ଧୈର୍ଯ୍ୟ ଓ ସମ୍ବେଦନଶୀଳତା ସହ ଲୋକଙ୍କ ସମସ୍ୟା ସମାଧାନ କର

ଭୁବନେଶ୍ୱର () ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୧୭ରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଶାସନିକ ଅଧିକାରୀ ଭାବରେ ସେମାନଙ୍କୁ ଲୋକଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ରହିବାକୁ ହେବ । ଲୋକଙ୍କ କଲ୍ୟାଣ ପାଇଁ ନିଷ୍ପତି ନେବାକୁ ହେବ । ତେଣୁ ଧୈର୍ଯ୍ୟ ଓ ସମ୍ବେଦନଶୀଳତା ସହିତ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ କଲ୍ୟାଣ ତାଙ୍କର ସବୁ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ । ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟ ସରକାରଙ୍କର ୩-ଟି ମନ୍ତ୍ର ସମ୍ପର୍କରେ ନବନିଯୁକ୍ତ ଅଧିକାରୀମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ଜୀବନରେ ପରିବର୍ତନ ପାଇଁ ଟେକ୍ନୋଲୋଜୀ, ଟ୍ରାନ୍ସପାରେନ୍ସୀ ଓ ଟିମୱାର୍କ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି ।

ବର୍ତମାନ ଏହି ମନ୍ତ୍ରରେ ରାଜ୍ୟ ସରକାର ସମୟକୁ ସାମିଲ କରିଛନ୍ତି । ସମୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହାକୁ କେହି ଅଣଦେଖା କରିପାରିବେ ନାହିଁ । ତେଣଉ ଆମର ପ୍ରଶାସନରେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ଆମେ ୫-ଟି (ଟେକ୍ନୋଲୋଜୀ, ଟ୍ରାନ୍ସପାରେନ୍ସୀ, ଟିମୱାର୍କ ଓ ଟାଇମ) ଉପରେ ଗୁରୁତ୍ୱ ଦେଉଛୁ । ଏହି ୫ଟି ମନ୍ତ୍ରକୁ ଆଧାର କରି କାମ କଲେ ପ୍ରଶସାନିକ ଅଧିକାରୀମାନେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ସହିତ ସଫଳ ଭାବେ ନିଜ ଦାୟିତ୍ୱ ନିର୍ବାହ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଅଶାପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ଶକ୍ତି, ଏମଏସଏମଇ ଓ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଏସ.ଏନ ଗିରି ସ୍ୱାଗତ ଭାଷଣ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ପରୀକ୍ଷାରେ ଓଡ଼ିଶା ସିଭିଲ ସର୍ଭିସ ପାଇଁ ୧୦୨ ଜଣ ମନୋନୀତ ହୋଇ ନିଯୁକ୍ତି ପାଇଛନ୍ତି । ସେମାନଙ୍କ ମଧ୍ୟରେ ୪୨ ଜଣ ମହିଳା ଥିବା ବେଳେ ୪ ଜଣ ଭିନ୍ନକ୍ଷମ ମନୋନୀତ ହୋଇଛନ୍ତି । ଏଥିରେ ୩୬ ଜଣ ଓଏଏସରେ ଯୋଗ ଦେଇଥିଲେ ବେଳେ ୯ ଜଣ ଓପିଏସରେ, ୨୪ ଜଣ ଓଏଫଏଓରେ, ୩ ଜଣ ସମବାୟ ସେବା, ୨୦ ଜଣ ରାଜସ୍ୱ ସେବା ଓ ୧୪ ଜଣ ଟିକସ ଓ ଆକାଉଣ୍ଟସ ସେବାରେ ଯୋଗ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − seven =