କରୋନା ମୁକାବିଲା ପାଇଁ ତ୍ୟାଗ, ସଂଜମତା ଓ ଶୃଙ୍ଖଳାର ମନ୍ତ୍ର ଦେଇଛନ୍ତି ମହାପ୍ରଭୁ

ଭୁବନେଶ୍ୱର () ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ରଚିଛି । ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସମସ୍ତ ନୀତି ସୁରୁଖୁରୁରେ ଶେଷ ହୋଇଛି । ଏଥିପାଇଁ ସେବାୟତ ବନ୍ଧୁମାନଙ୍କୁ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ, ପୋଲିସ, ସ୍ବାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହିତ ରଜ୍ୟ ସରକାରଙ୍କର ସବୁ ବିଭାଗକୁ ତଥା ସର୍ବୋପରି ପୁରୀର ଜନସାଧାରଣଙ୍କୁ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

ରଥଯାତ୍ରା ପୂର୍ବ ଦିନ ମୁଁ କହିଥିଲି ଯେ ସାରା ବିଶ୍ବ ଆମ ଉପରେ ନଜର ରଖିଛି । ଆମେ କୋଭିଡ ସମୟରେ କିପରି ମହାପ୍ରଭୁଙ୍କ ଯାତ୍ରା, ନିୟମ ମାନି କରୁଛୁ ତା ଉପରେ ସାରା ବିଶ୍ବ ନଜର ରଖିଥିଲା ।
ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ସଫଳ ହୋଇଛୁ । ଶୃଙ୍ଖଳାର ସହ କାମ କରି ସାରା ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଛୁ ।

ମହାପ୍ରଭୁ ୪ ଦିନ ବଡ ଦାଣ୍ଡରେ ରହିଲେ । କିନ୍ତୁ ପୁରୀର ଜନସାଧାରଣ କୋଭିଡ ଗାଇଡଲାଇନ ମାନି, କେହି ଜଣେ ବି ରାସ୍ତାକୁ ଆସିନଥିଲେ । ସମସ୍ତେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ଯାତ୍ରା ଦେଖିଲେ । ପୁରୀ ବାସୀଙ୍କ ଏହି ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ । ସେମାନଙ୍କ ତ୍ୟାଗର ତୁଳନା ନାହିଁ । ତ୍ୟାଗ ହିଁ ସର୍ବଶ୍ରେଷ୍ଠ ଭକ୍ତି । ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ କରିଥାଏ ।
ପୁରୀ ଆଜି ସାରା ଦୁନିଆକୁ ବାଟ ଦେଖାଇଛି । କୋଭିଡ ଗାଇଡଲାଇନ ମାନି କିପରି କାମ କରିବାକୁ ହେବ ସେଥିପାଇଁ ପୁରୀ ପ୍ରେରଣା ଦେଇଛି । ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ । ତେଣୁ କୋଭିଡ ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ହେବ । ଏ ତିନୋଟି ଅସ୍ତ୍ର ହିଁ କୋଭିଡ ଯୁଦ୍ଧରେ ଆମକୁ ବିଜୟ ଆଣିଦେବ ।
ଆପଣମାନେ ଜାଣନ୍ତି ବର୍ତ୍ତମାନ ସାରା ଦେଶ ଅନଲକ ହେବା ଆରମ୍ଭ କରିଛି୤ ଆଉ ବିଶେଷ କିଛି କଟକଣା ନାହିଁ । ସାରା ବିଶ୍ବରେ କୋଭିଡ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଲାଣି । ଭାରତରେ ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢୁଛି ।

ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି । ବର୍ଷା ଋତୁ ପାଇଁ ମୁଁ ଆପଣମାନଙ୍କୁ ଆଗରୁ ସାବଧାନ କରିଥିଲି । କୋଭିଡ୍‌ ପାଇଁ Vaccine ବା Medicine ନ ବାହାରିବା ପର୍ଯ୍ୟନ୍ତ ଜୀବନ କେବେ ବି ପୂର୍ବପରି ସ୍ବାଭାବିକ ହେବ ନାହିଁ  । ତେଣୁ ସମସ୍ତଙ୍କ ମଙ୍ଗଳ ପାଇଁ ଆମକୁ ତ୍ୟାଗ କରିବାକୁ ହେବ । ମୁଁ ପୁଣିଥରେ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ କୋଭିଡ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରନ୍ତୁ ।

ଅତି ଦରକାର ନହେଲେ ବାହାରକୁ ଯାଆନ୍ତୁ ନାହିଁ ।ବାହାରେ, ଅଫିସରେ, କର୍ମକ୍ଷେତ୍ରରେ ସବୁବେଳେ ମାସ୍କ ବ୍ୟବହାର କରନ୍ତୁ ।
ସାମାଜିକ ଦୂରତା ରକ୍ଷା କରନ୍ତୁ । ବାରମ୍ବାର ସାବୁନରେ ଭଲଭାବରେ ହାତ ଧୁଅନ୍ତୁ । ଗହଳି କରନ୍ତୁ ନାହିଁ କିମ୍ବା ଗହଳିକୁ ଯାଆନ୍ତୁ ନାହିଁ ।
ବୟସ୍କ ଲୋକ ଓ ଶିଶୁମାନଙ୍କର ବିଶେଷ ଯତ୍ନ ନିଅନ୍ତୁ ।

ଯୁବ ସମାଜକୁ ମୋର ବିଶେଷ ଅନୁରୋଧ ସେମାନେ କୋଭିଡ ନିୟମକୁ ଠିକ ଭାବରେ ପାଳନ କରନ୍ତୁ । ଆପଣ ସଂକ୍ରମିତ ହେଲେ ଆପଣଙ୍କର ବାପା, ମାଆ, ପରିବାର, ପିଲାମାନଙ୍କ ସଂକ୍ରମଣ ଆଶଙ୍କା ବଢିବ । ତେଣୁ କେବେବି ହେଳା କରନ୍ତୁ ନାହିଁ, ସତର୍କ ରୁହନ୍ତୁ ।

Share

Leave a Reply

Your email address will not be published. Required fields are marked *

fourteen − 8 =