ଶେଷ କିଶାନଙ୍କ ସଂଘର୍ଷର କାହାଣୀ ଶୁଣିଲେ ନବୀନ

ଭୁବନେଶ୍ବର () ୨୪ ବର୍ଷର ଯୁବକ ଶେଷ କିଶାନ । ଦୃଢ ଆତ୍ମପ୍ରତ୍ୟୟ, ସଂଘର୍ଷ ଓ ସଫଳତା ଯୋଗୁଁ ଆଜି ନିଜକୁ ଜଣେ ବୈଜ୍ଞାନିକ ଭାବେ ଗଢି ପାରିଛନ୍ତି । ଆଉ ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ କୁଣିବା ପାଇଁ ସରକାରଙ୍କ ନଲେଜ ହବ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ।

ପିଲାଟି ଦିନରୁ ମାଆଙ୍କୁ ହରାଇଥିଲେ ଶେଷ । ସମ୍ବଲପୁରର ଏକ ଅଖ୍ୟାତ ଗାଁର ଆଦିବାସୀ ପରିବାରରେ ଜନ୍ମ । ସବୁଦିନିଆ ଖାଦ୍ୟ ଥିଲା ପଖାଳ ଓ ଆମ୍ବୁଲ । ଆଉ ଖାଇବା ବେଳେ ବାପାଙ୍କ ସବୁଦିନ ସେହି ଏକା କଥା – ଯଦି ଓ ପଖାଳ ଓ ଆମ୍ବୁଲର ଚକ୍ରବିହ୍ବରୁ ମୁକ୍ତି ପାଇବାକୁ ଚାହୁଁ ତେବେ ଭଲ ପାଠ ପଢ । ବାପାଙ୍କ ଏହି କଥା ତାଙ୍କ ପାଇଁ ସବୁଠାରୁ ବଡ ପ୍ରେରଣାଦାୟୀ ଥିଲା । କେନ୍ଦୁପତ୍ର ଫଡି ଠାରୁ ମାଟି କାମ ପର୍ଯ୍ୟନ୍ତ ସବୁ କାମ ତାଙ୍କୁ କରିବାକୁ ପଡିଥିଲା କେବଳ ପାଠ ପଢିବା, ପରିବାରର ଗୁଜୁରାଣ ମେଣ୍ଟାଇବା ଓ ଅସୁସ୍ଥ ବାପାଙ୍କ ଚିକିତ୍ସା ପାଇଁ ।

ଦୃଢ ଇଚ୍ଛାଶକ୍ତି, ପ୍ରଚଣ୍ଡ ଆତ୍ମବିଶ୍ବାସ ଓ କଠୋର ପରିଶ୍ରମ ଥିଲା ତାଙ୍କର ସମ୍ପତ୍ତି । ଏହାରି ବଳରେ ହିଁ ସେ ନବୋଦୟ ବିଦ୍ୟାଳୟରେ ସ୍ଥାନ ହାସଲ କରିପାରିଥିଲେ । କିଶାନଙ୍କ ଭାଷାରେ ଇଡାଇ ଆଣିଥିଲି । ନବୋଦୟରେ ମଧ୍ୟ ସେଇ ସଂଘର୍ଷ । ସାଙ୍ଗମାନେ ଶୋଇବା ପରେ ରାତି ୧୧ଟା ପରେ ମହମବତୀ ଜାଲି ସାଙ୍ଗମାନଙ୍କ ବହି ପଢିବା, ମାଟ୍ରିକ ଓ ଯୁକ୍ତ ଦୁଇ ବିଜ୍ଞାନରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା, ନାଇଜରରେ ପ୍ରଥମ ଥର ଉଦ୍ୟମରେ ଦେଶର ଶ୍ରେଷ୍ଠ ୬୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇବା ତାଙ୍କ ସଂକଳ୍ପକୁ ଆହୁରି ଦୃଢିଭୂତ କରିଥିଲା । କିନ୍ତୁ ସେହି ବର୍ଷ ଅର୍ଥାତ ୨୦୧୨ରେ ବାପାଙ୍କ ଦେହାନ୍ତ ତାଙ୍କ ସ୍ବପ୍ନକୁ ଗଭୀର ଆଘାତ ଦେଇଥିଲା । ସଂଘର୍ଷକୁ ଜୀବନର ଆଧାର କରିଥିବା ଶେଷ କିନ୍ତୁ ହାରିନଥିଲେ । ପୁଣି ଥରେ ୨୦୧୩ରେ ନାଇଜରରେ କୃତକାର୍ଯ୍ୟ ହୋଇଥିଲେ ।

ଏଠି ମଧ୍ୟ ସଂଘର୍ଷ କମି ନଥିଲା । ବାପାଙ୍କ ଚିକିତ୍ସା ପାଇଁ କରିଥିବା ଧାର କରଜ ଶୁଝିବା ଓ ହୃଦରୋଗୀ ଭଉଣୀର ଚିକିତ୍ସା ତାଙ୍କ ଆଗରେ ନୂଆ ସମସ୍ୟା ହୋଇ ଛିଡା ହୋଇଥିଲା । ତେଣୁ ତାଙ୍କ ଭାଷାରେ କିଛି ବାହାନା ନକରି ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ ଜାରି ରଖିବା ଉଚିତ ।

ଗାଈ ଚରାଳିରୁ ବିଶ୍ବସ୍ତରୀୟ ବୈଜ୍ଞାନିକ ହୋଇଥିବା ଶେଷ ତାଙ୍କ ଜୀବନ ଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ବଡ ଅବଦାନ ରହିଛି । ପାଠ ବଢିବା ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ 2ଲକ୍ଷ ଟଙ୍କା ସହାୟତା କରିଥିଲେ । ଏଥିପାଇଁ ଶେଷ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।

Share

Leave a Reply

Your email address will not be published. Required fields are marked *

three × 1 =