ରାଜ୍ୟର ରୂପାନ୍ତରଣ ପ୍ରକ୍ରିୟାରେ ଅଂଶିଦାର ହେବାକୁ ଶିଳ୍ପ କ୍ୟାପଟେନଙ୍କୁ ନବୀନଙ୍କ ଆହ୍ବାନ

ଭୁବନେଶ୍ବର ()  ରାଜ୍ୟରେ ଶିଳ୍ପର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ର – ମୁଁ ଓଡିଶା । ରାଜ୍ୟର ଏହି ମୁଁ ଓଡିଶା କ୍ୟାମ୍ପେନରେ ଦେଶ ବିଦେଶର ପୁଂଜିପତିମାନେ ଯୋଗ ଦେବାକୁ ଆହ୍ବାନ ଦେଇଛନ୍ତି ନବୀନ । ରାଜ୍ୟର ଶିଳ୍ପର ଅଭିବୃଦ୍ଧି ପାଇଁ ରହିଥିବା ସୁଯୋଗ ଏବଂ ପରିବେଶ ସଂପର୍କରେ ଶିଳ୍ପପତିଙ୍କ ଅବଗତ କରିବା ସହ ଓଡିଶାରେ ପୁଂଜି ନିବେଶ ପାଇଁ ସବୁ ପ୍ରକାର ସହାୟତାର ଦୃଢ ଆଶ୍ବାସନା ଦେଇଛନ୍ତି । ଏଥିସହ ରାଜ୍ୟରେ ଶିଳ୍ପ ଅର୍ଥନୀତିର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଭିଜନ-2025 ସଂପର୍କରେ ଶିଳ୍ପପତିଙ୍କୁ ନବୀନ ବିସ୍ତ୍ରୁତ ଭାବେ ବ୍ୟାଖ୍ୟା କରିଛନ୍ତି ।

ଓଡିଶାକୁ ଏକ ସମ୍ବୃଦ୍ଧ ଓ ବିକଶିତ ରାଜ୍ୟ ଭାବେ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିବାକୁ ରାଜ୍ୟ ସରକାର ନିୟମିତ ଭାବେ ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟର ଏହି ବିକାଶ ଏବଂ ରୂପାନ୍ତରଣ ପ୍ରକ୍ରିୟାରେ ଅଂଶିଦାର ହୋଇ ଓଡିଶାକୁ ଏକ ସମ୍ବୃଦ୍ଧ ଓ ନିରନ୍ତର ପ୍ରଗତିଶୀଳ ରାଜ୍ୟ ଗଢି ତୋଳିବାକୁ ବିଶ୍ବ ଓ ଜାତୀୟ ସ୍ତରୀୟ ଶିଳ୍ପ କ୍ୟାପଟେନମାନଙ୍କୁ ନବୀନ ଆମନ୍ତ୍ରଣ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଓ ସହୟତା ଯୋଗାଦେବେ । ରାଜ୍ୟରେ ଦୀର୍ଘ ମିଆଦି ସୂତ୍ରରେ ଅନ୍ୟୁନ 10 ପାଇଁ ପୁଂଜି ନିବେଶ କରିବାକୁ ନବୀନ ଉପସ୍ଥିତ ଶିଳ୍ପ ଟାଇକୁନମାନଙ୍କୁ ପରାମର୍ଶ ଦେଇଛନ୍ତି । ସେମାନଙ୍କର ପୁଂଜିନିବେଶ ପ୍ରକ୍ରିୟାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ଉତ୍ସର୍ଗୀକୃତ ଟିମ ମଧ୍ୟ ନିୟୋଜିତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

