ପୋଲାଭରମ ବିବାଦ : ହସ୍ତକ୍ଷେପ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ବର () ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଓଡିଶାର ସ୍ବାର୍ଥ ସଂପର୍କିତ ପ୍ରସଙ୍ଗ ଗୁଡିକର ସମାଧାନ ନହେବା ଯାଏଁ ପ୍ରକଳ୍ପ ବନ୍ଦ କରିବାକୁ ଦାବି କରିଛନ୍ତି ।

ପୋଲାଭରମ ପ୍ରକଳ୍ପ ବନ୍ଦ ହେଲେ ଏହା ଓଡିଶା ଉପରେ ନକରାତ୍ମକ ପ୍ରଭାବ ପକାଇବ । ବିଶେଷ କରି ମାଲକାନଗିରି ଜିଲ୍ଲାର ଆଦିବାସୀମାନେ ଏହି ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବେ । ପୋଲାଭରମର ବ୍ୟାକ ୱାଟର ଦ୍ବାରା ବହୁ ସଂଖ୍ୟାରେ ଆଦିବାସୀ ଗାଁ ବୁଡିଯିବ । ଏହାଦ୍ବାରା ବହୁ ସଂଖ୍ୟାରେ ଆଦିମ ଅଧିବାସୀ ବିସ୍ଥାପିତ ହେବେ । ଏହାଦ୍ବାରା ହଜାର ହଜାର ଏକର ଉର୍ବର ଚାଷଜମୀ ଓ ଜଙ୍ଗଲ ମଧ୍ୟ ଜଳମଗ୍ନ ହେବ ।ଏହିସବୁ ସମସ୍ୟାର ସମାଧାନ ହୋଇପାରିବ ଯଦି ସୁପ୍ରିମ କୋର୍ଟରେ ବିଚାରଧୀନ ଏହି ବିବାଦର ସମାଧାନ ପାଇଁ ସୁଯୋଗ ସୃଷ୍ଟି କରାଯାଏ । ପୋଲାଭରମ ପ୍ରକଳ୍ପକୁ ନୂଆକରି ଗୋଦାବରୀ ଜଳ ବିବାଦ ଟ୍ରିବୁନାଲର ମାନଦଣ୍ଡ ଅନୁଯାୟୀ କରାଯାଇପାରିବ । ଏହାଦ୍ବାରା ଓଡିଶାରେ ଏତେମାତ୍ରାରେ ଜଙ୍ଗଲ, ଚାଷଜମୀ ଓ ଆଦିମ ଅଧିବାସୀଙ୍କ ଗାଁ ଜଳମଗ୍ନ ହେବ ନାହିଁ । ଯଦି ମାମଲାର ସ୍ଥାୟୀ ସମାଧାନ କରାନଯାଇ ପ୍ରକଳ୍ପ କାମ ଶେଷ ହୁଏ ତେବେ ଚିରକାଳ ପାଇଁ ଓଡିଶା କ୍ଷତିଗ୍ରସ୍ତ ହେବ ବୋଲି ସେ କହିଛନ୍ତି ।

ଏହି ଚିଠିରେ ସେ ପୂର୍ବରୁ ଲେଖିଥିବା ଚିଠି ଓ ସୁପ୍ରିମକୋର୍ଟଙ୍କ ରାୟକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ଏହି ମର୍ମରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ସେପ୍ଟେମ୍ବର 16 ତାରିଖ 2015, ନଭେମ୍ବର 28 ତାରିଖ 2017 ଏବଂ ଜୁଲାଇ 12 ଓ ନଭେମ୍ବର 21 ତାରିଖ 2018ରେ ଚାରୋଟି ଚିଠି ଲେଖିଛନ୍ତି । ଏଥିରେ ସେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ କାମ ବନ୍ଦ ଆଦେଶ ଉପରେ ସ୍ଥଗିତାଦେଶକୁ ବାରମ୍ବାର ଘୁଞ୍ଚାଇ ଚାଲିଛନ୍ତି ଏବଂ ଏଥିପାଇଁ ଓଡିଶାର ମତାମତ ନିଆଯାଉନାହିଁ ବୋଲି ଉଦବେଗ ପ୍ରକାଶ କରିଥିଲେ ।

2005 ଅକ୍ଟୋବର 25 ତାରିଖରେ ଏହି ପ୍ରକଳ୍ପକୁ ମଂଜୁରୀ ମିଳିଥିଲା । ସେ ସମୟରେ ଓଡିଶାର ସମ୍ଭାବ୍ୟ କ୍ଷତିଗ୍ରସ୍ତ ଅଞ୍ଚଳରେ ଗୋଟେ ହେଲେ ଜନଶୁଣାଣୀ ହୋଇନଥିଲା । ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ ହେବା ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପ୍ରକଳ୍ପ କାମ ଉପରେ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ମନ୍ତ୍ରଣାଳୟ କାର୍ଯ୍ୟବନ୍ଦ ଆଦେଶ ଉପରେ 2013ରେ 6 ମାସ ପାଇଁ ସ୍ଥଗିତାଦେଶ ଦେଇଥିଲେ । ପରେ 2014, 2015, 2016, 2017 ଏବଂ 2018ରେ କ୍ରମାଗତ ଭାବେ କାର୍ଯ୍ୟବନ୍ଦ ଉପରେ ସ୍ଥଗିତାଦେଶ ଦିଆଯାଉଛି । ଏବେ ପୁଣି ଥରେ 2019ରେ କାର୍ଯ୍ୟବନ୍ଦ ଆଦେଶ ଉପରେ ଦୁଇ ବର୍ଷ ପାଇଁ ସ୍ଥଗିତାଦେଶ ଦିଆଯାଇଛି । ଏହି ସ୍ଥଗିତାଦେଶରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ବିନା ଅନୁମୋଦନରେ ପ୍ରକଳ୍ପର ଜଳଭଣ୍ଡାର ଆଇନ ଅନୁଯାୟୀ ଦଖଲ କରାଯାଇପାରିବ ନାହିଁ ଏବଂ ଜନଶୁଣାଣୀ ପରେ ପ୍ରକଳ୍ପର ଡିଜାଇନ ପ୍ରସ୍ତୁତ କରିବାକୁ କୁହାଯାଇଛି ।

ବର୍ତ୍ତମାନ ସୁଦ୍ଧା ଓଡିଶାର ମାଲକାନଗିରି ଜିଲ୍ଲାରେ ଗୋଟିଏ ହେଲେ ଜନଶୁଣାଣୀ ହୋଇନଥିବା ବେଳେ ପ୍ରକଳ୍ପ ଶେଷ ହେବା ପରେ ଆଉ ଏହାର ଡିଜାଇନରେ ପରିବର୍ତ୍ତନ କିମ୍ବା କାର୍ଯ୍ୟକାରିତା ମାନଦଣ୍ଡରେ ଆଉ କିଛି ପରିବର୍ତ୍ତନ କରାଯାଇପାରିବ ନାହିଁ । ତେଣୁ ଏବେଠାରୁ ଏନେଇ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନବୀନ ଦାବି ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen + seven =