ଝାରସୁଗୁଡାକୁ ବାଣିଜ୍ୟିକ ବିମାନ ଚଳାଚଳ ଦାବି

ଭୁବନେଶ୍ବର () ଝାରସୁଗୁଡାକୁ ଏୟାର ଇଣ୍ଡିଆ ବିମାନ ଚଳାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାରେ ଦ୍ବିତୀୟ ବାଣିଜ୍ୟିକ ବିମାନ ବନ୍ଦରର ସ୍ବପ୍ନକୁ ସାକାର କରିବାରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ବାଣିଜ୍ୟିକ ବିମାନ ବନ୍ଦରର ରୂପ ଦେବାକୁ ଏଠାକୁ କେବଳ ଉଡାନ ବିମାନ ସହ ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପ୍ରଥମ ଦଫାରେ ଭୁବନେଶ୍ବର ନୂଆଦିଲ୍ଲୀ ଏୟାର ଇଣ୍ଡିଆ ବିମାନକୁ ଝାରସୁଗୁଡା ଦେଇ ଚଳାଇବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ଝାରସୁଗୁଡା ବିମାନ ବନ୍ଦର ପାଇଁ ରାଜ୍ୟ ସରକାର 120 ଏକର ଜମି ସହ ପାଣି ଓ ବିଦ୍ୟୁତ ଯୋଗାଯୋଗର ବ୍ୟବସ୍ଥା କରିଛନ୍ତି । ଏଥିସହିତ ରାଜ୍ୟ ସରକାର ବିମାନ ବନ୍ଦର ଉନ୍ନତିକରଣ ପାଇଁ 75 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ମଧ୍ୟ ବିମାନ ବନ୍ଦରର ଉନ୍ନତି ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏନଟିପିସି ଓ ଏମସିଏଲର କୋଇଲା ଖଣିକୁ ଉତ୍ସର୍ଗ କରାଯିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡିଶା ଏକ କୋଇଲା ସମ୍ବୃଦ୍ଧି ରାଜ୍ୟ ଭାବେ ଦେଶର ଅର୍ଥନୈତିକ ବିକାଶରେ ବହୁଳ ଭାବେ ସହାୟତା କରୁଛି । କିନ୍ତୁ ଏହାର ନକରାତ୍ମକ ପ୍ରଭାବ ଓଡିଶା ସହୁଛି । ପ୍ରଦୂଷଣ ସାଙ୍ଗକୁ ବିସ୍ଥାପନ ଏବଂ ଜଙ୍ଗଲ କ୍ଷୟର କ୍ଷତି ସହୁଛି ଓଡିଶା । ଏହିଦୃଷ୍ଟିରୁ ଖଣି ରାଜସ୍ବରୁ ଓଡିଶାର ଭାଗ ରହିବା ଯୁକ୍ତି ସଙ୍ଗତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଇଲା ରୟାଲଟି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍ବାରା ଖଣି ଅଞ୍ଚଳରେ ବିକାଶର ଧାରା ତ୍ବରାନ୍ବିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seven + 17 =