2016ରେ ଅନୁଷ୍ଠିତ ମେକ ଇନ ଓଡିଶାର ପ୍ରଥମ ସଂସ୍କରଣରେ 124ଜଣ ପୁଂଜିପତି ରାଜ୍ୟରେ ପୁଂଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହିସବୁ ଶିଳ୍ପାନୁଷ୍ଠାନ ଜରିଆରେ 2ଲକ୍ଷ କୋଟି ଟଙ୍କାର ପୁଂଜି ନିବେଶ ସହ ଲକ୍ଷାଧିକ ନିଯୁ୍କ୍ତି ସୁଯୋଗ ସୃଷ୍ଟି ହେବ । ସେ ମଧ୍ୟରୁ ଦୁଇ ତୃତୀୟାଂଶ ଶିଳ୍ପ ବିଭିନ୍ନ ପର୍ଯ୍ୟାୟ ଉତ୍ପାଦନକ୍ଷମ ସ୍ଥିତିରେ ଅଛନ୍ତି । ରାଜ୍ୟର ଏହି ଶିଳ୍ପାୟନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବାକୁ ଏବେ ସରକାର ଉତ୍ପାଦନ ଭିତ୍ତିକ ଶିଳ୍ପକୁ ପ୍ରାଧାନ୍ୟ ଦେଉଛନ୍ତି । ଏଥିପାଇଁ ପ୍ରସ୍ତୁତ ହୋଇଛି ଭିଜନ-2025  । ଏଥିରେ ଓଡିଶାରେ 2025 ସୁଦ୍ଧା 6ଟି ଫୋକସ କ୍ଷେତ୍ରରେ ଅଢେଇ ଲକ୍ଷ ପୁଂଜି ନିବେଶ ସହ 30 ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟରେ ସମାରିକ ଯନ୍ତ୍ରାଂଶ ନିର୍ମାଣକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରିଛନ୍ତି । ରାଜ୍ୟର ଇକୋ-ସିଷ୍ଟମକୁ ଦୃଷ୍ଟିରେ ରଖି ଶିଳ୍ପ ପାଇଁ ସ୍ବତନ୍ତ୍ର ନୀତି ମଧ୍ୟ ପ୍ରସ୍ତୁତ ହୋଇଛି । ବନ୍ଦର ଭିତ୍ତିକ ବିକାଶ ପାଇଁ ପୂର୍ବ ଉପକୂଳରେ ଏକାଧିକ ବନ୍ଦର ନିର୍ମାଣ କରିବାକୁ ମଧ୍ୟ ଲକ୍ଷ ରଖାଯାଇଛି । ପାରାଦ୍ବୀପ ଓ ଧାମରା ବ୍ୟତିତ ସୁବର୍ଣ୍ଣରେଖା ଓ ଗୋପଳପୁରରେ ଗଭୀର ବନ୍ଦନର ନିର୍ମାଣ ସହ ନଦୀ-ଭିତ୍ତିକ ବନ୍ଦର ମଧ୍ୟ ନିର୍ମାଣ କରାଯାଉଛି ।

ରାଜ୍ୟରେ ଦକ୍ଷତାର ବିକାଶ ପାଇଁ ସରକାର ଦକ୍ଷତା ବିକାଶ ମିଶନ ଆରମ୍ଭ କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ଲଗାତର ଭାବେ ଦୁଇ ବର୍ଷ ହେଲା ଓଡିଶାର ଦକ୍ଷତା ବିକାଶ ମିଶନକୁ ପ୍ରଶଂସା କରିଛନ୍ତି । ଦକ୍ଷତାର ବିକାଶ ପାଇଁ ଭୁବନେଶ୍ବରରେ ଏକ ବିଶ୍ବସ୍ତରୀୟ ଭିତ୍ତିଭୂମୀ ସହ 18 ମହଲା ବିଶିଷ୍ଟ ବିଶ୍ବ ଦକ୍ଷତା କେନ୍ଦ୍ରର ନିର୍ମାଣ କରାଯାଇଛି । ସିଙ୍ଗାପୁରର ଆଇଟିଇଇଏସ ସହଯୋଗରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଏହାର ପରିଚାଳନା ଦାୟିତ୍ବ ନେଇଛି । 14ଶହ କୋଟି ଟଙ୍କାରେ ନିର୍ମିତ ଏହି ଦକ୍ଷତା ବିକାଶ କେନ୍ଦ୍ରରେ ଆସନ୍ତା 4 ବର୍ଷ ମଧ୍ୟରେ ଦେଢ ଲକ୍ଷ ତାଲିମଦାତାଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ଷ୍ଟାର୍ଟ-ଅପ ପ୍ରକଳ୍ପରେ ମଧ୍ୟ ଓଡିଶା ଏକ ଅଗ୍ରଣୀ ରାଜ୍ୟ । ଗତ 18 ମାସ ମଧ୍ୟରେ ରାଜ୍ୟରେ 310ଟି ଷ୍ଟାର୍ଟ-ଅପ ପ୍ରକଳ୍ପ ମଂଜୁରୀ ପାଇଥିବା ବେଳେ 40ଜଣଙ୍କୁ ସହୟତା ପ୍ରଦାନ କରାଯାଇଛି । 2020 ସୁଦ୍ଧା ଏକ ହଜାର ଷ୍ଟାର୍ଟ-ଅପ ପ୍ରକଳ୍ପ ଜରିଆରେ ଦେଶର ପ୍ରମୁଖ ତିନୋଟି ଷ୍ଟାର୍ଟ-ଅପ ରାଜ୍ୟ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ ରଖାଯାଇଛି । ରାଜ୍ୟରେ ସେହିଭଳି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଗୁରୁତ୍ବ ଦେଇ ଏକ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କାରଯାଇଛି । କୃଷି କେନ୍ଦ୍ରରେ ମଧ୍ୟ ପୁଂଜି ନିବେଶର ପର୍ଯ୍ୟାପ୍ତ ସୁଯୋଗ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ମଧ୍ୟମ-କ୍ଷୁଦ୍ର-ଅଣୁ ଶିଳ୍ପ କ୍ଷେତ୍ରରେ 2014-15ରୁ ଏବେ ସୁଦ୍ଧା ପ୍ରାୟ ଦୁଇ ଲକ୍ଷ 25 ହଜାର ଏମଏସଏମଇ ଶିଳ୍ପ ଉତ୍ପାଦନକ୍ଷମ ହୋଇଛନ୍ତି । ଏହିସବୁ ଶିଳ୍ପରେ 6ଲକ୍ଷ 70ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । ରାଜ୍ୟର ଉତ୍ପାଦନ କ୍ଷେତ୍ରରେ ମଧ୍ୟ 2000-01ରୁ 2017-18 ମଧ୍ୟରେ ଶହେଗୁଣା ବୃଦ୍ଧି ପାଇଛି ।

