ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରକୁ 5 ଲକ୍ଷ ଘର ମାଗିଲେ ନବୀନ

ଭୁବନେଶ୍ବର () ବାତ୍ୟା ପ୍ରଭାବିତ ଅଂଚଳରେ ଲୋକଙ୍କୁ ପକ୍କା ଘର ଯୋଗାଣ ପାଇଁ କେନ୍ଦ୍ରକୁ ସ୍ୱତନ୍ତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 5 ଲକ୍ଷ ଘର ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏ ସମ୍ପର୍କରେ ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।

ଫନିରେ ହୋଇଥିବା କ୍ଷୟକ୍ଷତିର ମୁକାବିଲାରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ବାତ୍ୟାରେ ଲୋକେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ବାସଗୃହ ହରାଇଥିବା ଯୋଗୁଁ ସେମାନଙ୍କ ଦୁର୍ଦଶା ଦ୍ବିଗୁଣିତ ହୋଇଛି । ବାତ୍ୟା ଫନିରେ କେତେ ଘର ଭାଙ୍ଗିଛି ତାର ଆକଳନ ପାଇଁ ସ୍ୱତନ୍ତ୍ର ସର୍ଭେ ଆରମ୍ଭ ହୋଇଛି । ସର୍ଭେ ପରେ ପ୍ରକୃତ ସଂଖ୍ୟା ଜଣା ପଡିବ । ତେବେ ପ୍ରାଥମିକ ଆକଲନରେ 14ଟି ଜିଲାରେ 5 ଲକ୍ଷ ଘର ନଷ୍ଟ ହୋଇଛି ।
ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ନିଜେ ପ୍ରଧାନମନ୍ତ୍ରୀ ଗତ 6 ତାରିଖ ଓଡିଶା ଗସ୍ତ ସମୟରେ ଅବଗତ ହୋଇଛନ୍ତି । ରାଜ୍ୟ ସରକାର ମଧ୍ୟ ସେସମୟର ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଆଗାମୀ ମୌସୁମୀ ପୂର୍ବରୁ ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଯୋଗାଇଦେବର ଆବଶ୍ୟକତା ରହିଛି । ତେଣୁ ସେମାନଙ୍କୁ 5 ଲକ୍ଷ ସ୍ୱତନ୍ତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇଦେବାକୁ ନବୀନ ଦାବି କରିଛନ୍ତି ।
ଆସନ୍ତା ଜୁନ 10 ତାରିଖ ସୁଦ୍ଧା ମୌସୁମୀ ଓଡିଶା ପ୍ରବେଶ କରୁଥିବାରୁ ରାଜ୍ୟ ସରକାର ଜୁନ 1 ତାରିଖରୁ ଲୋକଙ୍କୁ କାର୍ଯ୍ୟାଦେଶ ଦେବାକୁ ନିଷ୍ପତି ନେଇଛନ୍ତି । ଆଶା ରଖିଛନ୍ତି ଯେ, ରାଜ୍ୟର ଏହି ଦାବିକୁ କେନ୍ଦ୍ର ଗ୍ରହଣ କରିବ । ଏଥିସହ ଏହି ବାସଗୃହ ଯୋଗାଣରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ 90:10 ହାରରେ ଅନୁଦାନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।
Share

Leave a Reply

Your email address will not be published. Required fields are marked *

one × one =