ବିଧାୟକଙ୍କୁ ନବୀନଙ୍କ ମନ୍ତ୍ର : ସାଧାରଣ ଜୀବନଯାପନ କର, ଲୋକଙ୍କ ସହ ରହିବ

ଭୁବନେଶ୍ୱର () ରାଜ୍ୟପାଳଙ୍କ ନିକଟରେ ବିଜେଡିର ଏକକ ସଂଖ୍ୟା ଗରିଷ୍ଠତା ପ୍ରଦର୍ଶନ କରି ସରକାର ଗଠନର ଦାବି ରଖିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ନବୀନଙ୍କୁ ପଂଚମ ଥର ପାଇଁ ଦଳର ନେତା ଭାବେ ସର୍ବସମ୍ମତ କ୍ରମେ ବାଛିବା ପରେ ସରକାର ଗଠନର ଦାବି ନେଇ ରାଜ୍ୟପାଳଙ୍କ ନିକଟରେ ପହଁଚିଥିଲେ ନବୀନ । ଏଥିସହିତ ଆଜି ବିଧାୟକ ଦଳ ବୈଠକରେ ନବୀନ ଦଳର ଓ ରାଜନେତାଙ୍କ ସଫଳତାର ମନ୍ତ୍ର ଦେଇଛନ୍ତି ।

ଆଜି ମଧ୍ୟାହ୍ନରେ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ବିଜେଡି ବିଧାୟକ ଦଳ ବୈଠକ । ଦଳର ୧୧୨ ବିଧାୟକ ଦଳର ସଭାପତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ବୈଠକରେ ଦଳର ସମସ୍ତ ନିର୍ବାଚିତ ବିଧାୟକ ଯୋଗ ଦେଇଥିଲେ । ବୈଠକରେ ବରିଷ୍ଠ ବିଧାୟକ ବିକ୍ରମ ଆରୁଖ ନବୀନଙ୍କୁ ଦଳର ନେତା ଭାବେ ବାଛିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏହି ପ୍ରସ୍ତାବକୁ ସମସ୍ତେ ସମର୍ଥନ କରିଥିଲେ । ଏହାଦ୍ୱାରା ନବୀନ ପଂଚମ ଥର ପାଇଁ ଦଳର ନେତା ଭାବେ ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ବୈଠକରେ ନବୀନ ଦଳର ସବୁ ବିଧାୟକଙ୍କୁ ବିଜେଡିର ସଫଳତାର ମନ୍ତ୍ର ଦେଇଛନ୍ତି । ସେ କହିଛନ୍ତି ଯେ, ବିଜେଡି ଉପରେ ଆସ୍ଥା ପ୍ରକଟ କରି ଲଗାତାର ପଂଚମ ଥର ପାଇଁ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ ସାଢେ ଚାରି କୋଟି ଓଡିଶାବାସୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେଣୁ ଆମକୁ ଉତ୍ସର୍ଗୀକୃତ ଏବଂ ଆନ୍ତରିକତାର ସହ ଲୋକଙ୍କ ଆଶା ଭରସାକୁ ସମ୍ମାନ ଦେଇ କାମ କରିବାକୁ ପଡିବ ବୋଲି ନବୀନ କହିଥିଲେ ।

ସେ କହିଥିଲେ ଯେ, ଅନେକ ସମୟରେ ଲୋକ ପଚାରନ୍ତି କ୍ରମାଗତ ଭାବେ ବିଜେଡିକୁ ମିଳୁଥିବା ସଫଳତାର ରହସ୍ୟ କଣ । ସେମାନଙ୍କୁ ମୋର ଉତ୍ତର ହେଉଛି, ଲୋକଙ୍କୁ ଗୁରୁତ୍ୱ ଏବଂ ଲୋକଙ୍କ ପାଇଁ କାମ । ଏହା ହିଁ ବିଜେଡିର ସଫଳତାର ରହସ୍ୟ । ତେଣୁ ଯେତେବେଳେ ଆପଣ ସାଧାରଣ ଜନତା ଓ ସେମାନଙ୍କ ବିକାଶକୁ ପ୍ରାଧାନ୍ୟ ଦେବେ ସେତେବେଳେ ରାଜନୀତି ଜଟିଳ ହୋଇ ରହିବ ନାହିଁ ।

ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କୁ ସମ୍ବୋଧିତ କରି ନବୀନ କହିଥିଲେ ଯେ, ଆପଣମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି । ସେମାନଙ୍କୁ ନବୀନ ସ୍ୱାଗତ ଜଣାଇବା ସହ ସାଧାରଣ ଜୀବନଯାପନ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ଆପଣ ସାଧାରଣ ଜୀବନଯାପନ କରିବେ, ସେତେବେଳେ ଜନତା ଆପଣଙ୍କ ନିକଟତର ହେବେ । ତେଣୁ ସମସ୍ତେ ମିଶିକରି ଏକାଠି କାମ କରିବା ସହ ଓଡିଶାକୁ ପରବର୍ତ୍ତ ପର୍ଯ୍ୟାୟର ବିକାଶ ସ୍ତରକୁ ନେବାକୁ ନବୀନ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

12 − ten =