ନିକଟରେ ରାଜ୍ୟ ସରକାର ବାୟୋଟେକ୍ନୋଲୋଜି ନୀତି ପ୍ରସ୍ତୁତ କରିଥିବା ବେଳେ ଗ୍ରିନଫିଲ୍ଡ ଇଲୋକ୍ଟ୍ରୋନିକ୍ସ ମାନୁଫାକ୍ଟରିଂ କ୍ଲଷ୍ଟର ନିର୍ମାଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ୟୁଏସଏର ଟିଆଇଇ, ସିଲିକନ ଭ୍ୟାଲି ଓଡିଶାରେ ଆଇଟି କ୍ଷେତ୍ରରେ ପୁଂଜି ନିବେଶ କରିବାକୁ ସହମତି ପ୍ରକାଶ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ସେହିଭଳି ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଘରୋଇ-ସରକାରୀ ଭାଗିଦାରିତାରେ ଏକାଧିକ ମେଡିକାଲ କଲେଜ ଓ ହସପିଟାଲ ନିର୍ମାଣ ହେଉଛି । ବିଶ୍ବକପ ହକି ପାଇଁ ହେଉଥିବା ପ୍ରସ୍ତୁତିରେ ରାଜ୍ୟରେ ହସପିଟାଲିଟି, କ୍ରିଡା ଓ ମନୋରଂଜନ ଭିତ୍ତିକ ଶିଳ୍ପରେ ପୁଂଜିନିବେଶର ମଧ୍ୟ ବ୍ୟାପକ ସୁଯୋଗ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିକାଶ ଏବଂ ରୂପାନ୍ତରଣରେ ଓଡିଶାର ସଫଳତାର କେତେକ ଦୃଷ୍ଟାନ୍ତ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୃଢ ଇଚ୍ଛାଶକ୍ତି ଯୋଗୁଁ ରାଜ୍ୟର 8 ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ ସୀମା ଉପରକୁ ଉଠାଯାଇପାରିଛି । ଗତ ଗୋଟିଏ ଦଶନ୍ଧି ମଧ୍ୟରେ ଚାଷୀଙ୍କ ପ୍ରକୃତ ଆୟକୁ ଦ୍ବିଗୁଣିତ କରାଯାପାରିଛି । ଗତ 5 ବର୍ଷ ମଧ୍ୟରେ ରାଜ୍ୟ ସରକାର 2ଲକ୍ଷ ପକ୍କା ଘର ନିର୍ମାଣ କରିଥିବା ବେଳେ ଦୃଢ ଇଚ୍ଛାଶକ୍ତି ବଳରେ ରାଜ୍ୟର ସବୁ ପକ୍କା ଘରକୁ କଚ୍ଚା ଘରରେ ରୂପାନ୍ତରିତ କରିବାକୁ ଲକ୍ଷ ରଖିଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାର ନିଜସ୍ବ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ଶିଳ୍ପପତିମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଆଭିମୁଖ୍ୟ ଓ ଦୃଷ୍ଟିଭଙ୍ଗି ହେଉଛି ଆଧୁନିକ । ଦୁଇଟି ସହରରେ ଲାଗିଥିବା ସ୍ମାର୍ଟି ସିଟି ଟ୍ୟାଗ ଏହି ଦୃଷ୍ଟିଭଙ୍ଗିର ମୁକସାକ୍ଷୀ ।

Share

Leave a Reply

Your email address will not be published. Required fields are marked *

fourteen − 3 =