏମିତି ଭାଇରାଲ ହୋଇଛି ଯେ, ପିଲାଠୁ ବୁଢାଯାଏଁ ସମସ୍ତେ ଏହି ଧାଡିକୁ ଘୋଷି ହେଉଛନ୍ତି । ଏହିସବୁ ସାଧାରଣ ସଭାରେ ନବୀନ ନୂଆ ରଣନୀତି ଆପଣେଇଛନ୍ତି । ଏହିସବୁ ସଭାରେ ତାଙ୍କର କୌଣସି ମନ୍ତ୍ରୀ କି ବିଧାୟକ ସଭାରେ ବସିଲେ ନାହିଁ । ସେମାନେ ସାଧାରଣ ଲୋକଙ୍କ ମଞ୍ଚ ତଳେ ବସିଲେ । ସେପଟେ ନବୀନଙ୍କ ଷ୍ଟେଜ ସେୟାର କଲେ ଚାଷୀ, ମହିଳା ଓ ଯୁବକ । ଏଥିସହିତ ସେ ସେମାନଙ୍କୁ ସଭାକୁ ସମ୍ବୋଧିତ କରିବାକୁ ସୁଯୋଗ ଦେଇ ନିଜେ ସେମାନଙ୍କୁ ଶୁଣୁଥିଲେ । ଏହାଦ୍ୱାରା ଲୋକେ ନବୀନଙ୍କ ସରଳତାକୁ ଅନୁଭବ କରିଛନ୍ତି ବୋଲି କହିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

Share

Leave a Reply

Your email address will not be published. Required fields are marked *

eleven + one =